September 3, 2026

ଜରାଜୀର୍ଣ୍ଣ ଅବସ୍ଥାରେ ରାମପୁର ବିଦ୍ୟାଳୟ 

IMG-20260903-WA0001
Share

କୋଲନରା (ସଞ୍ଜୀବ କଣ୍ଡାଗରୀ): ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଭୋଇମଡା ପଞ୍ଚାୟତ ଅନ୍ତର୍ଗତ ରାମପୁର ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖା ଦେଇଛି ଅବ୍ୟବସ୍ଥା | ଦୁଇଟି ଶ୍ରେଣୀ ଗୃହ ମଧ୍ୟରୁ ଗୋଟିଏ ଶ୍ରେଣୀ ଗୃହ ଛାତରୁ ପ୍ଲାଷ୍ଟର ଖସୁଥିବା ଯୋଗୁଁ ଅନ୍ୟ ଏକ ଶ୍ରେଣୀ ଗୃହରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦିଆ ଯାଉଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଦୁଇଟି ଶ୍ରେଣୀ ଗୃହ ଓ ଏକ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ରହିଥିଲେ ବି ଗୋଟିଏ ଶ୍ରେଣୀ ଗୃହ ଓ କାର୍ଯ୍ୟାଳୟ ଛାତରୁ କଂକ୍ରିଟ ଖଣ୍ଡ ଖସୁଥିବା ଯୋଗୁଁ ଭୟରେ ଛାତ୍ରଛାତ୍ରୀ ନ ବସି ଅନ୍ୟ ଏକ ଶ୍ରେଣୀ ଗୃହରେ ପିଲାଙ୍କୁ ବସାଇ ଶିକ୍ଷାଦାନ ଦିଆଯାଉ ଥିବା ଭଳି ଘଟଣା ଦେଖିବାକୁ ମିଳିଛି | ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ଏବେ ଷ୍ଟର ରୁମ୍ ପାଲଟିଛି କିନ୍ତୁ ବର୍ଷା ହେଲେ ପିଲାଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ସାମଗ୍ରୀ ଏମିତିକି ଚାଉଳ, ଡାଲି ସବୁ ଓଦା ହୋଇ ନଷ୍ଟ ହୋଇ ଯାଉଛି। ସୂଚନା ମୁତାବକ, ୨୦୦୬ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ଦୁଇଟି ଶ୍ରେଣୀ ଗୃହ ଓ ଏକ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା | ଏହି ପ୍ରାଥମିକ ବିଦ୍ୟାଳୟରେ ବର୍ତ୍ତମାନ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀରେ ମୋଟ ୨୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପ୍ରଧାନ ଶିକ୍ଷକ ଓ ଜଣେ ସହକାରୀ ଶିକ୍ଷୟିତ୍ରୀ ରହିଛନ୍ତି | କିନ୍ତୁ ଦୁଃଖର ବିଷୟ ଦୀର୍ଘ ବର୍ଷ ହେବ ଗୋଟିଏ ଶ୍ରେଣୀ ଗୃହ ଛାତରୁ କଂକ୍ରିଟ ଖଣ୍ଡ ଗୁଡିକ ତଳେ ପଡୁଥିବା ହେତୁ ଛାତ୍ରଛାତ୍ରୀ ମାନେ ନିଜକୁ ଅସୁରକ୍ଷିତ ମନେକରି ଅନ୍ୟ ଏକ ଶ୍ରେଣୀ ଗୃହରେ ବସି ଅଧ୍ୟୟନ କରୁଛନ୍ତି ଏବଂ ବିଦ୍ୟାଳୟ କାର୍ଯ୍ୟାଳୟ ମଧ୍ୟ ସମାନ ଅବସ୍ଥାରେ ରହିଛି। ଫଳରେ ପରିତ୍ୟକ୍ତ କୋଠାରେ କାମଚଳା ପାଇଁ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ କରାଯାଇଛି | ବିଦ୍ୟାଳୟର ଅବ୍ୟବସ୍ଥା ସମ୍ପର୍କରେ ପ୍ରଧାନ ଶିକ୍ଷକ ମୋହନ ମାଣ୍ଡାଙ୍ଗି ଅଧିକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇନାହିଁ କି ବିଦ୍ୟାଳୟର ମରାମତି ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିବା ସେ ପ୍ରକାଶ କରିଛନ୍ତି | ଉକ୍ତ ବିଦ୍ୟାଳୟରେ ଦୁଇଟି ଶ୍ରେଣୀ ଗୃହ ଏବଂ ଗୋଟିଏ କାର୍ଯ୍ୟାଳୟ ରହିଛି ହେଲେ ଛାତ ଉପରୁ କଂକ୍ରିଟ ଖଣ୍ଡ ଗୁଡାକ ଖସୁଥିବା ଯୋଗୁଁ ପାଠ ପଢାରେ ସର୍ବଦା ସମସ୍ୟା ସୃଷ୍ଟି ହୋଇଛି | ଯେଉଁଥିପାଇଁ ଅଭିଭାବକ ମାନେ ପିଲାଙ୍କୁ ବିଦ୍ୟାଳୟକୁ ପଠାଇବାକୁ ଅସୁରକ୍ଷିତ ମନେ କରିବାରୁ ପ୍ରଧାନ ଶିକ୍ଷକ ଅନ୍ୟ ଏକ ଶ୍ରେଣୀ ଗୃହରେ ଶିଶୁ ବାଟିକା ଠାରୁ ପଞ୍ଚମ ଶ୍ରେଣୀର ପିଲାଙ୍କୁ ବସାଇ ପାଠ ପଢ଼ାଇବାକୁ ବାଧ୍ୟ ହେଉଥିବା ସେ ପ୍ରକାଶ କରିଛନ୍ତି | ଉକ୍ତ ବିଦ୍ୟାଳୟର ଶ୍ରେଣୀ ଗୃହ ଯେପରି ଅବସ୍ଥାରେ ରହିଛି କେତେବେଳେ ଯେ କିଛି ଅଘଟଣ ଘଟିବ ତାହା କହିହେବ ନାହିଁ | ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲା ମାନଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିବା ସହ ବିଦ୍ୟାଳୟ ଗୁଡିକର ରୂପାନ୍ତରିତ କାର୍ଯ୍ୟ ମଧ୍ୟ କରାଯାଉ ଥିବା ବେଳେ ରାମପୁର ଗ୍ରାମର ଏହି ବିଦ୍ୟାଳୟ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି | ଏ ସମ୍ପର୍କରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପିତୃଦେବ ବିଡିକାଙ୍କୁ ଯୋଗାଯୋଗ କରି ତାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ବି ସମ୍ଭବ ହୋଇପାରିଲା ନ ଥିଲା | ତେଣୁ ଏକ ନୂତନ ବିଦ୍ୟାଳୟ ଶ୍ରେଣୀ ଗୃହ ନିର୍ମାଣ କରିବା ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅଭିଭାବକ ମାନେ ଦାବି କରିଛନ୍ତି |