December 5, 2024

ଟିଭି ଟୀକା ନେଲେ ହିଁ ଔଷଧୀୟ ମଶାରୀ ମିଳିବ, ନଚେତ୍ ନାହିଁ

Share

 

କୋଲନରା : କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି | ଟିଭି ଟୀକା ନେଲେ ହିଁ ଔଷଧୀୟ ମଶାରୀ ଦିଆଯିବ ବୋଲି ସ୍ବାସ୍ଥ୍ୟ କର୍ମଚାରୀ କହୁଥିବା ବେଳେ ଟୀକା ନ ନେଇ ବହୁ ଲୋକେ ମଶାରୀ ପାଇବାରେ ବଞ୍ଚିତ ରହୁଥିବା ଦେଖିବାକୁ ମିଳୁଛି | ସୂଚନା ମୁତାବକ, ଗତ କିଛି ମାସ ତଳେ ସମଗ୍ର ରାୟଗଡ଼ା ଜିଲ୍ଲାରେ ମ୍ୟାଲେରିଆ ଆତଙ୍କ ସୃଷ୍ଟି କରିଥିଲା | ଫଳରେ ବହୁ ଲୋକେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିଲେ | ଏବେ ମଧ୍ୟ ବହୁ ଲୋକେ ମ୍ୟାଲେରିଆ ଆକ୍ରାନ୍ତ ହେଉଛନ୍ତି | ଉକ୍ତ ଘଟଣାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ପ୍ରତ୍ୟେକ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ଟିମ୍ ପକ୍ଷରୁ ପ୍ରତି ଗାଁ ବୁଲି ବୁଲି ଔଷଧୀୟ ମଶାରୀ ବ୍ୟବହାର କରିବା ନେଇ ଲୋକଙ୍କୁ ସଚେତନ କରିଥିଲେ ଏବଂ ସେହି ସମୟରେ ମଶାରୀ ଷ୍ଟକ୍ ନ ଥିବା କାରଣରୁ ଯଥା ଶୀଘ୍ର ଔଷଧୀୟ ମଶାରୀ ବଣ୍ଟନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଥିଲା | କିନ୍ତୁ ବର୍ତ୍ତମାନ ସୁଦ୍ଧା ଅବଶ୍ୟ ପର୍ଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟ ବିଭାଗ ପାଖକୁ ମଶାରୀ ଆସିନାହିଁ କିନ୍ତୁ ଯେତିକି ଆସିଛି ସେତିକିରେ କାମ ଚଳେଇ ଆଗକୁ ଆହୁରି ଆସିଲେ ସମସ୍ତଙ୍କୁ ମଶାରୀ ବଣ୍ଟା ଯିବ ବୋଲି ଜଣାପଡିଛି | ଯଦି ମ୍ୟାଲେରିଆ ନିରାକରଣ ନିମନ୍ତେ ଔଷଧୀୟ ମଶାରୀ ବଣ୍ଟନ କରାଯାଉଛି ତାହେଲେ ଟିଭି ରୋଗର ଟୀକା ସହିତ ଏହି ମଶାରୀର କଣ ସମ୍ବନ୍ଧ ରହିଛି, ଯଦି ବା ମଶାରୀ ଦେବାର ଅଛି ତାହେଲେ ପୂର୍ବପରି ଦେବା କଥା, ଯଦି ଦେବାର ନାହିଁ ତା ହେଲେ ଟିଭି ଟୀକା ନେବାକୁ କାହିଁକି ବାଧ୍ୟ କରାଯାଉଛି ଏଭଳି ବିଷୟ କେବଳ ପ୍ରହସନ ସଦୃଶ ବୋଲି ଲୋକଙ୍କ ମଧ୍ୟରେ ମତପ୍ରକାଶ ପାଇଛି | ଆଜି ମୁକୁନ୍ଦପୁର ଗ୍ରାମରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି | ଲୋକଙ୍କୁ ଟୀକା ନ ନେଲେ ମଶାରୀ ଦିଆଯାଇ ନାହିଁ | ଯଦ୍ୱାରା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି | ଏ ସମ୍ପର୍କରେ କୋଲନରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମ ଙ୍କ ପ୍ରତିକ୍ରିୟା ନେବାରୁ ସେମିତି କିଛି ଗାଇଡ ଲାଇନ୍ ନାହିଁ ଟୀକା ନେବା ଲୋକଙ୍କ ଉପରେ ନିର୍ଭର କରେ, ଟୀକା ନେବା ବାଧ୍ୟତାମୂଳକ ନୁହେଁ, ଯେଉଁ ମାନେ ଟୀକା ନେଉ ନାହାନ୍ତି ସେମାନଙ୍କୁ ମଧ୍ୟ ମଶାରୀ ପ୍ରଦାନ କରାଯିବ ବୋଲି ସେ କହିଥିଲେ | ତେଣୁ ଲୋକଙ୍କ ସୁବିଧା ଦୃଷ୍ଟିରୁ ସମସ୍ତ ଜନସାଧାରଣଙ୍କୁ ଔଷଧୀୟ ମଶାରୀ ବଣ୍ଟନ କରିବାକୁ ସାଧାରଣରେ ଦାବି ହୋଇଛି |
ରିପୋର୍ଟ :- ସଞ୍ଜୀବ କଣ୍ଡାଗରୀ

You may have missed