October 24, 2026

ଚାଷଜମିକୁ ଜଳଯୋଗାଣ ଦାବିରେ ଚାଷୀଙ୍କ ରାସ୍ତାରୋକ….

IMG-20261022-WA0018
Share

 

ବୈତରଣୀ ନଦୀ ଓ ବ୍ୟାରେଜ କେନାଲ ପାଖରେ ଥାଇ ବି ମିଳୁନି ପାଣି, ୫୦୦ ହେକ୍ଟର ଜମିରେ ମରୁଡ଼ି ଆଶଙ୍କା

 

ହାଟଡିହି ତା ୨୨/୧୦(ମନମୋହନ ନାୟକ) : ଗୋଟିଏ ପଟେ ବହିଯାଇଛି ବୈତରଣୀ ନଦୀ, ଅନ୍ୟପଟେ ଗାଁ ଉପର ଦେଇ ଯାଇଛି ବୈତରଣୀ ବ୍ୟାରେଜ କେନାଲ। ହେଲେ ଏତେ ବଡ଼ ଜଳସମ୍ପଦ ନିକଟରେ ଥାଇ ମଧ୍ୟ ଚାଷଜମିକୁ ମିଳୁନି ଆବଶ୍ୟକ ପାଣି। ଧାନ ଗଛରେ ଥୋଡ଼ ବାହାରିବାର ଗୁରୁତ୍ୱପୂର୍ଣ୍ଣ ସମୟରେ ଜଳାଭାବ ଯୋଗୁଁ ଜମି ଫାଟି ଆଁ କରିଛି। ଫଳରେ ଶହ ଶହ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିବା ବେଳେ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଭଳି ଏକ ଗୁରୁତର ସମସ୍ୟା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ ଅଞ୍ଚଳରେ। ଏହି ପଞ୍ଚାୟତର ପ୍ରାୟ ୫୦୦ ହେକ୍ଟର ଚାଷଜମିକୁ ଆବଶ୍ୟକ ଜଳ ମିଳୁନଥିବାରୁ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଧାନ ଫସଲରେ ଥୋଡ଼ ବାହାରିବା ସମୟରେ ଜଳର ଅଭାବ ଦେଖାଦେବା ଫଳରେ ଫସଲର ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି। ଅନ୍ୟପଟେ ନଦୀ ଓ କେନାଲ ପାଖରେ ଥାଇ ମଧ୍ୟ ଚାଷଜମିକୁ ପାଣି ମିଳୁନଥିବା ଘଟଣା ଚାଷୀଙ୍କ ଅସନ୍ତୋଷକୁ ଆହୁରି ବଢ଼ାଇ ଦେଇଛି। ଚାଷଜମିକୁ ତୁରନ୍ତ ଜଳଯୋଗାଣ କରିବା ଦାବିରେ ବଞ୍ଚୋ ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ନେତୃତ୍ୱରେ ପଞ୍ଚାୟତର ଶତାଧିକ ଚାଷୀ ଆନନ୍ଦପୁର-ଭଦ୍ରକ ରାସ୍ତାର ବଞ୍ଚୋ ଛକ ନିକଟରେ ରାସ୍ତାରୋକ କରିଥିଲେ। ଚାଷୀମାନେ ରାସ୍ତା ଉପରେ ଏକାଠି ହୋଇ ଜଳଯୋଗାଣ ସମସ୍ୟାର ସମାଧାନ ଦାବି କରିବା ସହ ଚାଷଜମିକୁ ତୁରନ୍ତ ପାଣି ଯୋଗାଇ ଦେବାକୁ ଦାବି ଜଣାଇଥିଲେ। ଏହି ରାସ୍ତାରୋକ ଯୋଗୁଁ ଆନନ୍ଦପୁର-ଭଦ୍ରକ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଫଳରେ ଦୂରଦୂରାନ୍ତକୁ ଯାତ୍ରା କରୁଥିବା ଯାତ୍ରୀ, ଦୈନନ୍ଦିନ ଯାତାୟାତ କରୁଥିବା ଲୋକ ଏବଂ ଅନ୍ୟ ଯାନବାହନ ଚାଳକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେବାରୁ ଉଭୟ ପାର୍ଶ୍ୱରେ ଗାଡ଼ିର ଲମ୍ବା ଧାଡ଼ି ଲାଗିଥିଲା। ଘଟଣା ସମ୍ପର୍କରେ ଖବର ପାଇ ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା, ଏସ୍‌ଡିପିଓ କମଳ କୁମାର ପଣ୍ଡା, ହାଟଡିହିର ଅତିରିକ୍ତ ତହସିଲଦାର ଆଲିଶା ଦାଶ, ଆନନ୍ଦପୁର ଥାନା ଆଇଆଇସି ଫନୀନ୍ଦ୍ର ନାଏକ ଓ ନନ୍ଦିପଦା ଥାନା ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିବା ସହ ଜଳସମ୍ପଦ ବିଭାଗ ଅଧିକାରୀଙ୍କ ସହ କଥା ହେବାପରେ ଜଳଯୋଗାଣ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ। ଆସନ୍ତାକାଲି ସୁଦ୍ଧା ଚାଷଜମିକୁ ଜଳଯୋଗାଣର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଚାଷୀମାନେ ରାସ୍ତାରୋକରୁ ଓହରିଥିଲେ। ଏହାପରେ ରାସ୍ତାରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ତେବେ ଧାନ ଫସଲର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଜଳଯୋଗାଣ ସମସ୍ୟାର ସ୍ଥାୟୀ ସମାଧାନ ହେବ କି ନାହିଁ, ତାହାକୁ ନେଇ ଚାଷୀମାନେ ଚିନ୍ତାରେ ରହିଛନ୍ତି। ପ୍ରଶାସନର ପ୍ରତିଶ୍ରୁତି ଅନୁଯାୟୀ ଶୀଘ୍ର ଜଳଯୋଗାଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଲେ ଚାଷୀଙ୍କ ଫସଲ ରକ୍ଷା ପାଇପାରିବ ବୋଲି ଆଶା କରାଯାଉଛି।