ରାସ୍ତାରେ ଜଗିବସିଛି ଯମରାଜ





ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ଆମ ରାଜ୍ୟ ସରକାର ଓଡିଶାରେ ଗମନାଗମନ ଉପରେ ବହୁତ ଗୁରୁତ୍ୱ ଦେଉଛନ୍ତି l ସାଧାରଣ ଲୋକଙ୍କ ସୁବିଧା ପାଇଁ ଭଲ ରାସ୍ତା କରିବା ଉପରେ ପ୍ରାଧାନ୍ୟ ଦେଉଛନ୍ତି l ହେଲେ ଏବେ ବି ଏମିତି ରାସ୍ତା ଅଛି, ଯେଉଁ ରାସ୍ତାରେ ପାଦରେ ଚାଲି ଯିବାରେ ମଧ୍ୟ ଲୋକ ପ୍ରମାଦ ଗଣନ୍ତି l ଆଉ ସେଇଭଳି ଗୋଟିଏ ରାସ୍ତା ହେଉଛି ସିକେରକୁପା ଠାରୁ ଲାଞ୍ଜିଗଡ଼ରୋଡ଼, କଦମଗୁଡ଼ା, ଭୁର୍ଟିଗଡ଼, କମର୍ଦା, ମୁଣ୍ଡା ଗାଁ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ସ୍ୱଚକ୍ଷୁରେ ନ ଦେଖିଲେ ବିଶ୍ୱାସ କରିହେବନାହିଁ l 6 ନମ୍ବର ରାଜ୍ୟ ରାଜପଥର ସିକେର କୁପା ଛକ ଠାରୁ ମୁଣ୍ଡା ଗାଁ ପର୍ଯ୍ୟନ୍ତ ପ୍ରାୟ ପନ୍ଦର କିଲୋମିଟର ରାସ୍ତାକୁ ଦେଖିଲେ ତାକୁ କେହି ରାସ୍ତା ବୋଲି କହିବେନି l ପନ୍ଦର କିଲୋମିଟର ମଧ୍ୟରେ ଏପରି ଗୋଟାଏ କିଲୋମିଟର ରାସ୍ତା ନାହିଁ, ଯାହାକୁ ସମତଳ ବୋଲି କହିହେବ l ସମଗ୍ର ରାସ୍ତାଟି ଖାଲ ଖମାରେ ପୁରିଯାଇଛି l ରାସ୍ତାର ମଝିରେ ଆଣ୍ଠୁଏ ଲେଖାଏଁ ଖାଲ ହେବା ଦ୍ୱାରା ବର୍ଷା ପାଣି ପୁରି ଯାଉଛି ଏବଂ ସ୍ଥାନେ ସ୍ଥାନେ ପୋଖରୀର ଭ୍ରମ ସୃଷ୍ଟି ହେଉଛି l କୌଣସି ଯାନ ବାହାନ ଯିବା ଦୂରେ ଥାଉ, ପାଦରେ ଚାଲି ଯିବା ମଧ୍ୟ କଷ୍ଟକର ବ୍ୟାପାର l ପ୍ରତିଦିନ ଶହ ଶହ ଲୋକ ସେଇ ରାସ୍ତାରେ ଯାତାୟତ କରିଥାନ୍ତି l ପାଖାପାଖି 20 ରୁ 30 ଖଣ୍ଡ ଗ୍ରାମର ଲୋକ ସେଇ ରାସ୍ତାରେ ଯାତାୟତ ପାଇଁ ନିର୍ଭର କରିଥାନ୍ତି l ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣାମାନ ଘଟିଥାଏ l
ଦୀର୍ଘ ଚାଲିଶ ବର୍ଷ ଧରି ଏଇ ରାସ୍ତା ଏଇଭଳି ରହିଛି l ଝୁଡ଼ିଏ ମାଟି ମଧ୍ୟ ପକାଯାଇ ନାହିଁ l ସରକାରଙ୍କ ନିକଟରେ ଏ ରାସ୍ତା ପାଇଁ ଅନେକ ବାର ଦାବୀ କରାଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଏହାର ପ୍ରତିକାର ହୋଇ ପାରିନାହିଁ l ଲାଞ୍ଜିଗଡ଼ ବ୍ଲକ ଅଧୀନରେ ଥିବା ଏହି ଅଞ୍ଚଳ ଦୀର୍ଘ ବର୍ଷ ପରେ ଏବେ ବି ସେମିତି ଅବହେଳିତ ଅବସ୍ଥାରେ ରହିଛି l ପଞ୍ଚାୟତ, ବ୍ଲକ, ଜିଲ୍ଲା ସ୍ତରରେ ସବୁଠି ଦାବୀ କରାଯାଇଥିଲେ ସୁଦ୍ଧା ଏ ରାସ୍ତା ପ୍ରତି କାହାରି ଦୃଷ୍ଟି ପଡ଼ିନାହିଁ l ଏ ଅଞ୍ଚଳର ଲୋକେ କହୁଛନ୍ତି, ଏହା ରାସ୍ତା ନୁହେଁ ତ, ସତେ କି ମୃତ୍ୟୁ ଦୂତ ସମସ୍ତଙ୍କୁ ଗିଳିବା ପାଇଁ ଜଗି ବସିଛି l ଶୀଘ୍ର ଏ ସମସ୍ୟାର ସମାଧାନ ପାଇଁ ଅଞ୍ଚଳ ଲୋକେ ଦାବୀ କରୁଛନ୍ତି l ଯଦି ପ୍ରଶାସନ ଶୀଘ୍ର ଏହାର ପ୍ରତିକାର ନ କରେ, ତାହେଲେ ଏ ଅଞ୍ଚଳର ହଜାର ହଜାର ଲୋକ ଆନ୍ଦୋଳନ କରିବା ପାଇଁ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବେ l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର
