ଛାତ୍ର ନେତା ହୁଅନ୍ତୁ ବା ଛାତ୍ରୀ ନେତ୍ରୀ, ନିଜେ ଚାଲିବେ ନା ରିମୋଟ୍ ରେ ଚାଲିବେ ?
ବୋଲଗଡ଼, ୧୬/୧୦(ଉପାନ୍ତ ଖବର): ସଅଳେ ସଅଳେ କଲେଜ ଇଲେକ୍ସନ ସରିଛି। ଜିତିଛନ୍ତି କିଛି ଛାତ୍ରଛାତ୍ରୀ। ଫୁଲମାଳ ପଡୁଛି, ଫଟୋ ଉଠୁଛି। କିନ୍ତୁ ପ୍ରଶ୍ନ ହେଉଛି ଯେଉଁମାନେ ଜିତିଲେ ସେମାନେ କ’ଣ ସତରେ କଲେଜର ଉନ୍ନତି କରିପାରିବେ ? କହିବାକୁ ଗଲେ ସତ ବହୁତ ତିକ୍ତ। ଯେଉଁ ଛାତ୍ରଛାତ୍ରୀ ଠିଆ ହୋଇଥିଲେ, ସେମାନେ ନିଜେ ବେକାର। ପାଠ ପଢୁଛନ୍ତି। ବାପାଙ୍କ ପାଖରୁ ପଇସା ଆଣି ଖର୍ଚ୍ଚ କରୁଛନ୍ତି। ସାଙ୍ଗସାଥି ଖୁସିରେ ଗୋଟେ ଚା’ ମାଗିଲେ ଦେଇ ପାରନ୍ତିନି। ହେଲେ ଇଲେକ୍ସନ ବେଳେ ସମସ୍ତଙ୍କୁ ବିରିୟାନୀ, ଅଣ୍ଡା ରୋଲ୍, ଯିଏ ଯାହା ମାଗିଲା ତାହା ? ପ୍ରଶ୍ନ ହେଉଛି ପଇସା ଆସୁଛି କେଉଁଠୁ ?
ଉତ୍ତର ସମସ୍ତେ ଜାଣନ୍ତି। ଏହା ପଛରେ ଅଛି ଦଳୀୟ ନେତାଙ୍କ ଅଦୃଶ୍ୟ ହାତ। ଯିଏ ପଇସା ଦେଉଛି, ସିଏ ହିଁ ଆଗକୁ ହିସାବ ନେବ। ଆଜିର କଲେଜ ଇଲେକ୍ସନ ଛାତ୍ରଙ୍କ ନେତୃତ୍ୱ ବାଛିବା ପାଇଁ ନୁହେଁ, ଆଗାମୀ ଦିନର ଚାମଚା ବାଛିବା ପାଇଁ।
ଜିତିଲା ପରେ ଏହି ଛାତ୍ରନେତାମାନେ କେବଳ ରିମୋଟ୍ କଣ୍ଟ୍ରୋଲର ମୋହରା ହୋଇ ରହିଯାଆନ୍ତି। କଲେଜରେ ଲାଇବ୍ରେରୀ ଅଛି କି ନାହିଁ, ପିଇବା ପାଣି ଅଛି କି ନାହିଁ, ଝିଅଙ୍କ କମନ ରୁମ୍ ଅଛି କି ନାହିଁ, ଖେଳ ପଡ଼ିଆ ଅଛି କି ନାହିଁ – ଏସବୁ ନେଇ ନେତାଙ୍କର ଯାଏ ଆସେ ନାହିଁ। ସେମାନଙ୍କୁ ଦରକାର କେବଳ କଲେଜ କ୍ୟାମ୍ପସରେ ନିଜ ଦଳର ପତାକା। ପଇସା ଯିଏ ଖର୍ଚ୍ଚ କରିଛି, ସେ କହିବ “ମୁଁ ଯାହା କହିବି ତୁମେ ତାହା କରିବ, କେହି କିଛି କରିପାରିବେନି।”
ଏହା କଣ ଛାତ୍ର ରାଜନୀତିର ହତ୍ୟା ନୁହେଁ କି ? ପୂର୍ବରୁ କଲେଜ ଇଲେକ୍ସନରୁ ନେତା ବାହାରୁଥିଲା, ଯିଏ ସମାଜ ବଦଳାଉଥିଲା। ଆଜି କଲେଜ ଇଲେକ୍ସନରୁ ମୋହରା ବାହାରୁଛି, ଯିଏ ନିଜ ଆତ୍ମାକୁ ବନ୍ଧା ପକାଇ ସାରିଛି।
ଛାତ୍ରଛାତ୍ରୀମାନେ ଯଦି ବିରିୟାନୀ ଖଣ୍ଡେ ପାଇଁ ନିଜର ଭବିଷ୍ୟତର ନେତା ବାଛିବାର ଅଧିକାର ବିକି ଦେଉଛନ୍ତି, ତେବେ ଆଗକୁ କଲେଜର ଉନ୍ନତି ନୁହେଁ, ଅବନତି ହିଁ ହେବ। ବିଚାର ଆପଣଙ୍କର।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
