October 24, 2026

ଗଜପତି:- ପାରଳା ପୌର ପରିଷଦ’ର ପୂର୍ବତନ କାଉନସିଲର ତ୍ରିପତି ପାତ୍ର’ଙ୍କ ଅକାଳ ବିୟୋଗରେ ଶୋକର ଛାୟା

IMG-20261022-WA0017
Share

 

ପାରଳାଖେମୁଣ୍ଡି ସହର’ର ଜଣେ ଅତି ଜଣାଶୁଣା ବ୍ୟକ୍ତି ତଥା ପାରଳା ପୌର ପରିଷଦର ପୂର୍ବତନ କାଉନସିଲର ଶ୍ରୀ ତ୍ରିପତି ପାତ୍ର’ଙ୍କ ଅକାଳ ବିୟୋଗରେ ପାରଳା ସହରରେ ଶୋକର ଛାୟା ଖେଳିଯାଇଛି ।

ଶ୍ରୀ ପାତ୍ର ମୁଖ କର୍କଟରେ ଆକ୍ରାନ୍ତ ହୋଇ ପଡ଼ୋଶୀ ଆନ୍ଧ୍ରର ବିଶାଖାପାଟଣା ସ୍ଥିତ ପିନାକଲ ହସପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଗତକାଲି ତାଙ୍କର ଅକାଳ ବିୟୋଗ ଘଟିଥିଲା ।

ସେ ପାରଳାଖେମୁଣ୍ଡି ସ୍ଥିତ ସାନବ୍ରାହ୍ମଣ ସାହି ବାସିନ୍ଦା ଏବଂ ପାରଳା ସହରରେ ଥିବା ଏସାର୍ ପେଟ୍ରୋଲ ବାଙ୍କ’ର ପରିଚାଳନା ଦାୟିତ୍ୱରେ ଥିଲେ । ଅତୀତରେ ସେ ପାରଳା ପୌର ପରିଷଦର ୨ ଥର କାଉନସିଲର ଥିଲେ । ସେ ଜଣେ ସମାଜସେବୀ, ସମଭାବାପନ୍ନ ଓ ମେଳାପୀ ସମ୍ପନ୍ନ ବ୍ୟକ୍ତିତ୍ୱ ଭାବେ ବେଶ୍ ଜଣାଶୁଣା ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।

ବିଶାଖାପାଟଣା ସ୍ଥିତ ପିନାକଲ ହସପିଟାଲରେ ତାଙ୍କର ବିୟୋଗ ଘଟିବା ପରେ ତାଙ୍କ ମୃତ ଶରୀର’କୁ ପାରଳାଖେମୁଣ୍ଡି ସାନ ବ୍ରାହ୍ମଣ ସାହି ସ୍ଥିତ ତାଙ୍କ ବାସଭବନକୁ ଅଣା ଯାଇଥିଲା । ପରେ ପାରଳା ସହର ଉପକଣ୍ଠରେ ପ୍ରବାହିତ ହେଉଥିବା ମହେନ୍ଦ୍ର ତନୟା ନଦୀକୂଳ ସ୍ଥିତ ଶ୍ମଶାନ-ଘାଟ ଠାରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ତଥା ଶବଦାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ତାଙ୍କର ଏହି ଅକାଳ ବିୟୋଗରେ ପାରଳା ର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ପାରଳା ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ, ହାଇଟେକ୍ ମେଡିକାଲ ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ, ପାରଳା ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଓ ସମସ୍ତ କାଉନସିଲର , ପାରଳା ର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପତି ଶ୍ରୀ କେ: ନାରାୟଣ ରାଓ, ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ, ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ, ଜିଲ୍ଲା ବିଜେଡି ସଭାପତି ଶ୍ରୀ ପ୍ରଦୀପ ନାୟକ, କଂଗ୍ରେସର ବରିଷ୍ଠ ନେତା ଶ୍ରୀ ଅଭିମନ୍ୟୁ ପଣ୍ଡା, ଶ୍ରୀ ବସନ୍ତ ପଣ୍ଡା, ସାମ୍ବାଦିକ ମହଲରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଗରୁଡ଼ ଧ୍ୱଜ ଚୌଧୁରୀ, ଶ୍ରୀ ତାରିଣୀ ପ୍ରସାଦ ପଣ୍ଡା, ଗଣେଶ କୁମାର ରାଜୁ, ରାଜେନ୍ଦ୍ର ଭୁକ୍ତା, ଭଗବତ୍ ପାଢ଼ୀ, କୃଷ୍ଣ କୁମାର ବେହେରା, ଶ୍ରୀ ଦ୍ଵିଜେନ୍ଦ୍ର ନାଥ ପାଢ଼ୀ, ଶିଶିର ଗୌଡ଼ ଓ ସମସ୍ତ ସାମ୍ବାଦିକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ସେହି ଆମର ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପୂର୍ବକ ଏହି ଦୁଃଖଦ ସମୟରେ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

—————————————-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————-