ବାଇକ୍ ସହ ୧୦୦ ଗ୍ରାମ ଧଳା ଜହର ଜବତ କରି , ଜଣେ ଗିରଫ
ବୁଗୁଡ଼ା : ତା ୨୬/୧୦/୨୬ : ସ୍ଥାନୀୟ ଅବକାରୀ ବିଭାଗ ତରଫରୁ ଗତ ମେ ମାସରେ ଚଢାଉ କରାଯାଇ ଗୋଲିଆ ଗାଁ କଣିଆପଲ୍ଲୀ ଛକରେ ୨୦୦ ଗ୍ରାମ ଜହର ଜବତ କରାଯାଇଥିଲା ବେଳେ ପୁଣି ସେହି ସ୍ଥାନରେ ଅବକାରୀ ବିଭାଗ ସୋମବାର ଦିନ ସକାଳେ ଚଢାଉ କରି ପୁଣି ୧୦୦ ଗ୍ରାମ ଧଳା ଜହର ଓ ଏକ ବାଇକ୍( ନଂ-ଓଡି ୩୨ଜି-୪୮୬୪)କୁ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମର ଅରୁଣ ପଲାଇ (୪୭) । ଏ ନେଇ ବୁଗୁଡ଼ା ଅବକାରୀ ଥାନାରେ କେସ୍ ନଂ ୧୦୮/୨୬-୨୭ରେ ଏକ ମାମଲା ରୁଜୂ ହୋଇଥିବା ଅବକାରୀ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତିଙ୍କ ଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ, ଗଂଜାମ ଜିଲ୍ଲା ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଗୋଲିଆ ଗାଁ କଣିଆପଲ୍ଲୀ ଛକ ନିକଟରେ ଥିବା ଅରୁଣକୁ ଅଚାନକ କାବୁକରି ତା’ଠାରୁ ଏକ ବାଇକ୍ ସହ ୧୦୦ ଗ୍ରାମ ଧଳା ଜହର ଜବତ କରାଯାଇଥିଲା । ଉକ୍ତ ଚଢାଉରେ ବୁଗୁଡା ଅବକାରୀ ଥାନା ଅଧିକାରୀଙ୍କ ସମେତ ମୋବାଇଲ ଇନ୍ସପେକ୍ଟର ପ୍ରଦୀପ କୁମାର ମହାନ୍ତି, କନଷ୍ଟେବଲ ସୁବଳ ପ୍ରଧାନ, କାମନା କୁମାର ବେହେରା ଓ କୃଷ୍ଣ ଚନ୍ଦ୍ର ସେଠୀ ପ୍ରମୁଖ ସାମିଲ ଥିଲେ।
