ମା’ଆସେ ବାପ ଘରକୁ, ଗାଁ ହସେ ମା’ର ଆଗମନରେ – ଗୋଡିଆଳିଗଡ଼ରେ ମା’ ରାମଚଣ୍ଡୀଙ୍କ ଚାରିଦିନିଆ ପର୍ବ …

ବୋଲଗଡ଼, ୨୦/୧୦ (ଉପାନ୍ତ ଖବର): ଦଶହରା ମାନେ କେବଳ ପୂଜା ନୁହେଁ, ଝିଅର ବାପ ଘର ବାହୁଡା। ଆଉ ସେହି ପରମ୍ପରାକୁ ଶହ ଶହ ବର୍ଷ ଧରି ବଞ୍ଚାଇ ରଖିଛି ଖୋର୍ଦ୍ଧା ଜିଲ୍ଲା ସାଗରଗୁଆଁ ପଞ୍ଚାୟତର ଗୋଡିଆଳିଗଡ଼ ଇତିହାସ କୁହେ, ଯେତେବେଳେ ଖଣ୍ଡପଡ଼ା ରାଜା ଓ ପାଞ୍ଚଗଡ଼ ରାଜାଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥାଏ, ଖଣ୍ଡପଡ଼ା ରାଜା ଧୀରେ ଧୀରେ ପାଞ୍ଚଗଡ଼ ସୀମାକୁ ପ୍ରବେଶ କରୁଥାନ୍ତି। ଠିକ୍ ସେହି ସମୟରେ ମା’ ରାମଚଣ୍ଡୀ ସ୍ୱୟଂ ଆବିର୍ଭୂତ ହୋଇ ଖଣ୍ଡପଡ଼ା ରାଜାଙ୍କୁ ପରାସ୍ତ କରି ଗୋଡିଆଳିଗଡ଼ର ଶେଷ ସୀମା ପର୍ଯ୍ୟନ୍ତ ଘଉଡାଇ ଦେଇଥିଲେ। ସେହି ଦିନଠୁ ମା’ଙ୍କ ଗାଥା ଓ ଗାରିମା ଗୋଡିଆଳିଗଡ଼ ମାଟିରେ ଜୀବନ୍ତ ହୋଇ ରହିଛି।
ଲୋକ ବିଶ୍ୱାସ ଅନୁଯାୟୀ, ମା’ ରାମଚଣ୍ଡୀଙ୍କ ବାପ ଘର ହେଉଛି ଗୋଡିଆଳିଗଡ଼, ଆଉ ଶାଶୁ ଘର ହଳଦିପଦା। ସେ ବିବାହ ହୋଇ ହଳଦିପଦାରେ ରହୁଛନ୍ତି। ତେଣୁ ପ୍ରତିବର୍ଷ ଦଶହରାରେ ଝିଅ ଯେମିତି ବାପ ଘରକୁ ଆସେ, ଠିକ୍ ସେମିତି ମା’ ବି ଆସନ୍ତି।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୀତିକାନ୍ତି ଅନୁଯାୟୀ ମା’ଙ୍କ ପର୍ବ ଚାରିଦିନ ଧରି ମହା ଆଡମ୍ବରରେ ପାଳିତ ହେଉଛି। ସପ୍ତମୀ ପୂର୍ବରୁ ମା’ଙ୍କୁ ତାଙ୍କ ସ୍ୱାମୀ ଘର ହଳଦିପଦାରୁ ବାଜା ରୋଷଣୀରେ ଆମନ୍ତ୍ରଣ କରି ଅଣାଯାଏ। ହଳଦିପଦା ଓ ବାରଦାଣ୍ଡି ମୌଜାର ପ୍ରତି ଘରେ ଘରେ ମା’ ଭୋଗ ଖାଇ, ତା’ପରେ ବାପ ଘର ଗୋଡିଆଳିରେ ପ୍ରବେଶ କରନ୍ତି।
ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ଚାରିଦିନ ମା’ ବାପ ଘରେ ରହନ୍ତି। ଭୋଗ, ନୀତିକାନ୍ତି, ଗହଳି ଚହଳି, ଢୋଲ-ମହୁରୀରେ ଗାଁ ଦଣ୍ଡ କମ୍ପେ।
ଶେଷରେ ଦଶହରା ରାତ୍ରିରେ ଏକ ଶୋକାକୁଳ ପରିବେଶରେ ପୁଣି ଝିଅକୁ ବିଦାୟ ଦେବା ଭଳି ମା’ଙ୍କୁ ଗୋଡିଆଳିରୁ ବିଦାୟ ଦିଆଯାଏ ଓ ତାଙ୍କ ସ୍ୱାମୀ ଘର ହଳଦିପଦାକୁ ଫେରାଇ ଦିଆଯାଏ। ସେହି ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆପେ ଆପେ ବହିଯାଏ। ଏହା କେବଳ ପୂଜା ନୁହେଁ, ଏହା ହେଉଛି ଆମ ମାଟିର ମମତାର ପର୍ବ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
