୩୨ ଖଣ୍ଡ ଗାଁରେ ମଦ ବିକ୍ରି ବନ୍ଦ ଦାବି, ଜିଲ୍ଲାପାଳଙ୍କୁ ଭେଟିଲେ ଶତାଧିକ ମହିଳା
କୋରାପୁଟ, ୨ା୧୧: ଗାଁରେ ମଦ ବିକ୍ରି ବନ୍ଦ କରିବା ଦାବିରେ କୋରାପୁଟ ଜିଲ୍ଲାର କଙ୍ଗା ପଞ୍ଚାୟତ ଅନ୍ତର୍ଗତ ୩୨ ଖଣ୍ଡ ଗାଁର ଶତାଧିକ ମହିଳା ସୋମବାର କୋରାପୁଟ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ଗ୍ରାମାଞ୍ଚଳରେ ମଦ ବିକ୍ରି ଓ ମଦ୍ୟପାନ ଯୋଗୁଁ ପରିବାର ତଥା ସାମାଜିକ ଜୀବନ ଉପରେ କୁପ୍ରଭାବ ପଡ଼ୁଥିବା ଅଭିଯୋଗ କରି ମହିଳାମାନେ ଏହାର ସମ୍ପୂର୍ଣ୍ଣ ବନ୍ଦ ଦାବି ଉଠାଇଛନ୍ତି। ମଦ୍ୟପାନ ଯୋଗୁଁ ପରିବାରରେ ଅଶାନ୍ତି, ଆର୍ଥିକ ସମସ୍ୟା ଓ ମହିଳାମାନଙ୍କ ଉପରେ ନାନା ନିର୍ଯାତନା ବଢ଼ୁଥିବା ନେଇ ସେମାନେ ନିଜର ଉଦ୍ବେଗ ପ୍ରକାଶ କରିଥିଲେ।
ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ସହ ୩୨ ଖଣ୍ଡ ଗାଁରେ ମଦ ବିକ୍ରି ବନ୍ଦ କରିବାକୁ ମହିଳାମାନେ ଦାବି ଜଣାଇଥିଲେ। ଗ୍ରାମାଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସୁସ୍ଥ ପରିବେଶ ଫେରାଇ ଆଣିବା ଲକ୍ଷ୍ୟରେ ମହିଳାମାନଙ୍କ ଏହି ସମୂହ ପଦକ୍ଷେପ ଚର୍ଚ୍ଚାର ବିଷୟ ହୋଇଛି।(ଗୁପ୍ତେଶ୍ଵର ରଥ କୋରାପୁଟ)
