October 18, 2026

କଲେଜ ଛାତ୍ର ସଂସଦ ନିର୍ବାଚନ ବିବାଦ  ଛାତ୍ରଛାତ୍ରୀଙ୍କ ସହ ଥାନା ସମ୍ମୁଖରେ ଧାରଣାରେ ବସିଲେ ବିଧାୟକ ଓ ପୂର୍ବତନ ପିସିସି ସଭାପତି  ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ସାଇଣ୍ଟିଫିକ୍ ଟିମ୍

IMG-20261018-WA0069
Share

 

ହାଟଡିହି ତା ୧୮/୧୦(ମନମୋହନ ନାୟକ) : ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ଧରୁନାହିଁ। ନିର୍ବାଚନ ଫଳାଫଳ ଓ ଭୋଟ ଗଣତିରେ ଅନିୟମିତତା ହୋଇଥିବା ଅଭିଯୋଗକୁ କେନ୍ଦ୍ରକରି ଛାତ୍ର ଅଶାନ୍ତି ତୀବ୍ର ହୋଇଛି। ପ୍ରଥମେ ରାସ୍ତାରୋକ ଓ ପରେ ନନ୍ଦିପଦା ଥାନା ସମ୍ମୁଖରେ ଧାରଣା ଦିଆଯାଇଥିବା ବେଳେ ଏହି ଧାରଣା ଦୁଇଦିନ ଧରି ଜାରି ରହିଛି। ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ଧାରଣାରେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ, ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଭୋଟ ଗଣତି ପରଠାରୁ ବିବାଦର ସୂତ୍ରପାତ ହୋଇଥିଲା। ଏବିଭିପି ର ସମସ୍ତ ପ୍ରାର୍ଥୀ ବିଜୟୀ ହେବା ପରେ ଭୋଟ ଗଣତିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବିସିଜେଡି ଓ ଏନଏସୟୁଆଇର ପ୍ରାର୍ଥୀ ଏବଂ ସମର୍ଥକମାନେ ଏହାର ପ୍ରତିବାଦ କରିଥିଲେ। ଗଣତି ପ୍ରକ୍ରିୟାରେ ସ୍ୱଚ୍ଛତା ରହିଥିଲା କି ନାହିଁ, ତାହା ସ୍ପଷ୍ଟ କରିବା ସହ ନିର୍ବାଚନ ସମୟର ସିସିଟିଭି କ୍ୟାମେରା ଫୁଟେଜ୍ ଓ ରିପୋର୍ଟ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ଏହି ଦାବିକୁ ନେଇ ଛାତ୍ରଛାତ୍ରୀମାନେ ପୂର୍ବରୁ ରାସ୍ତାରୋକ କରିଥିବା ବେଳେ ପରେ ନନ୍ଦିପଦା ଥାନା ସମ୍ମୁଖରେ ଧାରଣା ଆରମ୍ଭ କରିଥିଲେ। ଛାତ୍ରଛାତ୍ରୀଙ୍କ ଦାବିକୁ ସମର୍ଥନ ଜଣାଇ ଗତକାଲି ସନ୍ଧ୍ୟାଠାରୁ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଧାରଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ବସିଥିଲେ। ନିର୍ବାଚନ ସମ୍ପର୍କିତ ଅଭିଯୋଗର ନିରପେକ୍ଷ ତଦନ୍ତ କରାଯାଇ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ନ୍ୟାୟ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ଉଭୟ ନେତା କେନ୍ଦୁଝର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ହାଟଡିହି ତହସିଲଦାର ସଞ୍ଜୟ ସାମନ୍ତରାୟ ଓ ଆନନ୍ଦପୁର ଉପଖଣ୍ଡ ପୁଲିସ ଅଧିକାରୀ କମଳ କୁମାର ପଣ୍ଡା ନନ୍ଦିପଦା ଥାନାରେ ପହଞ୍ଚି ଧାରଣାରତ ଛାତ୍ରଛାତ୍ରୀ ଓ ନେତାମାନଙ୍କ ସହ ଆଲୋଚନା କରିଥିଲେ। ନିର୍ବାଚନକୁ ନେଇ ଉପୁଜିଥିବା ବିବାଦର ସମାଧାନ ଏବଂ ଅଭିଯୋଗର ତଦନ୍ତ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହି ବିବାଦର ତଦନ୍ତ ପ୍ରକ୍ରିୟାରେ ସାଇଣ୍ଟିଫିକ୍ ଟିମ୍ କଲେଜରେ ପହଞ୍ଚି ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରୁଛି। ଏହି ଯାଞ୍ଚ ଦ୍ୱାରା ଭୋଟ ଗଣତି ସମୟରେ କୌଣସି ଅନିୟମିତତା ହୋଇଥିଲା କି ନାହିଁ, ତାହା ସ୍ପଷ୍ଟ ହେବ ବୋଲି ଆନ୍ଦୋଳନରତ ଛାତ୍ରଛାତ୍ରୀ ଆଶା ରଖିଛନ୍ତି। ତେବେ ତଦନ୍ତର ଫଳାଫଳ ସମ୍ପର୍କରେ ଆନୁଷ୍ଠାନିକ ସୂଚନା ମିଳିବା ପରେ ହିଁ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ। ଛାତ୍ର ସଂସଦ ନିର୍ବାଚନକୁ ନେଇ ଦୀର୍ଘ ସମୟ ଧରି ଚାଲିଥିବା ଏହି ବିବାଦ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଧାରଣା ଜାରି ରହିଥିବା ସୂଚନା ମିଳିଛି।

You may have missed