ସାମାଜିକ ପରିବର୍ତ୍ତନ ପାଇଁ ସମସ୍ତ ସଂଗଠନର ସମନ୍ୱୟ ଜରୁରୀ….ବାବା ଦିବାକର ଦାସ ମହାରାଜ
ତିର୍ତ୍ତୋଲ
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ତିର୍ତ୍ତୋଲସ୍ଥିତ ଜୟପ୍ରକାଶ ମୈଦାନର କୁମାର ଉତ୍ସବ ମଞ୍ଚରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମହାମଞ୍ଚର ପ୍ରଥମ ବାର୍ଷିକ ସମାରୋହ ମଞ୍ଚର ସଭାପତି ଜ୍ୟୋତିର୍ବିଦ୍ ଡ଼. ଅରୁଣ କୁମାର ପାଣିଙ୍କ ସଭାପତିତ୍ୱରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ଉପ ସଭାପତି ତଥା ବିଶିଷ୍ଟ ସାହିତ୍ୟିକା ଡ଼. ବସନ୍ତ ମଞ୍ଜରୀ ଦାସଙ୍କ ସଂଯୋଜନା ଏବଂ ସଂଗଠନର ଉପଦେଷ୍ଟା ଆଇନଜୀବୀ ମଞ୍ଜୁଲତା ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମାରୋହରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରକ ବାବା ଦିବାକର ଦାସ ମହାରାଜ ଉଦ୍ଘାଟକ ଭାବେ ଯୋଗଦେଇଥିଲେ । ବାବା ଦିବାକର ଦାସ ମହାରାଜ ନିଜ ଅଭିଭାଷଣରେ କହିଥିଲେ ଯେ, ବିନ୍ଦୁ ବିନ୍ଦୁ ଜଳର ସମଷ୍ଟିରେ ଯେପରି ବିଶାଳ ସାଗର ସୃଷ୍ଟି ହୁଏ, ସେହିପରି ବିଭିନ୍ନ ସଂଗଠନର ସମନ୍ୱିତ ପ୍ରୟାସ ଦ୍ୱାରା ସମାଜରେ ନିଶ୍ଚିତ ଭାବେ ସକାରାତ୍ମକ ପରିବର୍ତ୍ତନ ଆଣିହେବ । ସମାଜର ଉନ୍ନତି, ମାନବୀୟ ମୂଲ୍ୟବୋଧର ପ୍ରତିଷ୍ଠା ଏବଂ ଜନକଲ୍ୟାଣ ପାଇଁ ସମସ୍ତ ସାମାଜିକ ଓ ସାଂସ୍କୃତିକ ସଂଗଠନ ଏକଜୁଟ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । ସମାରୋହରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ରାଉତ ମୁଖ୍ୟ ଅତିଥି ଏବଂ ଆଇନଜୀବୀ ତଥା ୱାଦାର ସଭାପତି ଗତିକୃଷ୍ଣ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । କୁମାର ଉତ୍ସବ ସମିତିର ଅଧ୍ୟକ୍ଷ ତଥା ବିଶିଷ୍ଟ ସଂଗଠକ ବିମଳ କୁମାର ମହାପାତ୍ର, ପରିବେଶବିତ୍ ଉତ୍କଳ ରଞ୍ଜନ ମହାନ୍ତି, ରାଜ୍ୟ ଶିକ୍ଷକ ମହାସଂଘର ସମ୍ପାଦକ ଅଶୋକ କୁମାର ସ୍ୱାଇଁ, ରାମାୟଣୀ ପଣ୍ଡିତ ଅଭୟ ଦାଶ, ଓଡ଼ିଆ ଗୀତକବି ସମାଜର ସମ୍ପାଦକ ପ୍ରେମଚାନ୍ଦ ମହାନ୍ତି, ଲୋକଶିକ୍ଷକ ଡ଼. ଲକ୍ଷ୍ମୀକାନ୍ତ ଆଚାର୍ଯ୍ୟ, ରକ୍ତଦାତା ମହାସଂଘର ରାଜ୍ୟ ସଭାପତି ଡ଼. ପ୍ରଶାନ୍ତ କୁମାର ଦାଶ, ଆଇନଜୀବୀ ପ୍ରଶାନ୍ତ କୁମାର ଦାସ, ମହାସଂଘର ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ କନକଲତା ସୁତାର, ଜିଲ୍ଲା ସଂସ୍କୃତ ଶିକ୍ଷକ ମହାସଂଘର ସମ୍ପାଦକ ପଣ୍ଡିତ ବାସବ କୁମାର ନନ୍ଦ, ସାରସ୍ୱତ ମହାମଞ୍ଚର ସମ୍ପାଦକ ପ୍ରଶାନ୍ତ କୁମାର ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ନାୟକ ଏବଂ ମହା ମଞ୍ଚର ସଦସ୍ୟ ଚନ୍ଦ୍ରକାନ୍ତ ବାରିକ ଓ ସାରଦା ପ୍ରସାଦ ମଲ୍ଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବୈଦ୍ୟନାଥ ସାହୁଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ଶ୍ରିୟଙ୍କା ସ୍ୱାଇଁ ଆକର୍ଷଣୀୟ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରି ଥିଲେ । ଏହା ପରେ ବିଭିନ୍ନ ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ, ଶିକ୍ଷା ଓ ଜନସେବା କ୍ଷେତ୍ରରେ କାର୍ଯ୍ୟରତ ୮୮ଟି ସଂଗଠନର ମୁଖ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା । ଏଥିସହ ବରିଷ୍ଠ ସାମ୍ବାଦିକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର, ମାନବିକତାର ପ୍ରସାର, ସାମାଜିକ ସଂହତିର ସୁଦୃଢ଼ୀ କରଣ ଏବଂ ବିଭିନ୍ନ ସଂଗଠନ ମଧ୍ୟରେ ସମନ୍ୱୟ ସ୍ଥାପନକୁ ମୂଳ ଲକ୍ଷ୍ୟ ଭାବେ ଗ୍ରହଣ କରିଥିବା ଏହି ମହା ମଞ୍ଚର ପ୍ରଥମ ବାର୍ଷିକ ସମାରୋହ ସାମାଜିକ ଏକତା ଓ ସେବାର ଭାବନାକୁ ଆହୁରି ମଜଭୁତ କରିବାର ଏକ ଅବସର ପାଲଟିଥିଲା ।

