October 2, 2026

ଗଜପତି:- ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ସମେତ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଏବଂ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

IMG-20261001-WA0068
Share

 

ବରିଷ୍ଠ ନାଗରିକଙ୍କ ଅଧିକାର, ସୁରକ୍ଷା, ସମ୍ମାନ ଓ କଲ୍ୟାଣ ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଗଜପତି ଜିଲ୍ଲାର ଆଦିବାସୀ ବହୁଳ ରାୟଗଡ଼ ସ୍ଥିତ ବ୍ଲକ୍ କନଫରେନ୍ସ ହଲ ଠାରେ ରାୟଗଡ ବ୍ଲକ ପ୍ରଶାସନର ମିଳିତ ଅନୁକୂଲ୍ୟରେ ୧ ଅକ୍ଟୋବର ୨୦୨୬ ତାରିଖରେ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଜପତିର ସଚିବ ଶ୍ରୀ ବିମଳ ରାଉଳ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ଆଇନଗତ ଅଧିକାର, ସେମାନଙ୍କ ସୁରକ୍ଷା ଓ ସମ୍ମାନଜନକ ଜୀବନଯାପନ ପାଇଁ ଉପଲବ୍ଧ ଆଇନଗତ ସହାୟତା ଏବଂ ବିଭିନ୍ନ ସରକାରୀ ସୁବିଧା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ।

ଏହି ଅବସରରେ ରାୟଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ, ରାୟଗଡ଼ା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଜ୍ୟୋତି ପ୍ରସାଦ ପାଣି, ମାର୍ଲବା ପଞ୍ଚାୟତର ସରପଞ୍ଚ, ଜଲାଙ୍ଗ ପଞ୍ଚାୟତର ସରପଞ୍ଚ ଏବଂ ରାୟଗଡ଼ ବ୍ଲକର ଭାରପ୍ରାପ୍ତ ବିଏସ୍‌ଏସ୍‌ଓ ଶ୍ରୀ ରିଙ୍କୁ ମହାରଣା ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ଅଧିକାର, କଲ୍ୟାଣ, ସୁରକ୍ଷା ଓ ସାମାଜିକ ସମ୍ମାନ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ଶିବିରରେ ଅନେକ ବରିଷ୍ଠ ନାଗରିକ ଯୋଗଦେଇ ଚିକିତ୍ସା ସେବା ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶର ସୁବିଧା ଗ୍ରହଣ କରିଥିଲେ।

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସର ମହତ୍ତ୍ୱ ଏବଂ ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ ଓ ସମ୍ବେଦନଶୀଳତାର ଭାବନା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାୟଗଡ଼ ବ୍ଲକସ୍ତରୀୟ ରଚନା ଓ ବିତର୍କ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ରାୟଗଡ଼ ବ୍ଲକ ଅଧୀନ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ସ୍ମାରକ ସମ୍ମାନ ପ୍ରଦାନ କରା ଯାଇଥିଲା।

ଏହି ଅବସରରେ ପରିବେଶ ସୁରକ୍ଷା ଓ ସବୁଜ ପରିବେଶର ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ ରାୟଗଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କାର୍ଯ୍ୟକ୍ରମ ମଧ୍ୟ କରା ଯାଇଥିଲା। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସକ୍ରିୟ ଭାବେ ସାମିଲ ହୋଇ ପରିବେଶ ସୁରକ୍ଷାର ବାର୍ତ୍ତାକୁ ଆଗେଇ ନେଇଥିଲେ।

ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ, ସେମାନଙ୍କ ଅଧିକାରର ସୁରକ୍ଷା, ସ୍ୱାସ୍ଥ୍ୟ ଯତ୍ନ ଓ ସାମାଜିକ ସୁରକ୍ଷା ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ ଓ ପରିବେଶ ସଚେତନତା ସୃଷ୍ଟି କରିବାରେ ଏହି କାର୍ଯ୍ୟକ୍ରମ ବେଶ୍ ସହାୟକ ତଥା ଫଳପ୍ରଦ ହୋଇଥିଲା।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————

You may have missed