November 2, 2026

ଉମରକୋଟରେ ଗୋଣ୍ଡୱାନା ସମାଜର ନୂଆଖାଇ ଭେଟଘାଟ, ଯୋଗଦେଲେ ଉପବାଚସ୍ପତି ଓ ଗଣଶିକ୍ଷା ମନ୍ତ୍ରୀ

IMG-20261102-WA0096
Share

 

 

ଆଦିବାସୀ ସଂସ୍କୃତି ଭବନ ନିର୍ମାଣ ପାଇଁ ସରକାରଙ୍କ ପଦକ୍ଷେପ; ରାଜ୍ୟରେ ୧୨୧ଟି ବ୍ଲକ ରେ ଆଦିବାସୀ ସଂସ୍କୃତି ଭବନ ସହ ରାଇଘରରେ ଏକ କୋଟି ଟଙ୍କା ବ୍ୟୟରେ ଗୋଣ୍ଡୱାନା ସମାଜ ଭବନ ନିର୍ମାଣ ଯୋଜନା

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଆଦିବାସୀ ସମାଜର ପରମ୍ପରା, ସଂସ୍କୃତି ଓ ଭାଇଚାରାର ନିଦର୍ଶନ ସାଜିଛି ଗୋଣ୍ଡୱାନା ସମାଜର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ। ଏହି ଅବସରରେ ଆଜି ଉମରକୋଟ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଆୟୋଜିତ ଭବ୍ୟ ସମାରୋହରେ ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇଥିଲେ।

 

ଅପରାହ୍ନରେ ଉଭୟ ଅତିଥି ହେଲିକପ୍ଟର ଯୋଗେ ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ପହଞ୍ଚିବା ପରେ ଗୋଣ୍ଡୱାନା ସମାଜର ପାରମ୍ପରିକ ନୃତ୍ୟ, ଗୀତ ଓ ବାଦ୍ୟର ତାଳେ ତାଳେ କଳାକାରମାନେ ସେମାନଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ଝରିଗାଁ ବିଧାୟକ ନରସିଂହ ଭତରା, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀଙ୍କ ସମେତ ସ୍ଥାନୀୟ ବିଜେପି କର୍ମକର୍ତ୍ତାମାନେ ଉପସ୍ଥିତ ରହି ଅତିଥିମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଉଭୟ ଅତିଥି ସିଧାସଳଖ ସଭାମଞ୍ଚରେ ପହଞ୍ଚି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

 

ସଭାରେ ଉଦ୍‌ବୋଧନ ଦେଇ ଉପବାଚସ୍ପତି ଶ୍ରୀ ଭୋଇ ଗୋଣ୍ଡୱାନା ସମାଜର ଲୋକଙ୍କୁ ନୂଆଖାଇ ଭେଟଘାଟର ଶୁଭେଚ୍ଛା ଜଣାଇବା ସହ ଆଦିବାସୀ ସମାଜର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ହାତକୁ ନେଇଥିବା କହିଥିଲେ। ଆଦିବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସଂସ୍କୃତିର ବିକାଶ ସହ ରାଜ୍ୟର ସାମଗ୍ରିକ ପ୍ରଗତି ଦିଗରେ ସରକାର ଗୁରୁତ୍ୱ ଦେଉଥିବା ସେ ପ୍ରକାଶ କରିଥିଲେ। ଏଥିସହ ସ୍ଥାନୀୟ ମନ୍ତ୍ରୀ ଓ ସାଂସଦଙ୍କ ପକ୍ଷରୁ ଗୋଣ୍ଡୱାନା ସମାଜର ଉନ୍ନତି ପାଇଁ ନିରନ୍ତର ପ୍ରୟାସ ଜାରି ରହିଥିବା ସେ ଉଲ୍ଲେଖ କରିଥିଲେ।

 

ସେହିପରି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜ ଅଭିଭାଷଣରେ ଆଦିବାସୀ ସମାଜର ସାମାଜିକ ଓ ସାଂସ୍କୃତିକ ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକ ସମେତ ରାଜ୍ୟର ମୋଟ ୧୨୧ଟି ବ୍ଲକରେ ଆଦିବାସୀ ସଂସ୍କୃତି ଭବନ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିବା ସେ କହିଥିଲେ। ବିଶେଷ କରି ରାଇଘର ବ୍ଲକରେ ଗୋଣ୍ଡୱାନା ସମାଜର ଭବନ ନିର୍ମାଣ ପାଇଁ ଏକ ଏକର ଜମି ଚିହ୍ନଟ କରାଯାଇଛି। ସେଠାରେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ଏକ ଭବ୍ୟ ସମାଜ ଭବନ ନିର୍ମାଣ କରିବାକୁ ଖୁବ୍‌ଶୀଘ୍ର ଯୋଜନା ରହିଥିବା ସେ ସୂଚନା ଦେଇଥିଲେ।

 

ଶିକ୍ଷାର ବିକାଶକୁ ଗୁରୁତ୍ୱ ଦେଇ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଶିକ୍ଷକ ନିଯୁକ୍ତି ଓ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ବିଭାଗର ୨୦୬୭ଟି ଶିକ୍ଷକ ପଦବୀ ପୂରଣ କରିବା ସହ ନିଯୁକ୍ତିପତ୍ର ବଣ୍ଟନ କରିଥିବା ସେ ପ୍ରକାଶ କରିଥିଲେ। ଏଥିସହ ଗୋଦାବରୀଶ ବିଦ୍ୟାଳୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ ଓ ସୁଯୋଗକୁ ଆଗକୁ ବଢ଼ାଇବା ପାଇଁ ସରକାର ପ୍ରୟାସ ଜାରି ରଖିଥିବା କହିଥିଲେ।

 

ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଗୋଣ୍ଡୱାନା ସମାଜର ହଜାର ହଜାର ପୁରୁଷ ଓ ମହିଳା ଯୋଗଦେଇଥିଲେ। ସମାଜର ବହୁ ବୁଦ୍ଧିଜୀବୀ, ବରିଷ୍ଠ ସଦସ୍ୟ ଓ ମୁଖ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପାରମ୍ପରିକ ନୃତ୍ୟ, ଗୀତ ଓ ସାଂସ୍କୃତିକ ପରିବେଷଣ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା।

 

ଏହାପରେ ଉପବାଚସ୍ପତି ଓ ମନ୍ତ୍ରୀ ପେଣ୍ଡ୍ରାଣୀ ମହାବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିସହ କୃଷି କାର୍ଯ୍ୟାଳୟରେ ନିର୍ମିତ ବିହନ ସଂରକ୍ଷଣ ଗୃହର ଉଦ୍‌ଘାଟନ କରିବା ପରେ ଉଭୟ ଅତିଥି ଭୁବନେଶ୍ୱର ଫେରିଯାଇଥିଲେ।

You may have missed