ଲାଞ୍ଜିଗଡ଼ରେ ନୂଆଁ ଖାଇ ପର୍ବ ପାଳିତ

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ପଶ୍ଚିମ ଓଡିଶାରଏକ ଗଣପର୍ବ ହେଉଛି ନୂଆଁଖାଇ ପର୍ବ l ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଏହା ଭାଦ୍ରବ ମାସ ପଞ୍ଚମୀ ତିଥିରେ ପାଳିତ ହୋଇ ଯାଇଛି l କିନ୍ତୁ କଳାହାଣ୍ଡି ଜିଲ୍ଲାରେ ଏଥିରେ ସାମାନ୍ୟ ବ୍ୟତିକ୍ରମ ହୋଇଥାଏ l କଳାହାଣ୍ଡି କିଛି ଗ୍ରାମାଞ୍ଚଳରେ ପଞ୍ଚମୀ ତିଥିରେ ଏହା ପାଳନ କରାଯାଉଥିବା ବେଳେ ଭବାନୀ ପାଟଣା, ଲାଞ୍ଜିଗଡ଼, ମଦନପୁର ରାମପୁର, ଥୁଆମୂଳ ରାମପୁର, ଜୟପାଟଣା, ମହୁଲପାଟଣା, କର୍ଲାପାଟ ପ୍ରଭୃତି ଗଡ଼ଜାତ ଅଞ୍ଚଳରେ ଏହି ନୂଆଁଖାଇ ପର୍ବ ଭାଦ୍ର ମାସ ଶୁକ୍ଳ ଦଶମୀ ଦିନ ପାଳନ କରାଯାଇଥାଏ l ଏହି ଦିନ ନିଜ ନିଜ ଅଞ୍ଚଳର ଇଷ୍ଟଦେବଙ୍କୁ ପ୍ରଥମେ ନୂତନ ଶସ୍ୟର ଅନ୍ନ ସମର୍ପଣ କଲା ପରେ ସର୍ବସାଧାରଣ ଆଵାଳବୃଦ୍ଧବନିତା ନିଜର ଗୃହ ଦେବତାଙ୍କୁ ଅର୍ପଣ କରି ନୂତନ ବସ୍ତ୍ର ପରିଧାନ କରି ନବାନ୍ନ ଭକ୍ଷଣ କରିଥାନ୍ତି l ସେଇ ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ର ଇଷ୍ଟଦେବତl ଭୈରବ ଓ ମା ଠାକୁରାଣୀଙ୍କୁ ପ୍ରଥମେ ନବାନ୍ନ ସମର୍ପଣ କଲାପରେ ଲାଞ୍ଜିଗଡ଼ ଓ ଏହାର ନିକଟବର୍ତ୍ତୀ ଗ୍ରାମ ସବୁର ଜନସାଧାରଣ ନିଜ ନିଜ ଗୃହରେ ସପରିବାରେ ଏକ ସଙ୍ଗେ ବସି ନବାନ୍ନ ଭକ୍ଷଣ କରିଥିଲେ l ଯେଉଁମାନେ ବିଦେଶରେ କାର୍ଯ୍ୟରତ, ସେମାନେ ମଧ୍ୟ ନୂଆଁଖାଇ ଉପଲକ୍ଷେ ନିଜ ଗ୍ରାମ ତଥା ଗୃହକୁ ଫେରି ଆସିଥାନ୍ତି ଏବଂ ପରିବାର ସହିତ ମିଶି ନବାନ୍ନ ଭକ୍ଷଣ କରିଥାନ୍ତି l ସନ୍ଧ୍ୟାରେ ନୂଆଁଖାଇ ଭେଟଘାଟର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବହୁତ ଧୁମ ଧାମ ତଥା ଶାନ୍ତି ଶୃଙ୍ଖଳାର ସହିତ ଲାଞ୍ଜିଗଡ଼ ଅଞ୍ଚଳର ନୂଆଁଖାଇ ପର୍ବ ସମାପନ ହୋଇଥିଲା l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର
