କୋଟିଆକୁ ନେଇ ପୁଣି ତେଜିଲା ଓଡ଼ିଶା–ଆନ୍ଧ୍ର ବିବାଦ ନଭେମ୍ବର ୨୬ରୁ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ, ବିବାଦୀୟ ଗାଁରେ ଭୋଟ୍ ତାରିଖ ଘୋଷଣା ହୋଇନାହିଁ
କୋରାପୁଟ, ୧୮/୧୦: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘ ଦଶନ୍ଧି ଧରି ଲାଗିରହିଥିବା କୋଟିଆ ଅଞ୍ଚଳର ସୀମା ବିବାଦ ପୁଣିଥରେ ଚର୍ଚ୍ଚାକୁ ଆସିଛି। ଆନ୍ଧ୍ରପ୍ରଦେଶ ସରକାର ଆସନ୍ତା ନଭେମ୍ବର ୨୬ରୁ ତିନି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ କରିବାକୁ ପ୍ରସ୍ତୁତି ଚଳାଇଥିବାରୁ କୋଟିଆକୁ ନେଇ ପୁଣି ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
ପ୍ରକାଶିତ ଖବର ଅନୁଯାୟୀ, ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ନଭେମ୍ବର ୨୬ ଓ ୨୯ ତାରିଖ ସହ ଡିସେମ୍ବର ୨ ତାରିଖରେ ମତଦାନ ହେବ। ଏହି ନିର୍ବାଚନ ପର୍ବତୀପୁରମ୍ ମନ୍ୟମ୍ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିବ। ତେବେ କୋଟିଆର ବିବାଦୀୟ ଗ୍ରାମଗୁଡ଼ିକରେ କେଉଁ ଦିନ ନିର୍ବାଚନ ହେବ, ସେ ସମ୍ପର୍କରେ ଏଯାଏଁ ସ୍ପଷ୍ଟ ତାରିଖ ଘୋଷଣା ହୋଇନାହିଁ।
କୋରାପୁଟ ଜିଲ୍ଲାର ପୋଟାଙ୍ଗି ବ୍ଲକ୍ ଅନ୍ତର୍ଗତ କୋଟିଆ ପଞ୍ଚାୟତର ୨୮ଟି ଗାଁ ମଧ୍ୟରୁ ୨୧ଟି ଗାଁକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ରହିଆସିଛି। ଓଡ଼ିଶା ସରକାର ସମସ୍ତ ୨୮ଟି ଗାଁକୁ କୋରାପୁଟ ଜିଲ୍ଲାର ଅଂଶ ବୋଲି ଦାବି କରୁଥିବାବେଳେ ଆନ୍ଧ୍ରପ୍ରଦେଶ ୨୧ଟି ଗାଁ ଉପରେ ନିଜର ଦାବି ଜାହିର କରିଆସୁଛି। ଏପରିକି କେତେକ ଗ୍ରାମକୁ ଭିନ୍ନ ନାମରେ ଚିହ୍ନଟ କରି ଆନ୍ଧ୍ରପ୍ରଦେଶ ପକ୍ଷରୁ ପ୍ରଶାସନିକ ସେବା ମଧ୍ୟ ଯୋଗାଇ ଦିଆଯାଉଛି।
ଏହି ପରିସ୍ଥିତିରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ବିବାଦୀୟ ଗାଁଗୁଡ଼ିକରେ ନିର୍ବାଚନ କରାଯିବାର ସମ୍ଭାବନା ଦୁଇ ରାଜ୍ୟ ମଧ୍ୟରେ ପୁଣି ଉତ୍ତେଜନା ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ମଧ୍ୟ ବିବାଦୀୟ ଗାଁଗୁଡ଼ିକରେ ନିର୍ବାଚନ କରାଇବାକୁ ଆନ୍ଧ୍ରପ୍ରଦେଶର ଉଦ୍ୟମକୁ ଓଡ଼ିଶା ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା।ଏ ସମ୍ପର୍କରେ ପୋଟାଙ୍ଗି ତହସିଲଦାର ଡି.ବି.ଏସ୍. ଧରୁଆ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ସରକାର ନଭେମ୍ବର ଓ ଡିସେମ୍ବରରେ ତିନିଟି ପର୍ଯ୍ୟାୟରେ ଗ୍ରାମାଞ୍ଚଳ ନିର୍ବାଚନ ଘୋଷଣା କରିଛନ୍ତି। କିନ୍ତୁ କୋଟିଆର ବିବାଦୀୟ ଗାଁଗୁଡ଼ିକର ନିର୍ବାଚନ ତାରିଖ ଏଯାଏଁ ଘୋଷଣା ହୋଇନାହିଁ। ପ୍ରଶାସନ ଏହି ଘଟଣାକ୍ରମ ଉପରେ ନଜର ରଖିଛି ଏବଂ ଆବଶ୍ୟକ ପଦକ୍ଷେପ ନିଆଯିବ।
ଓଡ଼ିଶା–ଆନ୍ଧ୍ର ସୀମାନ୍ତ ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ କୋଟିଆ ବହୁ ବର୍ଷ ଧରି ଦୁଇ ରାଜ୍ୟ ମଧ୍ୟରେ ବିବାଦର କେନ୍ଦ୍ରବିନ୍ଦୁ ହୋଇରହିଛି। ଆଗାମୀ ନିର୍ବାଚନକୁ ନେଇ ଉଭୟ ରାଜ୍ୟର ପ୍ରଶାସନ କିଭଳି ପଦକ୍ଷେପ ନେବେ, ଏବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।(ଗୁପ୍ତେଶ୍ଵର ରଥ କୋରାପୁଟ)
