April 30, 2026

କଂଗ୍ରେସ ପକ୍ଷରୁ ବିଜେଡ଼ି ଓ ବିଜେପି ସରକାର ବିରୁଦ୍ଧରେ ରଣହୁଙ୍କାର, ଗଣବିକ୍ଷୋଭ ଓ ବ୍ଳକ ଘେରାଉ

IMG-20230905-WA0023
Share

କଂଗ୍ରେସ ପକ୍ଷରୁ ବିଜେଡ଼ି ଓ ବିଜେପି ସରକାର ବିରୁଦ୍ଧରେ ରଣହୁଙ୍କାର, ଗଣବିକ୍ଷୋଭ ଓ ବ୍ଳକ ଘେରାଉ

ଆନନ୍ଦପୁର ୦୪/୦୯: ଆନନ୍ଦପୁର ବ୍ଲକ ଓ ପୌରପରିଷଦ କଂଗ୍ରେସ କମିଟି ପକ୍ଷରୁ ୪ତାରିଖ ସୋମବାର ଦିନ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡ଼ି ସରକାରଙ୍କ ବିରୁଦ୍ଧରେ ରଣହୁଙ୍କାର ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରି ବ୍ଳକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ପୂର୍ବତନ ପିସିସି ସଭାପତି ତଥା ଆନନ୍ଦପୁରର ପୂର୍ବତନ ବିଧାୟକ ଜୟଦେବ ଯେନାଙ୍କ ନେତୃତ୍ଵରେ ସୋମବାର ଦିନ ଶହ ଶହ କଂଗ୍ରେସ କର୍ମୀ ବ୍ରିଜଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସରକାରଙ୍କ ଆକାଶଛୁଆଁ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯ୍ୟାତନା, ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ସ୍ଲୋଗାନ ଦେଇ ଆନନ୍ଦପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ କଂଗ୍ରେସ ଦଳ ପକ୍ଷରୁ ବ୍ଲକ ସମ୍ମୁଖରେ ଏକ ସଭାର ଆୟୋଜନ କରାଯାଇଥିଲା । କେନ୍ଦୁଝର ଜିଲ୍ଲା କଂଗ୍ରେସ ଉପ-ସଭାପତି ନିକୁଂଜ ବିହାରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କଂଗ୍ରେସ ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ମୋହନ ପରିଡ଼ା, ପୂର୍ବତନ ପିସିସି ସଭାପତି ଜୟଦେବ ଯେନା, ଯୁବନେତା ତଥା ଓଡ଼ିଶା ପ୍ରଦେଶ କମିଟିର ସାଧାରଣ ସମ୍ପାଦକ ଇଂ. ମନୋଜ କୁମାର ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଅମିତ କୁମାର ଖୁଟିଆ, ଶ୍ରୀଧର ଦଳେଇ, ଅକ୍ଷୟ ମହାନ୍ତି, ହରିଜନ ମୋର୍ଚ୍ଚା ଜିଲ୍ଲା ଅଧ୍ୟକ୍ଷ ସୁରେଶ ଯେନା ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଜଟଣୀ ବିଧାୟକ ଶ୍ରୀଯୁକ୍ତ ରାଉତରାୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହ କେନ୍ଦୁଝର ଜିଲ୍ଲାପାଳଙ୍କୁ ନିର୍ବାଚନ ପୂର୍ବରୁ ବଦଳି କରିବାକୁ ଦାବି କରିଥିଲେ । ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ଜୟଦେବ ଯେନାଙ୍କର ପୁତ୍ର ମନୋଜ କୁମାର ଯେନାଙ୍କୁ ବିପୁଳ ଜନ ସମର୍ଥନ ଦେଇ ବିଜୟୀ କରିବାକୁ ଆହ୍ବାନ ଦେଇଥିଲେ । କଂଗ୍ରେସ ନେତା ନିକୁଂଜ ବିହାରୀ ମିଶ୍ର ଓ ହାଡ଼ିବନ୍ଧୁ ଖୁଟିଆ ସମସ୍ତ ଭେଦଭାବ ଭୁଲି ମିଳିତ ଭାବେ କାର୍ଯ୍ୟକରି କଂଗ୍ରେସକୁ ମଜବୁତ କରିବା ସହ ନିର୍ବାଚନ ବୈତରଣୀ ପାର ହେବାପାଇଁ କଂଗ୍ରେସ କର୍ମୀଙ୍କୁ ଆହ୍ବାନ ଦେଇଥିଲେ । ଏହି ଅବସରରେ କଂଗ୍ରେସ ଦଳ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆନନ୍ଦପୁର ବିଡ଼ିଓଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆନନ୍ଦପୁର ପୋଲିସ ବିକ୍ଷୋଭ ସମୟରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।
ସୋମେଶ ପରିଡ଼ା ଙ୍କ ରିପୋର୍ଟ୍