ଉମରକୋଟ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଢ଼ିଲା ସହାୟତାର ହାତ ଗୁରୁତର ଶ୍ୟାମଳୀଙ୍କୁ ୩ ୟୁନିଟ୍ ରକ୍ତ ସହ ୩୫ ହଜାର ଟଙ୍କା ସହାୟତା………
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ‘ବିକଶିତ ଓଡ଼ିଶା ୨.୦’ ସମାବେଶକୁ ଯୋଗଦେବାକୁ ଆସୁଥିବା ବେଳେ ଅଟୋ ଦୁର୍ଘଟଣାରେ ଗୁରୁତର ଆହତ ଅଙ୍ଗନବାଡ଼ି କର୍ମୀ ଶ୍ୟାମଳୀ ଗାଇନଙ୍କ ସହାୟତା ପାଇଁ ଆଗେଇ ଆସିଛି ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ। ତାଙ୍କ ଚିକିତ୍ସା ପାଇଁ ୩ ୟୁନିଟ୍ ରକ୍ତ ସହ ମୋଟ ୩୫ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଆୟୋଜିତ ‘ବିକଶିତ ଓଡ଼ିଶା ୨.୦’ ସମାବେଶକୁ ଅଟୋରେ ଆସୁଥିବା ବେଳେ ଦୁର୍ଘଟଣା ଘଟି ୭ ଜଣ ଅଙ୍ଗନବାଡ଼ି କର୍ମୀ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ପ୍ରଥମେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ବେନୋରା ପଞ୍ଚାୟତର ଧାର୍ଲି ଅଙ୍ଗନବାଡ଼ି କର୍ମୀ ଶ୍ୟାମଳୀ ଗାଇନ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ଉମରକୋଟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସସ୍ମିତା ବାଳା ମହାନ୍ତି କୋରାପୁଟ ମେଡିକାଲରେ ପହଞ୍ଚି ଶ୍ୟାମଳୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଚିକିତ୍ସାରେ ଆବଶ୍ୟକ ସହଯୋଗ କରିଥିଲେ। ଜରୁରୀ ଆବଶ୍ୟକତା ଦୃଷ୍ଟିରୁ ତାଙ୍କ ପାଇଁ B Negative ଗ୍ରୁପ୍ର ୩ ୟୁନିଟ୍ ରକ୍ତର ବ୍ୟବସ୍ଥା କରାଯାଇଥିଲା। ଏଥିସହ ଉମରକୋଟ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ୧୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ, ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ଶ୍ୟାମଳୀଙ୍କ ପରିବାରକୁ ଆଉ ୨୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଛି। ଜିଲ୍ଲା ସମାଜ କଲ୍ୟାଣ ବିଭାଗର କାର୍ଯ୍ୟକ୍ରମ ଅଧିକାରୀ, ଉପଖଣ୍ଡ କାର୍ଯ୍ୟକ୍ରମ ଅଧିକାରୀ ଓ ଉମରକୋଟ ମମତା ଯୋଜନା ସଂଯୋଜକଙ୍କ ସମେତ ଅନ୍ୟ କର୍ମଚାରୀମାନେ ମଧ୍ୟ ତାଙ୍କ ଚିକିତ୍ସା ସମୟରେ ଆବଶ୍ୟକ ସହଯୋଗ ଯୋଗାଇ ଦେଉଛନ୍ତି। ବର୍ତ୍ତମାନ ଶ୍ୟାମଳୀ ଆଇସିୟୁରେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଚିକିତ୍ସା ପାଇଁ ରକ୍ତ ଓ ଆର୍ଥିକ ସହାୟତା ମିଳିବା ତାଙ୍କ ପରିବାରକୁ କିଛିଟା ଆଶ୍ୱସ୍ତି ଦେଇଛି।
