March 11, 2026

ଗାଙ୍ଗପୁରରେ ଐତିହାସିକ ପର୍ବ ନଳଯାତ୍ରା

IMG-20250902-WA0059
Share

 

 

ବେଲଗୁଣ୍ଠା, ୦୨/୦୯, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁରରେ ଐତିହାସିକ କୃଷିଭିତ୍ତିକ ପର୍ବ ନଳ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ପ୍ରାଚୀନ ପରମ୍ପରା ମୁତାବକ ଆଜି ଜଙ୍ଗଲରୁ ବାରଫୁଟ ଉଚ୍ଚତାର ତିନୋଟି ବାଉଁଶ ଆଣି ସେଗୁଡ଼ିକୁ ଗ୍ରାମର ପୂଜା ମଣ୍ଡପରେ ଗଙ୍ଗାଜଳରେ ଶୋଧନ କରାଯିବା ସହିତ ନଳ ଗୁଡ଼ିକୁ ଗ୍ରାମର ଆରାଧ୍ୟା ମାଆ କନ୍ଧୁଣି ଦେବୀ, ମାଆ ରତ୍ନେଇ ଏବଂ ମାଆ କାଳୀଙ୍କ ପ୍ରତିନିଧି ରୂପରେ ରଙ୍ଗବେରଙ୍ଗ କପଡ଼ା ଏବଂ ଫୂଲରେ ସଜାଇ ଦିଆଯାଇଥିଲା I ଏହା ପରେ ସାରା ଗ୍ରାମରେ ଗଙ୍ଗାଜଳ ସିଞ୍ଚନ କରାଯାଇ ମଣ୍ଡପ ନିକଟରେ ହୋମକର୍ମ ଅନୁଷ୍ଠିତ ହୋଇଥିଲା I ଗ୍ରାମର ଦେବ ଗୌଡ଼ଙ୍କ ଘରୁ ଦେବୀଙ୍କୁ ଆବାହନ କରାଯାଇଥିଲା I ବିଶ୍ୱାସ ଅଛି ପ୍ରାଚୀନ ସମୟରୁ ଗ୍ରାମର ଦେବ ଗୌଡ଼ଙ୍କ ଘରେ ଏକ ଦଣ୍ଡରେ ଦେବୀ ଅବସ୍ଥାନ କରି ଆସୁଛନ୍ତି I ଆବାହନ ସମୟରେ ଏହି ଦଣ୍ଡଟି ଆପେ ଆପେ ପୂଜକ ହାତକୁ ଡ଼େଇଁ ଚାଲିଆସେ I ଆଜି ମଧ୍ଯ ସେହି ପ୍ରଥା ଅନୁସାରେ ଦେବୀଙ୍କୁ ଆବାହନ କରାଯାଇଥିଲା I ଏହାପରେ ସକାଳୁ ଲଟେରୀ ମାଧ୍ୟମରେ ମନୋନୀତ ହୋଇଥିବା ଗ୍ରାମର ମିଥୁନ ବିଷୋୟୀ ରତ୍ନେଇ ଦେବୀ ନଳ, ଶିବରାମ ପ୍ରଧାନ କନ୍ଧୁଣି ଦେବୀ ନଳ ଏବଂ ଖଇରପୁଟି ମାଧବ ବିଷୋୟୀ କାଳିକା ଦେବୀ ନଳ ଧାରଣ କରି ଜଙ୍ଗଲରେ ଥିବା ମାଆ ରତ୍ନେଇ ଏବଂ ମାଆ କନ୍ଧୁଣି ଦେବୀ ପୀଠ ଅଭିମୁଖେ ଯାତ୍ରା କରିଥିଲେ I ସେଠାରେ ବିଧିମୁତାବକ ପୂଜା ସରିବା ପରେ ତିନି ଦେବୀ ପାରମ୍ପରିକ ବାଦ୍ୟ ବାଜଣାରେ ନାଚି ନାଚି ଗାଆଁକୁ ଫେରି ପ୍ରତି ଘର ସମ୍ମୁଖରେ ଭୋଗ ଗ୍ରହଣ କରିଥିଲେ I ହୁଳହୁଳି,ହରିବୋଲ ଧ୍ୱନିରେ ଗ୍ରାମ ପ୍ରକମ୍ପିତ ହୋଇଥିଲା I ଏହି ଅବସରରେ ଗ୍ରାମର କୃଷି,ପଶୁ ସମ୍ପଦ ଏବଂ ଜନ ସାଧାରଣଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଦେବୀଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା I ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଗ୍ରାମବାସୀ ଏହି ଉତ୍ସବରେ ଅଂଶ୍ରଗହଣ କରିଥିଲେ I ଏହା ସହ ଆଖପାଖ ଗ୍ରାମରୁ ହଜାର ହଜାର ଲୋକ ଏହି ପର୍ବରେ ସାମିଲ୍ ହୋଇଥିଲେ I ଉତ୍ସବର କର୍ତ୍ତା ରୂପେ ସନ୍ତୋଷ କୁମାର ବିଷୋୟୀ ( ଜୟ ଜଗନ୍ନାଥ )ଏବଂ ପୁରୋହିତ ଭାବେ ହରିହର ତ୍ରୀପାଠି,ପୀତବାସ ପୁରୋହିତ କାର୍ଯ୍ୟ ତୁଲାଇଥିଲେ I କାର୍ଯ୍ୟକ୍ରମରେ ଗ୍ରାମର ବାରିକ, ଜାନୀ, ଶିବ ମନ୍ଦିର ପୂଜକ, ଗ୍ରାମ୍ୟ ପରିଚାଳନା କମିଟି,ଶିଶୁ ସଂକୀର୍ତ୍ତନ ମଣ୍ଡଳୀ, ଯୁବକ ସଂଘ ସହଯୋଗ କରିଥିବା ବେଳେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ୱରେ ଗାଙ୍ଗପୁର ଥାନ ପୋଲିସ୍ ବାହିନୀ ଶୃଙ୍ଖଳା ଋକ୍ଷ କରିଥିଲେ I

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