୧୩ ବର୍ଷରେ ପୁସ୍ତକ ରଚନା, ରାଷ୍ଟ୍ରୀୟ ପ୍ରତିଭା ସମ୍ମାନ ପାଇଲେ ସମ୍ବଲପୁରର ଯୋଗେଶ୍ୱରୀ

‘ମାଁ-ପିତା: ଭଗବାନ କା ସବସେ ସୁନ୍ଦର ରୂପ’ ପୁସ୍ତକ ରଚନା କରି ଚର୍ଚ୍ଚାରେ ଅଷ୍ଟମ ଶ୍ରେଣୀର ଛାତ୍ରୀ
ସମ୍ବଲପୁର, ୧/୧୦:
ବୟସ ମାତ୍ର ୧୩ ବର୍ଷ। ହାତରେ ଖେଳନା ବଦଳରେ କଲମ ଧରି ସେ ଲେଖିଛନ୍ତି ପୁସ୍ତକ। ନିଜ ଚିନ୍ତା, ଅନୁଭବ ଓ ପରିବାର ପ୍ରତି ଭାବନାକୁ ଶବ୍ଦର ରୂପ ଦେଇ ଅଷ୍ଟମ ଶ୍ରେଣୀରେ ହିଁ ଲେଖିକା ଭାବେ ପରିଚୟ ସୃଷ୍ଟି କରିଛନ୍ତି ସମ୍ବଲପୁରର ଛାତ୍ରୀ ଡି. ଯୋଗେଶ୍ୱରୀ ମୌଡଲିୟର। ତାଙ୍କ ଏହି ସୃଜନଶୀଳ ପ୍ରତିଭା ପାଇଁ ସେ ‘ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ’ ପାଇ ରାଷ୍ଟ୍ରୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି।
ସମ୍ବଲପୁର ବାଳିକା ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ଯୋଗେଶ୍ୱରୀ ‘ମାଁ-ପିତା: ଭଗବାନ କା ସବସେ ସୁନ୍ଦର ରୂପ’ ଶୀର୍ଷକରେ ଏକ ପୁସ୍ତକ ରଚନା କରିଛନ୍ତି। ପରିବାର, ମାତାପିତାଙ୍କ ମହତ୍ତ୍ୱ ଓ ପାରିବାରିକ ମୂଲ୍ୟବୋଧକୁ ନେଇ ତାଙ୍କର ଚିନ୍ତନଶୀଳ ଅଭିବ୍ୟକ୍ତି ପାଠକଙ୍କ ଦୃଷ୍ଟି ଆକର୍ଷଣ କରିଛି।ତାଙ୍କର ଏହି ଅସାଧାରଣ ସୃଜନଶୀଳ ପ୍ରୟାସ ପାଇଁ Worthy Wellness Foundation Trust ପକ୍ଷରୁ ‘ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ’ ପ୍ରଦାନ କରାଯାଇଛି। ୧୬ ସେପ୍ଟେମ୍ବର ୨୦୨୬ରେ ଜାରି ହୋଇଥିବା ପ୍ରମାଣପତ୍ରରେ ଯୋଗେଶ୍ୱରୀଙ୍କ ପରିବାର ମୂଲ୍ୟବୋଧକୁ ନେଇ ଚିନ୍ତନଶୀଳ ଲେଖନୀର ପ୍ରଶଂସା କରାଯାଇଛି।କମ୍ ବୟସରେ ପୁସ୍ତକ ରଚନା କରି ଲେଖିକା ଭାବେ ନିଜର ପରିଚୟ ଗଢ଼ି ତୋଳିଥିବା ଯୋଗେଶ୍ୱରୀଙ୍କ ଏହି ସଫଳତା ସମ୍ବଲପୁର ସମେତ ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ। ପାଠପଢ଼ା ସହିତ ସାହିତ୍ୟ ଓ ସୃଜନଶୀଳ ଲେଖନୀ ପ୍ରତି ତାଙ୍କର ଆଗ୍ରହ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ପାଲଟିଛି।
ଯୋଗେଶ୍ୱରୀଙ୍କ ଏହି ସଫଳତା ପଛରେ ତାଙ୍କ ପରିବାର, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଶୁଭେଚ୍ଛୁମାନଙ୍କ ପ୍ରୋତ୍ସାହନ ରହିଥିବା ବେଳେ ଆଗାମୀ ଦିନରେ ସେ ସାହିତ୍ୟ କ୍ଷେତ୍ରରେ ଆହୁରି ଆଗକୁ ବଢ଼ନ୍ତୁ ବୋଲି ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।
