November 2, 2026

ଉମରକୋଟରେ ବଢ଼ୁଛି ଅପରାଧ, ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ…….

IMG-20261102-WA0095
Share

 

 

କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲା ଯୁବ ସଂଗଠନ; ନଚେତ୍ ରାଜରାସ୍ତାକୁ ଓହ୍ଲାଇବା ସହ ସହର ବନ୍ଦ ଚେତାବନୀ

 

ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ)

ଶାନ୍ତିପ୍ରିୟ ସହର ଭାବେ ପରିଚିତ ଉମରକୋଟରେ ଦିନକୁ ଦିନ ବଢ଼ିଚାଲିଛି ଅପରାଧିକ ଘଟଣା। ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଆକ୍ରମଣଠାରୁ ଆରମ୍ଭ କରି ବିଭିନ୍ନ ମନ୍ଦିରରୁ ଚୋରି ଘଟଣା ସହରବାସୀଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷାର ବାତାବରଣ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ଅସନ୍ତୋଷ ଝାଡ଼ିଛି ଏକ ଯୁବ ସଂଗଠନ। ଅପରାଧୀଙ୍କ ବିରୋଧରେ ତୁରନ୍ତ କଠୋର ପଦକ୍ଷେପ ନିଆଯିବାକୁ ଦାବି କରିବା ସହ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି ସଂଗଠନ।

 

ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସହରରେ ଅପରାଧିକ କାର୍ଯ୍ୟକଳାପ ବଢ଼ୁଥିବା ସତ୍ତ୍ୱେ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସର କଠୋର ପଦକ୍ଷେପ ଦେଖିବାକୁ ମିଳୁନାହିଁ। ପୋଲିସର ଏଭଳି କୋହଳ ମନୋଭାବ ଯୋଗୁଁ ସାଧାରଣ ଲୋକଙ୍କ ମଧ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଓ ପୋଲିସ ଉପରେ ଭରସା କମିବାରେ ଲାଗିଛି ବୋଲି ସଂଗଠନ ମତ ପ୍ରକାଶ କରିଛି। ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଅବଗତ କରାଯାଇଥିବା ବେଳେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳଙ୍କୁ ମଧ୍ୟ ସାକ୍ଷାତ କରି ସହରର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଜଣାଇବାକୁ ସଂଗଠନ ନିଷ୍ପତ୍ତି ନେଇଛି।

 

ଅନ୍ୟପକ୍ଷରେ ସହରର ବିଭିନ୍ନ ହିନ୍ଦୁ ଦେବାଦେବୀ ମନ୍ଦିରରୁ ହୋଇଥିବା ଚୋରି ଘଟଣାକୁ ନେଇ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମନ୍ଦିରରୁ ଚୋରି ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ବେଳେ ଏହି ଘଟଣାରେ ୪୮ ଘଣ୍ଟା ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ପୋଲିସ ପୂର୍ବରୁ ଆଶ୍ୱାସନା ଦେଇଥିଲା। ମାତ୍ର ୧୫ ଦିନ ବିତିଯାଇଥିଲେ ମଧ୍ୟ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇନଥିବା ସଂଗଠନ ଅଭିଯୋଗ କରିଛି। ଫଳରେ ଚୋରି ଘଟଣାର ତଦନ୍ତ ଓ ଅପରାଧୀଙ୍କ ଗିରଫଦାରୀକୁ ନେଇ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇଛି ସଂଗଠନ।

 

ପୋଲିସ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ନଜର ରଖିଛି ଯୁବ ସଂଗଠନ। ଖୁବଶୀଘ୍ର ଅପରାଧୀଙ୍କ ବିରୋଧରେ କଡ଼ା ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆନଗଲେ ହଜାର ହଜାର ଲୋକଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ଉମରକୋଟ ସହର ବନ୍ଦ ଡାକରା ଦିଆଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ସହରରେ ଶାନ୍ତି ଓ ଆଇନଶୃଙ୍ଖଳା ଫେରାଇ ଆଣିବା ପାଇଁ ପୋଲିସ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।