October 16, 2026

ରାମଲୀଳାରେ ମନମୋହିଲା ଶ୍ରୀରାମଙ୍କ ବନଗମନ ଓ ପୌରାଣିକ ପ୍ରସଙ୍ଗ ଷଷ୍ଠ ଦିବସରେ ମଧ୍ୟ ଦର୍ଶକଙ୍କୁ ବାନ୍ଧି ରଖିଲା ରାମାୟଣର ଜୀବନ୍ତ ଅଭିନୟ

IMG-20261016-WA0046
Share

 

 

ସମ୍ବଲପୁର, ୧୬/୧୦ : ସମ୍ବଲପୁରର ଅଇଁଠାପାଲିସ୍ଥିତ ବୀର ବିର୍ସା ମୁଣ୍ଡା ମୈଦାନ (ପିଏଚ୍‌ଡି ପଡ଼ିଆ)ରେ ଶ୍ରୀ ରାମ ବିଜୟାଦଶମୀ ମହୋତ୍ସବ ସମିତି ପକ୍ଷରୁ ଆୟୋଜିତ ଶ୍ରୀ ରାମଲୀଳା ଓ ରାବଣ ଦହନ ମହୋତ୍ସବରେ ରାମାୟଣର ବିଭିନ୍ନ ପୌରାଣିକ ପ୍ରସଙ୍ଗର ଜୀବନ୍ତ ମଞ୍ଚାୟନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଛି। ଚତୁର୍ଥ ଓ ପଞ୍ଚମ ଦିବସରେ ଅଭିନୀତ ଭାବପୂର୍ଣ୍ଣ ଦୃଶ୍ୟଗୁଡ଼ିକ ମଧ୍ୟରେ ରାମାୟଣର ଆଦର୍ଶ, ତ୍ୟାଗ, ଧର୍ମ ଓ କର୍ତ୍ତବ୍ୟବୋଧର ବାର୍ତ୍ତା ପ୍ରତିଫଳିତ ହୋଇଥିଲା।

 

ନୂଆଦିଲ୍ଲୀର ଶୁଭ ପ୍ରବେଶ ଇଭେଣ୍ଟ ପକ୍ଷରୁ ଆୟୋଜିତ ଏହି ରାମଲୀଳାର ନିର୍ଦ୍ଦେଶନା ଦେଉଛନ୍ତି ଶ୍ରୀ ପ୍ରବୀଣ କୁମାର। ଚତୁର୍ଥ ଦିବସରେ ଶ୍ରୀରାମଙ୍କ ରାଜ୍ୟାଭିଷେକ ଘୋଷଣା, କୈକେୟୀ-ମନ୍ଥରା ସଂଳାପ, କୈକେୟୀ-ଦଶରଥ ସଂଳାପ, ଶ୍ରୀରାମଙ୍କ ବନଗମନ ଏବଂ ନିଷାଦରାଜଙ୍କ ସହ ଶ୍ରୀରାମଙ୍କ ସାକ୍ଷାତ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଞ୍ଚସ୍ଥ ହୋଇଥିଲା। ଏହି ଦୃଶ୍ୟଗୁଡ଼ିକ ଦର୍ଶକଙ୍କ ମନରେ ଭକ୍ତି ଓ ଭାବାବେଗ ସୃଷ୍ଟି କରିଥିଲା।

 

ଷଷ୍ଠ ଦିବସରେ ସମିତିର ସଭାପତି ଶ୍ରୀ ଗିରିଶ ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କର୍ଣ୍ଣାଟକର ସଦାନନ୍ଦ ନାୟକ ଓ ଶ୍ରୀ ବଳଦେବ ପଣ୍ଡା ଓ ତାଙ୍କ ପରିବାର ମୁଖ୍ୟଅତିଥି ଏବଂ ହିଣ୍ଡାଲକୋର ଶ୍ରୀ ଶିବ ମିଶ୍ର, ଶ୍ରୀ ସମୀର ମହାନ୍ତି ଓ ଶ୍ରୀ ଜିତେଶ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

 

