ପାରଳା ଆଇଆଇସିଙ୍କ କାର୍ଯ୍ୟଦକ୍ଷତା : ୫ ଲକ୍ଷ ଲୁଟି ନେଇଥିବା ଲୁଟେରାକୁ ୪୦ ମିନିଟରେ ଗିରଫ କଲେ
ପାରଳାଖେମୁଣ୍ଡି:୩/୭(ଗରୁଡ଼ ଧ୍ଵଜ ଚୌଧୁରୀ) ପାରଳାଖେମୁଣ୍ଡି ଆଇଆଇସି ପ୍ରଶାନ୍ତ କୁମାର ଭୂପତିଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ସ୍ଥାନୀୟ ଷ୍ଟେଟବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଲୁଟେରାକୁ ୪୦ ମିନିଟରେ ଅତ୍ୟନ୍ତ ସଫଳତାର ସହ ଗିରଫ କରାଯାଇ ସମସ୍ତ ଟଙ୍କା ଉଦ୍ଧାର କରାଯାଇଥିବା ସୂଚନା ମିଳିଛି. ଆଇଆଇସି ଶ୍ରୀ ଭୂପତିଙ୍କ ଏଭଳି କାର୍ଯ୍ୟଦକ୍ଷତା ଯୋଗୁଁ ପାରଳା ସହରର ଜନ ସାଧାରଣଙ୍କ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି. ଗତକାଲି ଅପରାହ୍ନରେ ପାରଳାଖେମୁଣ୍ଡି ସହରର ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟଶାଖା ସମ୍ମୁଖରେ ଜଣେ ଗ୍ରାହକଙ୍କ ଠାରୁ ଦୁଇଜଣ ଦୁର୍ବୃତ୍ତ ୫ ଲକ୍ଷ ଟଙ୍କା ଲୁଟିନେଇ ଚମ୍ପଟ୍ ମାରିଥିଲେ | ଏହି ଘଟଣାର ମାତ୍ର ଅଳ୍ପ ସମୟ ୪୦ ମିନିଟ ମଧ୍ୟରେ ଉଭୟଙ୍କୁ ପୁଲିସ କାବୁ କରିବାରେ ସଫଳ ହୋଇଥିବା ସହ ଲୁଟ୍ ଟଙ୍କା ମଧ୍ୟ ଉଦ୍ଧାର ହୋଇଛି । ସାଇଲଢ଼ା ଗ୍ରାମର ଏମ୍. ସୂରିୟା ରାଓ ଘର ନିର୍ମାଣ କାମ ପାଇଁ ପାରଳାଖେମୁଣ୍ଡି ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟଶାଖାରୁ ୫ ଲକ୍ଷ ଟଙ୍କା ଉଠାଇ ବାଇକ୍ରେ ଘରକୁ ଫେରୁଥିଲେ। ଏତିକିବେଳେ ପୂର୍ବରୁ ବ୍ୟାଙ୍କ୍ ସମ୍ମୁଖରେ ଛକି ରହିଥିବା ଦୁର୍ବୃତ୍ତମାନେ ଯୋଜନାବଦ୍ଧ ଭାବେ କିଛି ଟଙ୍କା ତଳେ ପକାଇ ତାଙ୍କୁ ବିଭ୍ରାନ୍ତ କରିଥିଲେ। ସୂରିୟା ତଳେ ପଡ଼ିଥିବା ଟଙ୍କା ଉଠାଉଥିବା ବେଳେ ଦୁର୍ବୃତ୍ତମାନେ ବ୍ୟାଙ୍କରୁ ଉଠାଇଥିବା ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ନେଇ ଫେରାର ହୋଇ ଯାଇଥିଲେ। ଖବର ପାଇ ପାରଳାଖେମୁଣ୍ଡି ପୁଲିସ ତୁରନ୍ତ ସହରର ବିଭିନ୍ନ ପ୍ରବେଶ ଓ ପ୍ରସ୍ଥାନ ପଥରେ ନାକାବନ୍ଦୀ କରିଥିଲା। ବ୍ୟାପକ ତଲାସି ଅଭିଯାନ ଚଳାଇ ମାତ୍ର ୪୦ ମିନିଟ୍ ମଧ୍ୟରେ ଦୁଇଦୁର୍ବୃତ୍ତଙ୍କୁ କାବୁ କରିବା ସହ ଟଙ୍କ ଜବତ କରିଥିଲା । ପ୍ରାଥମିକ ତଦନ୍ତରୁ ଘଟଣାରେ ମୋଟ ଚାରିଜଣ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ତଦନ୍ତ ଚାଲୁ ରହି ଥିବାରୁ ପୋଲିସ ସେମାନଙ୍କ ନାମ ଓ ଠିକଣାକୁ ପ୍ରକାଶ କରିନାହାନ୍ତି. ଟଙ୍କା ଲୁଟ ହୋଇଥିବା ସାଇଲଡା ଗ୍ରାମର ଏମ ସୂରିୟା ରାଓ କହିଛନ୍ତି ଟଙ୍କା ଲୁଟ ପରେ ପାରଳା ଆଇଆଇସି ପ୍ରଶାନ୍ତ କୁମାର ଭୂପତିଙ୍କୁ ଘଟଣା ନେଇ ଜଣେଇବା ସମୟରେ ବ୍ୟସ୍ତ ହେବାର ନାହିଁ. ଲୁଟ ଟଙ୍କା ଅତି ଚଞ୍ଚଳ ଉଦ୍ଧାର ହେବ ବୋଲି ପାରଳା ଆଇଆଇସି ପ୍ରତିଶୃତି ଦେଇଥିଲେ. ସେହି ପ୍ରତିଶୃତି ଅନୁଯାୟୀ ଲୁଟେରାକୁ ମାତ୍ର ୪୦ ମିନିଟରେ ଗିରଫ କରି ୫ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଥିବାରୁ ପାରଳା ଆଇଆଇସିଙ୍କୁ ସୂରିୟା ରାଓ କୃତଜ୍ଞତା ଜଣାଇଛନ୍ତି. ଏହି ଖବର ପାରଳା ସହରରେ ପ୍ରଚାର ହେବା ପରେ ପାରଳା ଆଇଆଇସିଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପାରଳାବାସୀ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି. ଏହି ଲୁଟ ଘଟଣାରେ ପଡୋଶୀ ଆନ୍ଧ୍ରର ଏକ ରାକେଟ ସମ୍ପୃକ୍ତ ରହିଥିବା ସନ୍ଦେହ କରାଯାଉଛି. ପାରଳା ପୋଲିସର ସବିଶେଷ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ.
