August 2, 2026

ସାପ୍ତାହିକ ‘ସ୍ୱୀକାର’ ପକ୍ଷରୁ ରାଜ୍ୟସ୍ତରୀୟ ସମ୍ପର୍ଦ୍ଦା କଳାକାର ସମ୍ମିଳନୀ ଲୋକକଳା ବଞ୍ଚିଲେ, ଆମେ ବଞ୍ଚିବା: କୁଳପତି 

IMG-20260801-WA0066
Share

 

ସମ୍ବଲପୁର ତା ୦୧/୦୮: ଲୋକକଳା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଗୋଟିଏ ଅଞ୍ଚଳର ଇତିହାସ, ପରମ୍ପରା, ଜୀବନଦର୍ଶନ, ଭାଷା ଓ ସଂସ୍କୃତିର ଜୀବନ୍ତ ପ୍ରତିଛବି। ଆଧୁନିକତାର ପ୍ରଭାବରେ ଅନେକ ଲୋକକଳା ବିଲୁପ୍ତି ଆଡ଼କୁ ମୁହାଁଉଥିବା ବେଳେ ସେଗୁଡ଼ିକର ସଂରକ୍ଷଣ ଓ ପ୍ରୋତ୍ସାହନ ସମୟର ଆହ୍ୱାନ ପାଲଟିଛି। ଲୋକ କଳା ବଞ୍ଚିଲେ ଆମ ସଂସ୍କୃତି ବଞ୍ଚବ ଏବଂ ସଂସ୍କୃତି ବଞ୍ଚଲେ ଆମେ ବଞ୍ଚିବା। ତେଣୁ ଏହା ଭବିଷ୍ୟତ ପୀଢ଼ି ପାଖରେ ଯେପରି ପହଞ୍ଚିବ,ସେ ଦିଗରେ ସର୍ବତୋ ଉଦ୍ୟମ ହେବା ଆବଶ୍ୟକତା ରହିଛି। ଆଜି ‘ସାପ୍ତାହିକ ‘ସ୍ୱୀକାର’ ପକ୍ଷରୁ ସମ୍ବଲପୁରର ତପସ୍ୱିନୀ ପ୍ରେକ୍ଷାଳୟରେ ଆୟୋଜିତ ରାଜ୍ୟସ୍ତରୀୟ ସଂପର୍ଦ୍ଦା କଳାକାର ସମାବେଶରେ ଉଦ୍‌ବୋଧନ ଦେଇ ବିଶିଷ୍ଟ ବ୍ୟକ୍ତିମାନେ ଏହି ମତ ଦେଇଛନ୍ତି।

 

ବିଶିଷ୍ଟ ଶିକ୍ଷାବିତ ଅରବିନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶର ଉଦ୍‌ଘାଟନୀ ଉତ୍ସବରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପରମ୍ପରାର ଅନନ୍ୟ ପରିଚୟ ବହନ କରୁଥିବା ସମ୍ପର୍ଦା କଳା ସଙ୍ଗୀତ, ଅଭିନୟ ଓ କାହାଣୀ ମାଧ୍ୟମରେ ସମାଜରେ ନୈତିକ ମୂଲ୍ୟବୋଧ, ସାମାଜିକ ସଚେତନତା ଏବଂ ଲୋକସଂସ୍କୃତିର ପ୍ରଚାର କରିଆସୁଛି। ଏହି କଳା ଆମ ସାଂସ୍କୃତିକ ଅସ୍ମିତାର ପ୍ରତୀକ। ତେଣୁ ଏହାର ସୁରକ୍ଷା ହେଲେ ଆଗାମୀ ପୀଢ଼ି ନିଜର ମାଟି, ଭାଷା ଓ ପରମ୍ପରା ସହ ଯୋଡ଼ି ହୋଇ ରହିପାରିବ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା, ବିଶିଷ୍ଟ ସଂସ୍କୃତି ଗବେଷକ ଡକ୍ଟର ଶ୍ୟାମ ସୁନ୍ଦର ଧର ଓ ସୁରେନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଲୋକ କଳାର ମାନ ବର୍ତ୍ତମାନ ହ୍ରାସ ପାଉଥିବାରୁ ଉଦ୍‌ବେଗ ପ୍ରକାଶ କରି ଏହାର ଯେପରି ମୌଳିକତା ଅକ୍ଷୂର୍ଣ୍ଣ ରହିବ ସେ ଦିଗରେ କଳାକାରମାନେ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ। ଯୁବ କଣ୍ଠଶିଳ୍ପୀ ତଥା ସାହିତ୍ୟିକ ମାନସ କୁମାର ଷଡ଼ଙ୍ଗୀଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ‘ସ୍ୱୀକାର’ର ସଂପାଦକ ହେମନ୍ତ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ଯୁବ କବି ତଥା ସମାଜସେବୀ ତନ୍ମୟ ବାରିକ ଓ ଚିରଞ୍ଜିବୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

