ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ପାଇଁ ଚିନ୍ତାରେ ବୋଲଗଡ଼ ଚାଷୀକୂଳ, ବିଲରେ ସୁନାର ଫସଲ ଉପରେ ବିପଦ

ବୋଲଗଡ଼,୨୬/୧୦(ଉପାନ୍ତ ଖବର):ଏପଟେ ମୁଣ୍ଡ ଉପରେ ବାତ୍ୟା ଭୟ, ସେପଟେ ବିଲରେ ସୁନାର ଫସଲ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଚାଷୀ ଆଜି ଆକାଶକୁ ଚାହିଁ ମୁଣ୍ଡରେ ହାତ ଦେଇ ବସିଛି।
ଭାରତୀୟ ପାଣିପାଗ ବିଭାଗ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟା ‘ଅର୍ଣ୍ଣବ’ରେ ପରିଣତ ହୋଇଛି। ଆସନ୍ତା ୨୮ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା,ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବ। ତାରି ପ୍ରଭାବରେ ଗଞ୍ଜାମ, ପୁରୀ, ଗଜପତିରେ ପ୍ରବଳ ବର୍ଷା ହେବ।
ବର୍ତ୍ତମାନ ବିଲର ଚିତ୍ର ହୃଦୟ ଥରାଇ ଦେଉଛି। କେଉଁଠି ଧାନ ଗର୍ଭରେ ଅଛି, କେଉଁଠି ଫୁଲ ଉଡାଉଛି, କେଉଁଠି କେଣ୍ଡା ବାହାରୁଛି ତ ଆଉ କେଉଁଠି ଧାନ ପାଚି କଟା ଅବସ୍ଥାରେ ଅଛି। ଏହି ସମୟରେ ପବନ ବର୍ଷା ମାଡ଼ି ଆସିଲେ ସବୁ ଶେଷ।
“ମାସ ମାସ ଧରି ଖରାରେ ଦେହକୁ ରକ୍ତ ମାଉଁସ କରି, ବର୍ଷାରେ ଭିଜି ଧାନ କରିଛୁ ବାବୁ। ସାର, ବିହନ, ମଜୁରୀ ପାଇଁ ସୁଧ କରଜ କରିଛୁ। ଏବେ ଧାନ ପାଚିଲା ବେଳେ ଯଦି ବାତ୍ୟା ଆସି ସବୁ ପଡିଯିବ, ଆମେ କ’ଣ ଖାଇବୁ ?” ବୋଲି କହି ଲୁହ ପୋଛୁଛନ୍ତି ବଡ଼କୁମାରୀର ଜଣେ ଚାଷୀ।
ବିଶେଷ କରି ଯେଉଁ ଧାନ ଫୁଲ ଉଡାଉଛି, ବର୍ଷା ହେଲେ ଦାନା ହେବନି। ଯେଉଁ ଧାନ ପାଚିଛି, ପବନରେ ଶୋଇପଡିବ। ଥରେ ଶୋଇପଡିଲେ ଚାଷୀ ଉଠାଇ ପାରିବନି।
ଏବେ ସମସ୍ତଙ୍କ ଆଖି ପାଣିପାଗ ବିଭାଗ ଆଡ଼କୁ। ପ୍ରଶାସନ ଚାଷୀଙ୍କୁ ଆଗୁଆ ସଚେତନ କରିବା ସହ ଯେଉଁ ଧାନ କଟା ହୋଇଛି ତାକୁ ସୁରକ୍ଷିତ ସ୍ଥାନକୁ ନେବାକୁ ପରାମର୍ଶ ଦେଇଛି। କ୍ଷତି ହେଲେ କ୍ଷତିପୂରଣ ବ୍ୟବସ୍ଥା କରିବାକୁ ଚାଷୀକୂଳ ଦାବି କରିଛନ୍ତି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
