ଯିଏ ଲୋକଙ୍କୁ ଭଲ ବୋକା ବନାଇପାରିବ, ସେ ଭଲ ନେତା ହୋଇପାରିବ: ଗଡକରୀ
ନାଗପୁର,୦୧/୦୯: ନିଜର ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ରାଜନୀତିକୁ ନେଇ ଦେଇଥିବା ସଦ୍ୟ ବୟାନ ଆଲୋଚନାର ବିଷୟ ହୋଇଛି । ସେ କହିଛନ୍ତି ଯିଏ ଲୋକମାନଙ୍କୁ ଯେତେ ବୋକା ବନାଇପାରିବ ସେ ସବୁଠାରୁ ଭଲ ନେତା ହୋଇପାରିବ ।
ନାଗପୁରରେ ଆୟୋଜିତ ଅଖିଳ ଭାରତୀୟ ମହାନୁଭବ ପରିଷଦରେ ଉଦ୍ବୋଧନ ଦେଇ ଗଡକରୀ କହିଛନ୍ତି ଯେ ବର୍ତ୍ତମାନ ସାଧାରଣ ଜୀବନରେ ସାଧୁତା ଓ ସଚ୍ଚୋଟତା ଏକ ଚାଲେଞ୍ଜ ହୋଇଛି । କହିବାଟା ବହୁତ ସହଜ, କିନ୍ତୁ କରିବା ବହୁତ କଷ୍ଟ । ସେ ଜଣେ ଅଧିକାରୀ ନୁହନ୍ତି, କିନ୍ତୁ ତାଙ୍କର ଏ କ୍ଷେତ୍ରରେ ବହୁତ ଅଭିଜ୍ଞତା ରହିଛି । ରାଜନୀତିରେ ସତ କହିବା ମନା । କିନ୍ତୁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏବଂ ଭଗବତ ଗୀତାରେ ଲେଖା ଅଛି ଯେ ଶେଷରେ ସତ୍ୟର ହିଁ ବିଜୟ ଘଟେ । କିଛି ଜିନିଷ ପାଇବା ଲାଗି ସର୍ଟକଟ ରାସ୍ତା ଅଛି । ସର୍ଟକଟ୍ ରାସ୍ତାରେ ଗଲେ ଜଣେ ବ୍ୟକ୍ତି ଶୀଘ୍ର ପହଞ୍ଚିଥାଏ । ଜଣେ ଦାର୍ଶନିକ କହିଥିଲେ ସର୍ଟକଟ୍ ହେଉଛି କଟ୍ ୟୁ ସର୍ଟ । ସେଥିପାଇଁ ସାଧୁତା, ବିଶ୍ୱସନୀୟତା, ସମର୍ପିତ ଭାବ ଏବଂ ସତ୍ୟ ଆଦିର ମୂଲ୍ୟ ସମାଜ ପାଇଁ ଯଥେଷ୍ଟ ମହତ୍ତ୍ୱପୂର୍ଣ୍ଣ ବୋଲି ଗଡକରୀ କହିଛନ୍ତି ।