ଏହି ଅବସରରେ ଲୋକପ୍ରିୟ ‘ଛି ଛି ଛି ରେ ନନୀ ଛି’ଗୀତର ଅଭିନେତା ବିଭୂତି ଭୂଷଣ ବିଶ୍ୱାଳ ଏବଂ ଗତ ମ୍ୟାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ୍ ହାସଲ କରିଥିବା ଏବଂ ଜିଲ୍ଲାରେ ଟପ୍ପର ହୋଇଥିବା ଧନୁପାଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ବିଶ୍ୱପ୍ରସାଦ ବଳ, ଛାତ୍ରୀ ଲିଜା ପାତ୍ର, ସ୍ଥିତପ୍ରଜ୍ଞା ଧର, ଟ୍ୱିଙ୍କିଲ ନାୟକ ଓ ଶୁଭଶ୍ରୀ ନାୟକ, ଗିରିପାଲି ହାଇସ୍କୁଲର ଛାତ୍ରୀ ସୁଭଦ୍ରା ବେହେରା ପ୍ରମୁଖଙ୍କୁ ‘ସ୍ୱୀକାର’ ପକ୍ଷରୁ ସମ୍ମାନିତ କରାଯାଇଥିଲା।

 

ଏହି ସମାବେଶରେ ଯୋଗ ଦେଇଥିବା ଝାରସୁଗୁଡ଼ା ଜିଲ୍ଲା ବଡ଼ଧରା ଗାଁର ସଂପ୍ର୍ରଦା, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସବ୍‌?ଡିଭିଜନ୍ ଚେରେଙ୍ଗାମାଲ, ଚକୁଲି ଏବଂ ଭୋଇଡେରା ଦଳ ସଂପ୍ରଦା ପରିବେଷଣ କରିଥିଲେ। ସେହିପରି ବରଗଡ଼ ଜିଲ୍ଲାର ବିଶିଷ୍ଟ ସଂଚାର କଳାକାର ଅଚ୍ୟୁତ ବେହେରା ଏବଂ ତାଙ୍କ ସହଯୋଗୀ ବିରଞ୍ଚି ପ୍ରଧାନ ଓ ଘନଶ୍ୟାମ ସେଠ୍‌, ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ବାଘମୁଣ୍ଡା ଗ୍ରାମର ପଞ୍ଚୁ ବିଶ୍ୱାଳ ତାଙ୍କ ସହଯୋଗୀ ଭକ୍ତରାମ ଶାମରଥ, ଅଞ୍ଜନା ମାଝୀ ଓ ସଞ୍ଜନା କିଷାନ, ବରଗଡ଼ ଜିଲ୍ଲାର ଯୁବ ସଂଚାର ଗାୟକ ଶରତ ଗହୀର ଏବଂ ତାଙ୍କ ସହଯୋଗୀ ଦେବରାଜ ସେଠ୍ ଓ ଗୁଲାବ ପ୍ରଧାନ ପ୍ରମୁଖ ସଂଚାର ପରିବେଷଣ କରିଥିଲେ।

 

ପ୍ରଫେସର ସେବକ ତ୍ରିପାଠୀ, ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ ମିତ୍ର, ଡକ୍ଟର ଗିରିଧାରୀ ହୋତା, ଜଗଦାନନ୍ଦ ବେହେରା ପ୍ରମୁଖ କଳାକାରମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରି ସମ୍ମାନିତ କରିଥିଲେ। ଉତ୍ସବରେ ପ୍ରଫେସର କାମଦେବ ସାହୁ, ଅବସରପ୍ରାପ୍ତ ଶିକ୍ଷାମଣ୍ଡଳାଧିଶ ଡକ୍ଟର ପ୍ରମୋଦ କୁମାର ପଣ୍ଡା, ଡାକ୍ତର ପୁରୁଷୋତ୍ତମ ଅଗ୍ରୱାଲ, ସଂଗୀତ ନିର୍ଦ୍ଦେଶକ ମୋତିଲାଲ ଦୋରା, ପ୍ରଦ୍ୟୋତ କୁମାର ମିଶ୍ର, ବେଣୁଧର ତ୍ରିପାଠୀ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଓ କଳାପ୍ରେମୀ ଯୋଗ ଦେଇଥିଲେ।