November 21, 2024

ପାଣିରେ ପଡ଼ିଲା ଅଢେଇ କୋଟି ଟଙ୍କା ଉଦଘାଟନ ପରେ ବି ଖୋଲୁନି ସ୍କୁଲ କୋଠା – କାର୍ଯ୍ୟକ୍ଷମ ନ ହେଲେ ଭୋଟ ବର୍ଜ୍ଜନ ନିଷ୍ପତ୍ତି …

Share

ଗୁଣପୁର – ଉଦଘାଟନ ହୋଇ ୪ ବର୍ଷରୁ ଉର୍ଦ୍ଧ ସମୟ ହେଲାଣି । ହେଲେ ଏଯାଏଁ ଆରମ୍ଭ ହୋଇନି ବିଦ୍ୟାଳୟ । ପାଞ୍ଚ ବର୍ଷ ଧରି ଅବ୍ୟବହୃତ ହୋଇ ପଡିରହିଛି ଏଜୁକେସନ କମ୍ପ୍ଲେକ୍ସ କୋଠା । ପ୍ରାୟ ଅଢେଇ କୋଟି ଟଙ୍କା ବିନିମୟରେ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଆଦିମ ଜନଜାତି ଆଦିବାସୀ ପିଲାଙ୍କ ପାଠପଢା ନିମନ୍ତେ ନିର୍ମାଣ କରାଯାଇଥିଲା ବିଦ୍ୟାଳୟ କୋଠା । ନିର୍ମାଣ କାର୍ଯ୍ୟ ସରିବା ପରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଙ୍କ ଦ୍ଵାରା କୋଠା ଉଦଘାଟନ ମଧ୍ୟ ହୋଇଥିଲା । ହେଲେ ସରକାରୀ ଉଦାସୀନତା ଓ ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ କୋଠା କାର୍ଯ୍ୟକ୍ଷମ ନ ହେବା ଦୁର୍ଭାଗ୍ୟର ବିଷୟ । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ର ଦୁର୍ଗମ ପଞ୍ଚାୟତ ହେଉଛି ଆବଡା । ଏଠାରେ ଆଦିମ ଜନଜାତି ଲାଞ୍ଜିଆ ସୌରା ମାନେ ବସବାସ କରନ୍ତି । ଆଦିବାସୀ ପିଲାଙ୍କ ଶିକ୍ଷା ନିମନ୍ତେ ଏଠାରେ ବିଦ୍ୟାଳୟ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ଏଠାରେ ପ୍ରାଥମିକ ବିଦ୍ୟାଳୟ ଟିଏ ଅଛି । ଯେଉଁଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଉଚ୍ଚ ଶିକ୍ଷା ପାଇଁ ବ୍ୟବସ୍ଥା ନ ଥିବାରୁ ଏଠାକାର ପିଲାଏ ପଡୋଶୀ ଗଜପତି ଜିଲ୍ଲାର ନୂଆଗଡ଼, ଡମ୍ବସରା, ବାଙ୍କୀଲି, ଗୁଣୁପୁର, ପୁଟାସିଂ ପ୍ରଭୃତି ଅଞ୍ଚଳ କୁ ଯାଉଛନ୍ତି । ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକ ପ୍ରତିନିଧି ଓ ଜନସାଧାରଣ ପ୍ରଶାସନ ନିକଟରେ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ ଆଦିବାସୀ ଙ୍କ ସ୍ୱର ବଡ଼ ବଡ଼ିଆ ବାବୁଙ୍କ କାନ ରେ ବାଜୁନାହିଁ ।
ଆସନ୍ତା ଶିକ୍ଷାବର୍ଷ ୨୦୨୪ ଏପ୍ରିଲ ସୁଦ୍ଧା ଏହି ବିଦ୍ୟାଳୟ କାର୍ଯ୍ୟକ୍ଷମ ନ ହେଲେ ଆଗାମୀ ସାଧାରଣ ନିର୍ବାଚନ ବର୍ଜ୍ଜନ କରିବେ ବୋଲି ରୋକଠୋକ ଚେତାବନୀ ଦେଇଛନ୍ତି ଏଠାକାର ବାସିନ୍ଦା । ଏନେଇ ଗୁଣୁପୁର ପିଏ ଆଇଟିଡିଏ ଙ୍କୁ ଅବଗତ କରାଇବାରୁ ଚଳିତ ବର୍ଷ ଉଚ୍ଚ ଶିକ୍ଷା ବିଭାଗ କୁ ଏହି କୋଠା ହସ୍ତାନ୍ତର କରାଯିବ ବୋଲି କହିଥିଲେ ।(ସୁରେନ୍ଦ୍ର ମହାନ୍ତି )