October 25, 2026

ଗାଁଗଣ୍ଡାରେ କୁମାର ପୂର୍ଣ୍ଣିମାର ମାହୋଲ ଆଗଭଳି ନାହିଁ ପୁଚିଖେଳ, ଫିକା ପଡ଼ିଛି ‘ଫୁଲ ବଉଳବେଣୀ’ର ମଉଜ

IMG-20261025-WA0030
Share

 

 

ଆଗଭଳି ନାହିଁ ପୁଚିଖେଳ, ଫିକା ପଡ଼ିଛି ‘ଫୁଲ ବଉଳବେଣୀ’ର ମଉଜ

ଖୋର୍ଦ୍ଧା, :(ପ୍ରିୟଙ୍କା ମହାପାତ୍ର) ଓଡ଼ିଆ ପରମ୍ପରା ଓ ଲୋକସଂସ୍କୃତିର ଅନ୍ୟତମ ପର୍ବ କୁମାର ପୂର୍ଣ୍ଣିମା। କୁମାରୀଙ୍କ ଓଷା, ଚାନ୍ଦ ପୂଜା, ପୁଚିଖେଳ ଆଉ ‘କୁଆଁର ପୁନେଇ ଜହ୍ନ ଗୋ, ଫୁଲବଉଳବେଣୀ’ ଗୀତରେ ଦିନେ ଗାଁଗଣ୍ଡା ହୋଇଉଠୁଥିଲା ଉତ୍ସବମୁଖର। ହେଲେ ଆଧୁନିକତାର ଛାପ ଓ ପାରମ୍ପରିକତା ପ୍ରତି ଆଗ୍ରହ ହ୍ରାସ ଯୋଗୁଁ ଏବେ ଧୀରେ ଧୀରେ ଫିକା ପଡ଼ିବାକୁ ବସିଛି ଏହି ମନୋରମ ପରମ୍ପରା।ରବିବାର ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଗାଁ ଓ ସହରରେ କୁମାର ପୂର୍ଣ୍ଣିମା ସହ ଗଜଲକ୍ଷ୍ମୀ ପୂଜା ପାଳିତ ହୋଇଛି। କୁମାରୀମାନେ ନୂଆ ବସ୍ତ୍ର ପିନ୍ଧି ଓଷା ପାଳନ କରିବା ସହ ଗାଁ ଦାଣ୍ଡରେ ଚଉଁରା ମୂଳେ ମା’ ବୃନ୍ଦାବତୀଙ୍କ ନିକଟରେ ଭୋଗ ଅର୍ପଣ କରି ଚାନ୍ଦ ପୂଜା କରିଥିଲେ। ତେବେ ପୂର୍ବବର୍ଷଗୁଡ଼ିକ ଭଳି ଏଥର ଉତ୍ସବରେ ସେହି ଚିରାଚରିତ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିନଥିଲା।

ଅନ୍ୟପକ୍ଷରେ ଏଥର କୁମାର ପୂର୍ଣ୍ଣିମାରେ କଇଁଫୁଲର ଅଭାବ ପୂଜାର ମାହୋଲକୁ ପ୍ରଭାବିତ କରିଥିଲା। ବଜାରରେ ଗୋଟିଏ କଇଁଫୁଲ ୧୦ରୁ ୨୦ ଟଙ୍କାରେ ବିକ୍ରି ହୋଇଥିବା ଜଣାପଡ଼ିଛି। ଗାଁ ପୋଖରୀ ଓ ରାସ୍ତାକଡ଼ ନାଳରେ ପୂର୍ବଭଳି କଇଁଫୁଲ ଦେଖିବାକୁ ମିଳୁନଥିବାରୁ ପୂଜା ପାଇଁ ଆବଶ୍ୟକ ଫୁଲ ଯୋଗାଡ଼ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି।ଗୃହିଣୀ ପ୍ରମିଳା ବେହେରା କହିଛନ୍ତି, ଆଧୁନିକ ସଭ୍ୟତାର ପ୍ରଭାବରେ ପାରମ୍ପରିକ ପୂଜାପର୍ବ ଓ ଓଷାର ଗୁରୁତ୍ୱ ଦିନକୁ ଦିନ କମିବାରେ ଲାଗିଛି। ଗୃହିଣୀ ଅର୍ଚ୍ଚନା ଆନ୍ଦିଆଙ୍କ ମତରେ, ପୂର୍ବରୁ କୁମାର ପୂର୍ଣ୍ଣିମାରେ କୁମାରୀମାନେ ଚାନ୍ଦ ପୂଜା ପରେ ଏକାଠି ହୋଇ ପୁଚି ଖେଳୁଥିଲେ ଏବଂ ପାରମ୍ପରିକ ଗୀତ ଗାଇ ଉତ୍ସବକୁ ଆହୁରି ରଙ୍ଗିନ କରୁଥିଲେ। ହେଲେ ଏବେ ସେହି ଦୃଶ୍ୟ ବିରଳ ହୋଇପଡ଼ିଛି।ସେହିପରି ସସ୍ମିତା ସାହୁ ନିଜ ପିଲାଦିନର ସ୍ମୃତି ମନେ ପକାଇ କହିଛନ୍ତି, ପୂର୍ବରୁ ଏହି ପର୍ବକୁ ଧୁମ୍‌ଧାମରେ ପାଳନ କରାଯାଉଥିଲା। ବିଭିନ୍ନ ରଙ୍ଗର ଫୁଲପାଖୁଡ଼ାରେ ସାଜସଜ୍ଜା କରାଯିବା ସହ କଇଁଫୁଲରେ ମା’ ବୃନ୍ଦାବତୀଙ୍କୁ ସଜାଯାଉଥିଲା। ଗାଁ ଦାଣ୍ଡଠାରୁ ଆରମ୍ଭ କରି ଘର ଅଗଣା ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ ଜମି ଉଠୁଥିଲା। ‘କୁଆଁର ପୁନେଇ ଜହ୍ନ ଗୋ, ଫୁଲ ବଉଳବେଣୀ’ ଗୀତରେ ପ୍ରକମ୍ପିତ ହେଉଥିଲା ଗାଁ ପରିବେଶ।

କିନ୍ତୁ ଆଜି ସମୟ ବଦଳିବା ସହ ବଦଳିଛି ପର୍ବ ପାଳନର ଢଙ୍ଗ। ପାରମ୍ପରିକ ଗୀତ, ପୁଚିଖେଳ ଓ ଫୁଲରେ ସାଜସଜ୍ଜା ପ୍ରତି ଆଗ୍ରହ କମିବା ସହ କେବଳ ବିଧି ପାଳନରେ ସୀମିତ ରହିଯାଉଛି କୁମାର ପୂର୍ଣ୍ଣିମା। ଏହି ପରିସ୍ଥିତିରେ ଓଡ଼ିଆ ପରମ୍ପରାର ଏହି ଅନନ୍ୟ ଲୋକସଂସ୍କୃତିକୁ ବଞ୍ଚାଇ ରଖିବା ସହ ନୂଆପିଢ଼ିକୁ ଏହା ସହ ଯୋଡ଼ିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।

You may have missed