ଏହି ଦିବସରେ ଅଗସ୍ତ୍ୟ ମୁନିଙ୍କ ସହ ସାକ୍ଷାତ, ପଞ୍ଚବଟୀ, ଜୟନ୍ତ ପ୍ରସଙ୍ଗ, ସୂର୍ପଣଖା ପ୍ରସଙ୍ଗ, ଖର-ଦୂଷଣ ବଧ, ମାରୀଚ ବଧ, ସୀତାଙ୍କ ଅଗ୍ନି ପ୍ରସଙ୍ଗ ଓ ଜଟାୟୁ ମୋକ୍ଷ ଆଦି ଦୃଶ୍ୟ ମଞ୍ଚସ୍ଥ ହୋଇଥିଲା। କଳାକାରଙ୍କ ଅଭିନୟ, ସଂଳାପ ଓ ମଞ୍ଚ ପରିବେଷଣ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।

 

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଖୁସୀ ମେଲୋଡି ପକ୍ଷରୁ ଖୁସିରାମ ଛତ୍ରିଆ ଓ ତାଙ୍କ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ମଞ୍ଚ ସଞ୍ଚାଳନ କରିଥିଲେ ଶ୍ରୀ ସତ୍ୟନାରାୟଣ, ଶ୍ରୀ ଉମାଶଙ୍କର ଦାଶ ଓ ମୋନାଲିସା ସାହୁ। ମୁଖ୍ୟ ମଞ୍ଚ ସଞ୍ଚାଳକ ଭାବେ ସଂସ୍କୃତିରତ୍ନ ଶ୍ରୀ କାର୍ତ୍ତିକ ବହିଦାର ଦାୟିତ୍ୱ ତୁଲାଇଥିଲେ। ସମିତିର ସଭାପତି ଶ୍ରୀ ଗିରିଶ ପଟେଲ ଏବଂ ଉପଦେଷ୍ଟା ଶ୍ରୀ ଜୟଲାଲ ବେହେରା ଓ ଶ୍ରୀ ବୁଲୁ ବିଶ୍ୱାଳ କାର୍ଯ୍ୟକ୍ରମର ମୁଖ୍ୟ ପରିଚାଳନା ଦାୟିତ୍ୱ ନିର୍ବାହ କରୁଛନ୍ତି।

ଚତୁର୍ଥ ଦିବସରେ ସାମାଜିକ କର୍ମୀ ତଥା ସାମାଜିକ ସଂଗଠକ ଡା. ରାଜାରାମ ଷଡ଼ଙ୍ଗୀ, ପଞ୍ଚମ ଦିନରେ କର୍ଣ୍ଣେଲ ପ୍ରଭାତ ପଣ୍ଡା ଓ ଉତ୍ତରାଞ୍ଚଳ ଆଇଜି ଚରଣ ସିଂ ମିନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଶ୍ରୀ ନିଗମାନନ୍ଦ ମହାନ୍ତି, ଶ୍ରୀ ମୋହିତ ଅଗ୍ରୱାଲ, ଶ୍ରୀ ପବନ ଅଗ୍ରୱାଲ ଓ ଶ୍ରୀ ସୌରଭ ମହାପାତ୍ର ଉପସ୍ଥିତ ଥିଲେ। ଏହି ଦିବସରେ ମଞ୍ଚ ସଂଚାଳନ କରିଥିଲେ ପଣ୍ଡିତ ଆମରନାଥ ମିଶ୍ର।

 

ରାମଲୀଳା କେବଳ ଏକ ଧାର୍ମିକ ନାଟ୍ୟ ପରିବେଷଣ ନୁହେଁ; ଏହା ଭାରତୀୟ ସଂସ୍କୃତି, ପରମ୍ପରା ଓ ନୈତିକ ମୂଲ୍ୟବୋଧର ଏକ ଜୀବନ୍ତ ପ୍ରତିଛବି। ଏଭଳି ଆୟୋଜନ ମାଧ୍ୟମରେ ନୂତନ ପିଢ଼ି ରାମାୟଣର ଆଦର୍ଶ ସହ ପରିଚିତ ହେବା ସହ ସମାଜରେ ଧର୍ମ, ସତ୍ୟ, ତ୍ୟାଗ ଓ ନ୍ୟାୟର ମହତ୍ତ୍ୱ ଅନୁଭବ କରିବାର ସୁଯୋଗ ପାଉଛନ୍ତି।