ଲାଞ୍ଜିଗଡ଼ର ଇଷ୍ଟ ଦେବତା ଅଗ୍ନିଭୈରବ ଓ ବାଲିଭୈରବଙ୍କ ପ୍ରସିଦ୍ଧ ଝାମୁଯାତ୍ରା ସମ୍ପନ୍ନ ହେଲା

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ଲାଞ୍ଜିଗଡ଼ର ଇଷ୍ଟ ଦେବତା ଭୈରବଙ୍କର ଝାମୁଯାତ୍ରା ବୁଧବାର ଦିନ ମହା ସମାରୋହରେ ସମ୍ପନ୍ନ ହୋଇଯାଇଛି l ଏହି ଆଧ୍ୟାତ୍ମିକ ଓ ପାରମ୍ପରିକ ଯାତ୍ରାରେ ଦଶ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l
ପରମ୍ପରା ଅନୁଯାୟୀ ଲାଞ୍ଜିଗଡ଼ରେ ଭାଦ୍ର ଶୁକ୍ଳ ଦଶମୀ ନୂଆଖାଇ ପର୍ବ ପାଳିତ ହେବା ପରେ ଟ୍ରୟୋଦଶୀ ତିଥିରେ ଭୈରବ ମନ୍ଦିରରୁ ଭୈରବ ଦେବଙ୍କ ଖଣ୍ଡା ବାହାର କରାଯାଇ ସ୍ଥାନୀୟ ରାଜଉଆସକୁ ନିଆଯାଇଥାଏ l ସେଠାରେ ପୂଜାର୍ଚ୍ଚନା ପରେ ଅଗ୍ନି ଭୈରବଙ୍କ ଗୋଟିଏ, ବାଲି ଭୈରବଙ୍କ ଗୋଟିଏ ଏବଂ ବୁଢ଼ା ଭୈରବଙ୍କ ଦୁଇଟି ଖଣ୍ଡାକୁ ବାଲି ଘରକୁ ନିଆଯାଏ l
ସେହିଦିନ ପୂଜକମାନେ ସ୍ଥାନୀୟ ଶୁକଲି ନାଳରୁ ନ’ ଟି ଚାଙ୍ଗୁଡ଼ିରେ ବାଲି ଆଣିବା ସହ ଶ୍ରଦ୍ଧାଳୁଙ୍କ ଘରୁ ନ ‘ ପ୍ରକାର ଶସ୍ୟ ସଂଗ୍ରହ କରି ବାଲି ଘରେ ରଖି ପୂଜାର୍ଚ୍ଚନା କରିଥାନ୍ତି l ଅଶ୍ୱପଞ୍ଚମୀ ତିଥିରେ ତିନି ଭୈରବଙ୍କ ପ୍ରତୀକ ବାଲିଘରୁ ମୁଖ୍ୟ ମନ୍ଦିରକୁ ଅଣାଯାଇ ଆଜ୍ଞାମାଳ ନିଆଯାଏ l ପରେ ନିଆଁର ଖନ୍ଦାକୁ ତିନିଥର ପ୍ରଦକ୍ଷିଣ କରି ଠାକୁରାଣୀ ମନ୍ଦିରକୁ ଯାଇ ଦେବୀଙ୍କୁ ଆମନ୍ତ୍ରଣ କରାଯାଇଥାଏ l ଯାତ୍ରା ସମୟରେ ଚାରୋଟି କଟା କଦଳୀ ଗଛକୁ ଧଳା ବସ୍ତ୍ର ଢାଙ୍କି ଗଉରୀଘର ପ୍ରସ୍ତୁତ କରାଯାଇ ବଡ଼ଭୋଗ ( ପାରାବଳି ) ଦିଆଯାଇଥିଲା l ଏହାପରେ ଅଗ୍ନି ଭୈରବ ଓ ବାଲି ଭୈରବଙ୍କ କାଳେସୀ ଡହ ଡହ ରଡ଼ ନିଆଁ ଉପରେ ଚାଲିବାର ଅଲୌକିକ ଦୃଶ୍ୟ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆସ୍ଥା ଭରିଦେଇଥିଲା l ଏହି ସମୟରେ ଶ୍ରଦ୍ଧାଳୁଙ୍କ ହର୍ଷଧ୍ଵନି ସହ ଡମ୍ ବାଜା ଓ ଘୁମୁରା ବାଦ୍ୟର ଶବ୍ଦରେ ଚତୁର୍ଦ୍ଦିଗ ନିନାଦିତ ହୋଇଯାଇଥିଲା l ଯାତ୍ରା ଶେଷରେ ମାନସିକଧାରୀମାନେ ଶହ ଶହ ସଂଖ୍ୟାରେ କୁକୁଡ଼ା, ପାରା, ବତକ ଓ ଛେଳି ବଳି ଦେଇଥିଲେ l ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଲାଞ୍ଜିଗଡ଼ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା l ଲାଞ୍ଜିଗଡ଼ ଝାମୁଯାତ୍ରାର ପୂର୍ବ ଦିନ ଅର୍ଥାତ ମଙ୍ଗଳବାର ଦିନ ଲାଞ୍ଜିଗଡ଼ ନିକଟସ୍ଥ ବଳଭଦ୍ରପୁରରେ ମଧ୍ୟ ଝାମୁଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନାଙ୍କ ରିପୋର୍ଟ
ନିୟୁଜ ଉପାନ୍ତ ଖବର
