October 30, 2026

ହାଟଡିହି ତହସିଲରୁ ୧୫୫ ବଣ୍ଡଲ ପଲିଥିନ ଉଭାନ ଘଟଣା , ତଦନ୍ତ ପାଇଁ ତହସିଲଦାରଙ୍କ ୪ ଜଣିଆ ଟିମ୍ ଗଠନ, 

IMG-20261030-WA0103
Share

 

 

ହାଟଡିହି ତା ୩୦/୧୦(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲାର ହାଟଡିହି ତହସିଲ କାର୍ଯ୍ୟାଳୟର ଷ୍ଟୋର ରୁମ୍‌ରୁ ୧୫୫ ବଣ୍ଡଲ ପଲିଥିନ ନିଖୋଜ ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବନ୍ୟା, ବାତ୍ୟା ଓ ଅଗ୍ନିକାଣ୍ଡ ଭଳି ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପରିବାରଙ୍କୁ ବଣ୍ଟନ କରିବା ପାଇଁ ଷ୍ଟୋର ରୁମ୍‌ରେ ରଖାଯାଇଥିବା ଏହି ପଲିଥିନ ବଣ୍ଡଲଗୁଡ଼ିକ କିପରି ନିଖୋଜ ହେଲା, ତାହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି।

ଏହା ଚୋରି ଘଟଣା ନା ଅନ୍ୟ କୌଣସି କାରଣରୁ ପଲିଥିନ ନିଖୋଜ ହୋଇଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତହସିଲଦାର ସଞ୍ଜୟ ସାମନ୍ତରାୟ ଏହାର ଆଭ୍ୟନ୍ତରୀଣ ତଦନ୍ତ ପାଇଁ ଅତିରିକ୍ତ ତହସିଲଦାରଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ଗଠନ କରିଛନ୍ତି। ଅନ୍ୟପକ୍ଷରେ ପୋଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏ ସମ୍ପର୍କରେ ତହସିଲଦାର ଶ୍ରୀ ସାମନ୍ତରାୟ କହିଛନ୍ତି ଯେ ସେ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମରେ ଯାଇ ୨୮ ତାରିଖରେ କାର୍ଯ୍ୟାଳୟକୁ ଫେରିଥିଲେ। ଫେରିବା ପରେ ତାଙ୍କୁ ୧୫୫ ବଣ୍ଡଲ ପଲିଥିନ ଚୋରି ହୋଇଥିବା ସମ୍ପର୍କିତ ଏକ ଲିଖିତ ରିପୋର୍ଟ ଦିଆଯାଇଥିଲା। ଘଟଣାକୁ ନେଇ ସନ୍ଦେହ ହେବାରୁ ସେ ତୁରନ୍ତ ପୋଲିସରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜାଣିବା ପାଇଁ ୪ ଜଣିଆ ତଦନ୍ତକାରୀ ଟିମ୍ ଗଠନ କରାଯାଇଛି। ଟିମ୍‌ର ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏହି ଘଟଣାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଷ୍ଟୋର ରୁମ୍‌ର ତାଲା ଭଙ୍ଗା ଯାଇ ନଥିବା ସତ୍ତ୍ୱେ ଏତେ ପରିମାଣର ପଲିଥିନ କିପରି ନିଖୋଜ ହେଲା? ଏହାକୁ ନେଇ ତଦନ୍ତର ଆବଶ୍ୟକତା ଅଧିକ ବଢ଼ିଯାଇଛି। ତଦନ୍ତରୁ ମିଳୁଥିବା ତଥ୍ୟ ଆଧାରରେ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ତହସିଲଦାର କହିଛନ୍ତି। ଅନ୍ୟପକ୍ଷରେ, ଇନ୍ସପେକ୍ଟର ବଳିଆ ବାରିକଙ୍କ ସୂଚନା ଅନୁଯାୟୀ, ଘଟଣାର ତଦନ୍ତ ପାଇଁ ଫୋରେନସିକ୍ ଟିମ୍‌ର ସହାୟତା ନିଆଯାଇଛି। ତହସିଲ କାର୍ଯ୍ୟାଳୟର ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯିବ। ଏହା ସହିତ ଅନ୍ୟାନ୍ୟ ଦିଗକୁ ମଧ୍ୟ ଅନୁଧ୍ୟାନ କରି ତଦନ୍ତକୁ ଆଗକୁ ବଢ଼ାଯିବ ବୋଲି ସେ କହିଛନ୍ତି। ତେବେ ସରକାରୀ ଷ୍ଟୋର ରୁମ୍‌ରୁ ବିପର୍ଯ୍ୟୟ ପ୍ରଭାବିତଙ୍କ ପାଇଁ ଉଦ୍ଦିଷ୍ଟ ପଲିଥିନ ନିଖୋଜ ହେବା ଘଟଣାର ପ୍ରକୃତ ରହସ୍ୟ କ’ଣ, ତାହା ଏବେ ପୋଲିସ ଓ ତହସିଲ ପ୍ରଶାସନର ତଦନ୍ତ ଉପରେ ନିର୍ଭର କରୁଛି।