ଗାଁ କଲ୍ୟାଣକୁ ନେଇ ସିଡିପିଓ ଓ ଅଙ୍ଗନୱାଡି କର୍ମି ମୁହାଁ ମୁହିଁ…
ବୋଲଗଡ଼,(ଉପାନ୍ତ ଖବର):କେନ୍ଦ୍ର ସରକାରଙ୍କର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଗତ ୧୦ବର୍ଷ ତଳେ ଗାଁ କଲ୍ୟାଣ ସମିତି ନାମରେ ଏକ କାର୍ଯ୍ୟକ୍ରମ ସାରା ଦେଶରେ ପ୍ରଣୟନ କରିଥିଲେ । ଏଥିରେ ପ୍ରତି ରାଜସ୍ୱ ଗ୍ରାମକୁ ନେଇ ଗାଁ କଲ୍ୟାଣ ସମିତି ଗଠନ ହେବା ସହିତ ପ୍ରତିବର୍ଷ ସ୍ୱାସ୍ଥ୍ୟ ସଚେତନତା ,ପରିମଳ, ଅସହାୟ ଗର୍ଭବତୀ ଓ ବ୍ୟକ୍ତି ବିଶେଷଙ୍କୁ ସହାୟତା ପାଇଁ ୧୦ହଜାର ଟଙ୍କା ଲେଖାଏଁ ଯୋଗାଇ ଦେଉଛନ୍ତି । ଏଥିରେ ସ୍ଥାନୀୟ ୱାର୍ଡ଼ ମେମ୍ବର ସଭାପତି ଓ ଅଙ୍ଗନୱାର୍ଡ଼ି କର୍ମୀ ଆବାହକ ରହି ଏକ କମିଟି ଗଠନ କରାଯାଇଛି । କିନ୍ତୁ ଏହି ଟଙ୍କା ଖର୍ଚ୍ଚ କରିବାରେ ସ୍ଥାନୀୟ ୱାର୍ଡ଼ ମେମ୍ବର ଓ କୁଜିନେତାମାନେ ସର୍ବଦା ଅଙ୍ଗନୱାର୍ଡ଼ି କର୍ମୀଙ୍କ ଉପରେ ଚାପ ପକାଇ ଜୁଲୁମ କରି ଗାଁ କଲ୍ୟାଣ ଟଙ୍କା ହଡପ କରୁଥିବାରୁ ବାଧ୍ୟ ହୋଇ ଗତ ୩ବର୍ଷ ଧରି ଓଡ଼ିଶାର ହଜାର ହଜାର ଅଙ୍ଗନୱାର୍ଡ଼ି କର୍ମୀ ଏହି କାର୍ଯୟ ନକରିବାପାଇଁ ଆନ୍ଦୋଳନ ଜାରି ରଖିଛନ୍ତି । କିନ୍ତୁ ଖୋର୍ଦ୍ଧାଜିଲ୍ଲା ବୋଲଗଡ଼ ବ୍ଲକର ସିଡିପିଓ କୃିଷ୍ଣାପ୍ରିୟା ପ୍ରଧାନ ଅଙ୍ଗନୱାର୍ଡ଼ି କର୍ମୀମାନେ ଗତ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ଆସିଥିବା ୧୬ହଜାରଟଙ୍କାକୁ ଟଙ୍କା ଉଠାଇ ଖର୍ଚ୍ଚ ଦେଖାଉ ନଥିବାରୁ ରାଗରେ ୧୨୩ଟି ଗାଁ କଲ୍ୟାଣ ଦାୟିତ୍ୱରେ ଥିବା ୧୨୩ଜଣ ଅଙ୍ଗନୱାର୍ଡ଼ି କର୍ମୀଙ୍କର ଡିସେମ୍ବର ମାସର ଦରମା ବନ୍ଦ ରଖିଛନ୍ତି । ଏହା ବିରୁଦ୍ଧରେ ଭାରତୀୟ ମଜଦୁର ସଂଘ ସଲଗ୍ନ ଅଲ୍ ଓଡ଼ିଶା ଅଙ୍ଗନୱାର୍ଡ଼ି ଲେଡିଜ୍ ୱାର୍କସ ଆସୋସିଏସନ ପକ୍ଷରୁ ଗୁରୁବାର ଦିନ ସିଡିପିଓ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଓଡ଼ିଶାରେ ବିଭିନ୍ନ ଜିଲ୍ଲାର