ଅଙ୍ଗନୱାଡ଼ି ଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ଦାବି କଲେ ଗ୍ରାମବାସୀ

ବାଲେଶ୍ୱର(ଶେଖ୍ ନଜିମ୍): ବାଲେଶ୍ଵର ଜିଲ୍ଲାର ନୀଳଗିରି ବ୍ଲକ ଅର୍ନ୍ତଗତ କଦମ୍ବଗଡି ରାଜସ୍ୱ ଗ୍ରାମର ଗ୍ରାମବାସୀମାନେ ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଏକ ଅଙ୍ଗନୱାଡ଼ି ଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି । ସେମାନଙ୍କ ଦାବି ଅନୁସାରେ,କଦମ୍ବଗଡି ଅଙ୍ଗନୱାଡ଼ି କେନ୍ଦ୍ରରେ ଶିକ୍ଷୟିତ୍ରୀ ନଥିବା କାରଣରୁ ଛୋଟ ଛୋଟ ପିଲାମାନେ ପାଠ ପଢ଼ିବାରୁ ବଂଚିତ ହେଉଛନ୍ତି । ଯେଉଁ ଶିକ୍ଷୟିତ୍ରୀ ଜଣଙ୍କ ଉକ୍ତ କେନ୍ଦ୍ରରେ ରହିଥିଲେ ତାଙ୍କର ୬୦ବର୍ଷ ହୋଇଯାଇଥିବାରୁ ସେ ଆଜିକୁ ପ୍ରାୟ ୧୦ମାସ ପୂର୍ବରୁ ଚାକିରିରୁ ଅବସର ନେଇଛନ୍ତି । ତାଙ୍କ ଅବସରପରେ ବର୍ତ୍ତମାନ ଉକ୍ତ ଅଙ୍ଗନୱାଡି କେନ୍ଦ୍ରରେ ସରକାରୀ ସ୍ତରରେ କୌଣସି ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦିଆଯାଇ ନାହିଁ । ଏପରିକି ଦୀର୍ଘ ୧୦ମାସ ହେବ ଏହି ପଦବୀ ଫାଙ୍କା ପଡ଼ିଛି । ଏପରିକି ସେମାନେ ପୂର୍ବରୁ ସେମାନେ ନୀଳଗିରି ଉପଜିଲ୍ଲାପାଳ,ସିଡିପିଓଙ୍କୁ ମଧ୍ୟ ଜଣାଇଥିଲେ ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏପରିକି ଅଙ୍ଗନୱାଡ଼ି କେନ୍ଦ୍ରରର ହେଲପରକୁ ସେମାନେ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ଦେବାକୁ ପସନ୍ଦ କରୁ ନାହାନ୍ତି । ଯଥା ଶୀଘ୍ର ନୂତନ ଭାବେ ବିଜ୍ଞାପନ ବାହାର କରି ସରକାରଙ୍କ ଗାଇଡଲାଇନ ଅନୁସାରେ ନୂତନ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେବାକୁ ଗ୍ରାମବାସୀ ମହେଶ୍ୱର ସାମଲ,ଉର୍ମିଳା ସାମଲ,ମାମିନି ଜେନା,ମମତା ସାମଲ ପ୍ରମୁଖଙ୍କ ସହ ଅନ୍ୟମାନେ ଦାବି କରିଛନ୍ତି ।