October 20, 2026

ବିଜେପୁରରେ ସର୍ବଜନୀନ ଦୁର୍ଗାପୂଜାର ପ୍ଲାଟିନମ୍ ଜୁବଲି ଉତ୍ସବ,ଉନ୍ମୋଚିତ ହେଲା ‘ସିଦ୍ଧିରୂପା ସ୍ମରଣିକା’, ଯୋଗଦେଲେ ଜିଲ୍ଲାପାଳ ଓ ଏସ୍‌ପି

IMG-20261020-WA0031
Share

 

 

 

ବିଜେପୁର/ ବରପାଲି : (ସୁଦାମ ଦୀପ)ବରଗଡ଼ ଜିଲ୍ଲାର ବିଜେପୁରଠାରେ ସାର୍ବଜନୀନ ଦୁର୍ଗାପୂଜାର ୭୬ତମ ବର୍ଷ ତଥା ପ୍ଲାଟିନମ୍ ଜୁବଲି ଉତ୍ସବ ଅବସରରେ ଶାରଦୀୟ ନବଦୁର୍ଗା ପୂଜା ଭକ୍ତିମୟ ପରିବେଶରେ ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ ଭକ୍ତି, ଆସ୍ଥା ଓ ପରମ୍ପରାର ଅପୂର୍ବ ସମାଗମରେ ସମଗ୍ର ବିଜେପୁର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ପ୍ଲାଟିନମ୍ ଜୁବଲି ପାଳନର ଅନ୍ୟତମ ଆକର୍ଷଣ ଭାବେ ‘ସିଦ୍ଧିରୂପା ସ୍ମରଣିକା’ ଉନ୍ମୋଚିତ ହୋଇଛି।ଏହି ଧାର୍ମିକ ଆୟୋଜନରେ ବିଜେପୁର ବିଧାୟକ ତଥା ଜମିଦାର ସନତ କୁମାର ଗଡ଼ତିଆ କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି। ଉତ୍ସବରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ର ନାଥ ଶତପଥୀ ଅତିଥି ଭାବେ ଯୋଗଦେଇ ମା’ ଦୁର୍ଗାଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସାଧାରଣ ସଭା ଆରମ୍ଭ ହୋଇଥିଲା।ଏହି ଅବସରରେ ପୂଜାର୍ଚ୍ଚନାରେ ନିଷ୍ଠାପର ଭାବେ ସହଯୋଗ କରୁଥିବା ପୂଜକ କିଶୋର ଚନ୍ଦ୍ର ପୂଝାରୀ ଓ ସୁରେନ୍ଦ୍ର କୁମାର ମହାପାତ୍ରଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଅଧ୍ୟାପକ ପ୍ରଦୀପ ପ୍ରଧାନ ସଭାକାର୍ଯ୍ୟ ସଂଯୋଜନା କରିଥିବାବେଳେ କମିଟିର ସମ୍ପାଦକ ଜନାର୍ଦ୍ଦନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ ଦୁର୍ଗାଙ୍କ ପୂଜା ଚାଲିଥିବାବେଳେ ବିଭିନ୍ନ ବେଶରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ନବମୀ ତିଥିରେ ମା’ ଦୁର୍ଗା ସିଦ୍ଧିଦାତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ରାବଣ ଦରବାର’ ପରିବେଷିତ ହୋଇଥିଲା।ପୂଜା କମିଟିର ସହସମ୍ପାଦକ ପାଣ୍ଡବ ପ୍ରଧାନ, ସରୋଜ କୁମାର ସାହୁ, ଗଙ୍ଗାଧର ପ୍ରଧାନ ଓ ହିମାଂଶୁ ଶେଖର ସାହୁଙ୍କ ସମେତ ଅନ୍ୟ ସଦସ୍ୟମାନେ ଉତ୍ସବର ସଫଳ ଆୟୋଜନରେ ସହଯୋଗ କରିଥିଲେ।ବିଜେପୁରର ଦୀର୍ଘଦିନର ଧାର୍ମିକ ପରମ୍ପରା, ସାଂସ୍କୃତିକ ଐତିହ୍ୟ ଓ ସାମାଜିକ ଏକତାର ପ୍ରତୀକ ଭାବେ ୭୬ତମ ସାର୍ବଜନୀନ ଦୁର୍ଗାପୂଜାର ପ୍ଲାଟିନମ୍ ଜୁବଲି ଉତ୍ସବ ସ୍ଥାନୀୟ ଅଞ୍ଚଳରେ ବିଶେଷ ଗୁରୁତ୍ୱ ବହନ କରୁଛି। ଏହି ଉତ୍ସବ ମାଧ୍ୟମରେ ପୁରୁଣା ପରମ୍ପରାର ସ୍ମୃତିକୁ ସାଉଁଟିବା ସହ ଆଗାମୀ ପିଢ଼ି ପାଇଁ ବିଜେପୁରର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବାର ବାର୍ତ୍ତା ମିଳିଛି।