ଗୋସାଇଁନୂଆଗାଁ ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଶ୍ରଦ୍ଧାଳୁଙ୍କ ପାଇଁ ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା

ପାରଳାଖେମୁଣ୍ଡି:୧୬/୧୦(୧ଗରୁଡ଼ ଧ୍ୱଜ ଚୌଧୁରୀ) ଗୋସାଇଁନୂଆଗାଁ ଦୁର୍ଗାପୂଜାର ୫୦ତମ’ ବର୍ଷ ଅବସରରେ ଚଳିତ ବର୍ଷ ପାଳିତ ହେଉଛି “ସୁବର୍ଣ୍ଣ ଜୟନ୍ତୀ ଉତ୍ସବ”। ଏହି ଐତିହାସିକ ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ କରିବା ପାଇଁ ଗୋସାଇଁନୂଆଗାଁ ଦୁର୍ଗାପୂଜା କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ଓଡ଼ିଶା ସମେତ ବାହାର ରାଜ୍ୟର ବରିଷ୍ଠ କଳାକାରଙ୍କ ସାଂସ୍କୃତିକ ପରିବେଷଣ, ଭଜନ ସମାରୋହ, ମେଲୋଡି ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଏଥରର ମୁଖ୍ୟ ଆକର୍ଷଣ ହେବ ।ଏହି ଅବସରରେ ଗୁରୁବାର ସ୍ଥାନୀୟ କେ.ସି. ହାଇସ୍କୁଲ ଖେଳପଡ଼ିଆସ୍ଥିତ ଦୁର୍ଗାପୂଜା କମିଟି କାର୍ଯ୍ୟାଳୟରେ ଏକ “ସାମ୍ବାଦିକ ସମ୍ମିଳନୀ” କମିଟି ସଭାପତି ଜଗଦୀଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏଥିରେ ସମ୍ପାଦକ ସୁକାନ୍ତ କୁମାର ପଣ୍ଡା, କୋଷାଧ୍ୟକ୍ଷ ଶିବ ପ୍ରସାଦ ପଣ୍ଡା ଓ କମିଟି ସଦସ୍ୟ ସୁନିଲ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ ।୧୯୭୭ ମସିହାରୁ ଆରମ୍ଭ ହୋଇଥିବା ଏହି ଦୁର୍ଗାପୂଜା ଦୀର୍ଘ ବର୍ଷ ଧରି ଗୋସାଇଁନୂଆଗାଁ ଅଞ୍ଚଳରେ ଧାର୍ମିକ ଭାବନା, ପରମ୍ପରା ଓ ଭାଇଚାରାର ପ୍ରତୀକ ହୋଇ ରହିଆସିଛି । ଏହି ପରମ୍ପରାକୁ ଆଗକୁ ନେବା ସହ ପୂଜାର ୫୦ ବର୍ଷର ଗୌରବମୟ ଯାତ୍ରାକୁ ସ୍ମରଣ କରିବା ହେଉଛି “ସୁବର୍ଣ୍ଣ ଜୟନ୍ତୀ ଉତ୍ସବର” ମୁଖ୍ୟ ଉଦ୍ଦେଶ୍ୟ ବୋଲି ସଭାପତି ଜଗଦୀଶ ପାଣିଗ୍ରାହୀ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।କମିଟି ପକ୍ଷରୁ ପ୍ରକାଶିତ କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ, ମହାସପ୍ତମୀ ଦିନ ସକାଳେ ଘଟଯାତ୍ରାରୁ ଉତ୍ସବ ଆରମ୍ଭ ହେବ । ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବରିଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ମହାଷ୍ଟମୀରେ ବ୍ରହ୍ମପୁରର ମାର୍କଣ୍ଡେଶ୍ୱର ଭଜନ ସମାରୋହ, ମହାନବମୀ ସଂନ୍ଧ୍ୟାରେ ଓଲିଉଡ୍ ଗାୟକ ଶଶାଙ୍କ ଓ ତାଙ୍କ ସାଥୀଙ୍କ ଦ୍ୱାରା କଟକ ମେଲୋଡ଼ି ପରିବେଷଣ କରାଯିବ । ଦଶମୀ ଦଶହରା ସଂନ୍ଧ୍ୟାରେ ବଲିଉଡ୍ ଗାୟକ ତିଲକ ଚକ୍ରବର୍ତ୍ତୀ ଏବଂ କୋଲକାତାର ଜାଭେଦ୍ ଡ୍ୟାନ୍ସ ଗ୍ରୁପ୍ ପକ୍ଷରୁ ମେଲୋଡ଼ି ଓ ନୃତ୍ୟ ପରିବେଷଣ କରାଯିବ । ସେହିପରି ୨୧ ତାରିଖ ସଂନ୍ଧ୍ୟାରେ ଜଗବନ୍ଧୁ ମୁଦୁଲି ଓ ତାଙ୍କ ସାଥୀଙ୍କ ଦ୍ୱାରା ଭୁବନେଶ୍ୱରର ଭଜନ ସମାରୋହ ଆୟୋଜିତ ହେବ ।
ଏହାବ୍ୟତୀତ ୨୨ ତାରିଖ ମଧ୍ୟାହ୍ନରେ ପ୍ରାୟ ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ପ୍ରତିଦିନ ସଂନ୍ଧ୍ୟାରେ ମା’ଙ୍କ ଆଳତି ପରେ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯିବ ବୋଲି ସଭାପତି ଜଗଦୀଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।ପ୍ରତିଦିନ ପୂଜା ଉତ୍ସବରେ ରାଜନେତା, ପ୍ରଶାସନିକ ଅଧିକାରୀଙ୍କ ସମେତ ବ୍ରହ୍ମପୁର ସହର ଓ ଗଞ୍ଜାମ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାକୁ ସ୍ୱୀକୃତି ଦେଇଥିବା ସେ କହିଛନ୍ତି । ଗ୍ରାମବାସୀ ଓ କମିଟି ସଦସ୍ୟଙ୍କ ସହଯୋଗରେ ମା’ଙ୍କ ଆଶୀର୍ବାଦ ନେଇ ଉତ୍ସବକୁ ଶାନ୍ତି, ଶୃଙ୍ଖଳା ଓ ଭକ୍ତିପୂର୍ଣ୍ଣ ପରିବେଶରେ ସମ୍ପନ୍ନ କରିବା କମିଟିର ମୂଳ ଲକ୍ଷ୍ୟ ବୋଲି ସଭାପତି ପ୍ରକାଶ କରିଛନ୍ତି । ଏଥିସହ ପ୍ରଶାସନ, ପୋଲିସ ବିଭାଗ, ଅଗ୍ନିଶମ ବିଭାଗ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ ପାଇଁ କମିଟି ପକ୍ଷରୁ କୃତଜ୍ଞତା ଜଣାଯାଇଛି । ସମସ୍ତ ଶ୍ରଦ୍ଧାଳୁ ଓ ଅଞ୍ଚଳବାସୀଙ୍କୁ ମା’ ଦୁର୍ଗାଙ୍କ ଦର୍ଶନ କରିବା ସହ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବାକୁ ସମ୍ପାଦକ ସୁକାନ୍ତ କୁମାର ପଣ୍ଡା ହାର୍ଦ୍ଦିକ ନିମନ୍ତ୍ରଣ ଜଣାଇଛନ୍ତି ।ସାମ୍ବାଦିକ ସମ୍ମିଳନୀରେ କମିଟିର ସହସମ୍ପାଦକ ରାମଚନ୍ଦ୍ର ସାହୁ, ଆଇନଜୀବୀ ଅଶ୍ୱିନୀ ପଟ୍ଟନାୟକ, ମନୋଜ ସାହୁ, ବିନୋଦ ସିଂ, ଅନନ୍ତ ରାମ ପ୍ରଧାନ, ପ୍ରଫୁଲ୍ଲ ବେହେରା, କୃଷ୍ଣଚନ୍ଦ୍ର ଚୌଧୁରୀ, ଫାଉଣ୍ଡର ସଦସ୍ୟ ରବି ନାରାୟଣ ସାବତ, ମଦନ ମୋହନ ପାତ୍ର, ସାଇ କୁମାର, ବାବି ସେଠୀ ଓ ଭାର୍ଗବ ପାଢ଼ୀଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।
