ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମି ଉନ୍ନତୀକରଣ କାର୍ଯ୍ୟର ଶୁଭାରମ୍ଭ
ଏଚ.ଡି.ଏଫ.ସି ପରିବର୍ତ୍ତନ ପ୍ରକଳ୍ପରେ ସ୍ୱାସ୍ଥ୍ୟସେବାକୁ ମିଳିବ ନୂଆ ଦିଗ; ରୋଗୀଙ୍କୁ ଉନ୍ନତ ଚିକିତ୍ସା ପରିବେଶ ଯୋଗାଇବା ଲକ୍ଷ୍ୟ
ଖୋର୍ଦ୍ଧା, (ପ୍ରିୟଙ୍କା ମହାପାତ୍ର): ସାଧାରଣ ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମିର ବିକାଶ ଓ ଉନ୍ନତୀକରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏଚ.ଡି.ଏଫ.ସିର ‘ପରିବର୍ତ୍ତନ’ ପ୍ରକଳ୍ପ ଅଧୀନରେ ଚିକିତ୍ସାଳୟର ଭିତ୍ତିଭୂମି ଉନ୍ନତୀକରଣ କାର୍ଯ୍ୟର ଶୁଭାରମ୍ଭ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏହି ପଦକ୍ଷେପ ଜିଲ୍ଲାର ସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଉନ୍ନତ ଓ ଅନୁକୂଳ ପରିବେଶ ଯୋଗାଇଦେବା ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି।ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ୟାମ ପ୍ରସନ୍ନ ମିତ୍ର ଓ ହସ୍ପିଟାଲ ମ୍ୟାନେଜର ଡାକ୍ତର ସୋନାଲି ନନ୍ଦଙ୍କ ସମେତ ଚିକିତ୍ସାଳୟର ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ସେମାନଙ୍କ ଉପସ୍ଥିତିରେ ଏହି ଉନ୍ନତୀକରଣ ପଦକ୍ଷେପର ଶୁଭାରମ୍ଭ କରାଯାଇଥିଲା।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଖୋର୍ଦ୍ଧା ଜିଲ୍ଲାର ବହୁ ରୋଗୀ ଚିକିତ୍ସା ପାଇଁ ନିର୍ଭର କରୁଥିବାରୁ ଏଠାକାର ଭିତ୍ତିଭୂମିର ଉନ୍ନତିକରଣର ଗୁରୁତ୍ୱ ଅଧିକ। ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବା ସହ ଚିକିତ୍ସାଳୟରେ ସୁବିଧାଜନକ ପରିବେଶ ସୃଷ୍ଟି କରିବା ଏକ ସୁଦୃଢ଼ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଅନ୍ୟତମ ଆବଶ୍ୟକତା। ଏହି ଦୃଷ୍ଟିରୁ ଭିତ୍ତିଭୂମି ଉନ୍ନତୀକରଣ କାର୍ଯ୍ୟକୁ ସ୍ୱାସ୍ଥ୍ୟସେବାର ଗୁଣାତ୍ମକ ମାନ ବୃଦ୍ଧି ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ବିବେଚନା କରାଯାଉଛି।
ଏଚ୍ଡିଏଫ୍ସି ପକ୍ଷରୁ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ‘ପରିବର୍ତ୍ତନ’ ଅଧୀନରେ ଏହି ପ୍ରକଳ୍ପକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷରେ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ସଂସ୍ଥା ‘ଡକ୍ଟର୍ସ ଫର ୟୁ’ (ଡି.ଏଫ.ୱାଇ) ଏହି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଦାୟିତ୍ୱ ତୁଲାଉଛି। ଏହି ଦୁଇ ସଂସ୍ଥାର ସହଯୋଗରେ ଚିକିତ୍ସାଳୟର ଭିତ୍ତିଭୂମିକୁ ଅଧିକ ଉପଯୋଗୀ କରିବା ଏବଂ ରୋଗୀସେବାକୁ ସୁଦୃଢ଼ କରିବା ଲକ୍ଷ୍ୟ ରଖାଯାଇଛି।ସରକାରୀ ଚିକିତ୍ସାଳୟରେ ଉନ୍ନତ ଭିତ୍ତିଭୂମି ଓ ସୁବିଧା ଉପଲବ୍ଧ ହେଲେ ସାଧାରଣ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ପରିବେଶ ମିଳିବା ସହ ସ୍ୱାସ୍ଥ୍ୟସେବା ପ୍ରତି ଆସ୍ଥା ବୃଦ୍ଧି ପାଇବ। ବିଶେଷକରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓ ସାଧାରଣ ପରିବାରର ରୋଗୀମାନଙ୍କ ପାଇଁ ସରକାରୀ ଚିକିତ୍ସାଳୟର ଗୁରୁତ୍ୱ ଅଧିକ ରହିଛି। ତେଣୁ ଚିକିତ୍ସାଳୟର ଭିତ୍ତିଭୂମିକୁ ସମୟୋପଯୋଗୀ କରିବା ଏବଂ ରୋଗୀଙ୍କ ଆବଶ୍ୟକତା ଅନୁଯାୟୀ ସୁବିଧା ବୃଦ୍ଧି କରିବା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଂଶ।ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଥିବା ଏହି ଉନ୍ନତୀକରଣ ପ୍ରକଳ୍ପ ଭବିଷ୍ୟତରେ ରୋଗୀସେବାର ମାନ ବୃଦ୍ଧି ଓ ଚିକିତ୍ସାଳୟର କାର୍ଯ୍ୟପରିବେଶକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି।
