ଦୂରାବସ୍ଥାରେ ଗୋଲିଆ ଗାଁ ଛକ ନିକଟସ୍ଥ ନଳକୂପ, ପ୍ରତିକାର ଦାବି
ବୁଗୁଡ଼ା : ତା ୦୪/୦୧/୨୬ : ବୁଗୁଡା ବ୍ଲକର ଗୋଲିଆ ଗାଁ ଛକରୁ ବାଦୁଆ ଗ୍ରାମ ଅଭିମୁଖେ ଲମ୍ବିଥିବା ନବ ନିର୍ମିତ ରାସ୍ତା କଡସ୍ଥ ଏକ ନଳକୂପ ଦୂରାବସ୍ଥାରେ ଥିବା ଦେଖିବାକୁ ମିଳିଛି। ନଳକୂପଟିର ଏଭଳି ଅବସ୍ଥା ପାଇଁ ରାସ୍ତା ନିର୍ମାଣ କରିଥିବା ଗୀତାଲକ୍ଷ୍ମୀ କନଷ୍ଟ୍ରକସନ ସଂସ୍ଥାକୁ ଲୋକେ ଦାୟୀ କରୁଥିବା ଜଣାଯାଇଛି। ପ୍ରକାଶ ଯେ, ପୂର୍ବରୁ ଏହି ନଳକୂପଟି ଲୋକଙ୍କ କାମରେ ଆସୁଥିଲା। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣ ବେଳେ ନଳକୂପଟିକୁ ମାଟିରେ ପୋତି ହୋଇଯାଇଥିବାରୁ ମାଠିଆ କିମ୍ବା ବାଲଟିରେ ପାଣି ଧରିବା ସମ୍ଭବ ହେଉନାହିଁ। ଅନ୍ଯପକ୍ଷରେ ନଳକୂପ ଜାଗାଟି କାଦ ପଚପଚ ଅବସ୍ଥାରେ ରହୁଛି। ପୂର୍ବରୁ ଲୋକେ ସେହି ନଳକୂପରୁ ପାଣି ନେଇ ରୋଷେଇ ସହିତ ଅନ୍ୟାନ୍ୟ କାମରେ ବ୍ଯବହାର କରୁଥିଲା ବେଳେ ଏବେ ଆଉ ଲୋକଙ୍କ ସେହି କାମରେ ଲାଗୁନଥିବାରୁ ଅସନ୍ତୋଷ ଦେଖା ଦେଇଛି। ଏଣୁ, ଉକ୍ତ ସମସ୍ଯାର ତୁରନ୍ତ ପ୍ରତିକାର ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ତେବେ ଏ ନେଇ ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ ରାମା ରାଓଙ୍କୁ ପଚାରିବାରେ ଯଥାଶୀଘ୍ର ଏହାର ପ୍ରତିକାର ବ୍ଯବସ୍ଥା କରାଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