ଅଧିକାଂଶ ବ୍ଲକରେ ଏହି ଗାଁ କଲ୍ୟାଣ ସମିତି କାର୍ଯ୍ୟ ବନ୍ଦ ଥିବାବେଳେ ଏପରିକି ଖୋର୍ଦ୍ଧାଜିଲ୍ଲାର ଜଟଣୀ, ବେଗୁନିଆ, ଖୋର୍ଦ୍ଧା ସଦରରେ କାର୍ଯ୍ୟ ବନ୍ଦ ଥିବା ବେଳେ ବୋଲଗଡ଼ ସିଡିପିଓ ସରକାରୀ ଟଙ୍କାର ୩୦ଲକ୍ଷଟଙ୍କା ହଡପ କରିଥିବାରୁ ପ୍ରଶାସନକୁ ଖୁସି କରିବାପଇଁ ଏଭଳି ପଦକ୍ଷେପ ନେଇଥିବାର ଜାଣିବାକୁ ମିଳିଛି । ଏପରିକି ଗତ ବର୍ଷର ପ୍ରଥମ ଓଜନ ଉତ୍ସବର ଏକଲକ୍ଷ ୧୪ ହଜାର ଟଙ୍କାକୁ କର୍ମିମାନଙ୍କୁ ନଦେଇ ଚଳୁ କରିଛନ୍ତି । ପୁନଶ୍ଚ ୨୨୮ କେନ୍ଦ୍ରର ଅଙ୍ଗନୱାର୍ଡ଼ି କର୍ମୀଙ୍କ ଠାରୁ ଅରୁଣିମା କୁନି କ୍ୟାଲେଣ୍ଡର ଛପାଇ ଯୋଗାଇଦେବାପାଇଁ ଏକ ହଜାରଟଙ୍କା ନେଇମଧ୍ୟ କୁନି କ୍ୟାଲେଣ୍ଡର ନଦେଇ ଭୁଆଁ ବୁଲାଉଛନ୍ତି । ଏହି ସବୁ ସମସ୍ୟାକୁ ନେଇ ତୁରନ୍ତ ସିଡିପିଓଙ୍କ ବଦଳି ଦାବୀ କରିବା ସହିତ ଅଙ୍ଗନୱାର୍ଡ଼ି କର୍ମୀଙ୍କ ଡିସେମ୍ବର ମାସର ଦରମା ତୁରନ୍ତ ପ୍ରଦାନ ପାଇଁ ସଂଘ ପକ୍ଷରୁ ଦାବୀ କରାଯାଇଛି । ନଚେତ୍ ଆସନ୍ତା ୭ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ସିଡିପିଓ କାର୍ଯ୍ୟାଳୟ ଅଚଳ କରାଯିବା ସହିତ ଶହଶହ ଅଙ୍ଗନୱାର୍ଡ଼ି କର୍ମୀ କାର୍ଯ୍ୟାଳୟ ସମ୍ମୁଖରେ ଦିବାରାତ୍ର ଆନ୍ଦୋଳନରେ ବସିବେବୋଲି ଚେତାବନି ଦେଇଛନ୍ତି । ଆଜିର ଏହି ବ୍ଲକ ଘେରାଉରେ ସଂଘର ଖୋର୍ଦ୍ଧାଜିଲ୍ଲା ସଭାନେତ୍ରୀ ପ୍ରଭାତି ପଟ୍ଟନାୟକ, ସଂଙ୍ଗଠନ ସମ୍ପାଦିକା ପ୍ରଭାତି ମଙ୍ଗରାଜ, ଜିଲ୍ଲା ସହ-ସମ୍ପାଦିକା ସୈାମ୍ୟାସ୍ନିଗ୍ଧା ସୁନ୍ଦରାୟ, ହରପ୍ରିୟା ମହାରଥା,ବୋଲଗଡ ବ୍ଲକ ସଭାନେତ୍ରୀ ମେରିଆ ବେଗମ, ସମ୍ପାଦିକା ନମିତା ପ୍ରଧାନ,କୋଷାଧ୍ୟକ୍ଷା ପ୍ରତିମା ଦେଇ ,ଭାରତୀୟ ମଜଦୁର ସଂଘର ରାଜ୍ୟ ମିଡିଆ ସେଲ ଅଧ୍ୟକ୍ଷ ଅକ୍ଷୟ ରାଉତରାୟ, ସଂଘର ବରିଷ୍ଠ ଉପଦେଷ୍ଟା ଗଙ୍ଗାଧର ଦାଶ ପ୍ରମୁଖ ନେତୃତ୍ୱ ନେଇଥିଲେ ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)