May 18, 2024

ବୁଗୁଡ଼ାରେ ବିଜେଡିର ନିର୍ବାଚନୀ ମହାସଭା , ଭି.କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ଯୋଗଦାନ , ବିଜେଡି ଶିବିରରେ ଉତ୍ସାହ

Share


ବୁଗୁଡା : ତା ୦୩/୦୫/୨୪ : ସ୍ଥାନୀୟ ଶକ୍ତିନଗରସ୍ଥିତ ମୀନାବଜାର ପଡିଆରେ ବିଜେଡି ପକ୍ଷରୁ ଏକ ବିରାଟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଫାଇବ୍-ଟି ଏବଂ ଆମ ଓଡିଶା ନବୀନ ଓଡିଶା ଅଧ୍ଯକ୍ଷ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ଯୋଗ ଦେଇ ପୋଲସରା ବିଧାନସଭା ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଏବଂ ଆସ୍କା ଲୋକସଭା ପ୍ରାର୍ଥିନୀ ରଞ୍ଜିତା ସାହୁଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ନିବେଦନ କରିଥିଲେ । ଏଥି ସହ ପୋଲସରା ନିର୍ବାଚନ ମଣ୍ଡଳୀରେ ରହିଥିବା ବୁଗୁଡାର ବିରଞ୍ଚି ନାରାୟଣ ମନ୍ଦିର , ବୁଦ୍ଧଖୋଲ ଶୈବପୀଠ ଓ ଶାଙ୍କୁଳାଇ ମନ୍ଦିର , ପୋଲସରାର ମାର୍ଦା ମନ୍ଦିର ଓ ରୁମାଗଡର ଜଗନ୍ନାଥ ମନ୍ଦିରର ଉନ୍ନତିକରଣ ନିମନ୍ତେ କୋଟି କୋଟି ଟଙ୍କା ପ୍ରଦାନ ନବୀନ ସରକାରଙ୍କ ଅବଦାନ ବୋଲି ଦର୍ଶାଇ ଥିଲେ । ଏଥି ସହ ହ୍ଯାଟ୍ରିକ୍ ବିଜୟ ଲକ୍ଷ୍ୟରେ ଥିବା ଶ୍ରୀକାନ୍ତ ସାହୁ ଏବଂ ପ୍ରଥମ ଥର ପାଇଁ ଲୋକସଭାରେ ପାଦ ଥାପିବାକୁ ଆଶା ବାନ୍ଧିଥିବା ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁ ଉପସ୍ଥିତ ହଜାର ହଜାର ଲୋକଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ । ଆସନ୍ତା ମେ ୨୦ ତାରିଖ ଦିନ ଭୋଟ କେନ୍ଦ୍ରକୁ ଯାଇ ନିଜ ନିଜର ମୂଲ୍ୟବାନ ଭୋଟକୁ ଶଙ୍ଖ ଚିହ୍ନରେ ଟିପିବାକୁ ନିବେଦନ କରିଥିଲେ । ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ , ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ , ବ୍ଲକ ବିଜେଡି ସଭାପତି ଇ.ମଦନ ଗୋପାଳ ଦୋରା ଓ ଏନ୍ଏସି ସଭାପତି କେ.ତ୍ରିଲୋଚନ ଦୋରା ଏବଂ ଦଳୀୟ ଜନପ୍ରତିନିଧି ଓ କର୍ମକର୍ତ୍ତାଙ୍କ ସମେତ ପୋଲସରା ନିର୍ବାଚନ ମଣ୍ଡଳୀର ହଜାର ହଜାର ଲୋକଙ୍କ ଗହଳି ଚହଳି ମଧ୍ୟରେ ଫାଇଭ୍-ଟି ଅଧ୍ଯକ୍ଷଙ୍କ ନିର୍ବାଚନୀ ଗସ୍ତ ଓ ମହାସଭା କାର୍ଯ୍ୟକ୍ରମ ପୋଲିସର କଡା ସୁରକ୍ଷା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା ବେଳେ ବିଜେଡି ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇଥିଲା ।