October 9, 2026

ଡିଜିଟାଲ ପ୍ରଶାସନ ଓ ଜନସହଭାଗିତା ଉପରେ କ୍ଷମତା ବିକାଶ ତାଲିମ ଶିବିର

IMG-20261009-WA0043
Share

 

 

୨୪ ଜଣ ଗ୍ରାମ୍ୟ ଉନ୍ନୟନ କମିଟି ସଦସ୍ୟ ଓ ସମୁଦାୟ ସଂଗଠକ ନେଲେ ତାଲିମ

 

ବାମରା /ଲଙ୍ଗାବାହାଲ, ୦୯. ୧୦: ଗ୍ରାମାଞ୍ଚଳରେ ଡିଜିଟାଲ ସାକ୍ଷରତା ବୃଦ୍ଧି, ସରକାରୀ ଯୋଜନା ଓ ସେବା ସମ୍ପର୍କରେ ଜନସଚେତନତା ସୃଷ୍ଟି ତଥା ପ୍ରଶାସନିକ ବ୍ୟବସ୍ଥାରେ ଜନସାଧାରଣଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସ୍ଥାନୀୟ ସିଡି-ଇଭିଡିପି (SIDI-EVDP) କାର୍ଯ୍ୟାଳୟରେ ଏକଦିବସୀୟ କ୍ଷମତା ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।

 

‘ଡିଜିଟାଲ ପ୍ରଶାସନ ଓ ଜନସହଭାଗିତା ବ୍ୟବସ୍ଥା’ ଶୀର୍ଷକ ଏହି ତାଲିମ ଶିବିରରେ ୨୪ ଜଣ ଗ୍ରାମ୍ୟ ଉନ୍ନୟନ କମିଟି (ଭିଡିସି) ସଦସ୍ୟ ଓ ସମୁଦାୟ ସଂଗଠକ ଅଂଶଗ୍ରହଣ କରିଥିଲେ। ଇଭିଡିପି ପ୍ରକଳ୍ପର ନେତୃତ୍ୱ ବିଷୟକ ବିଶେଷଜ୍ଞ (ଏସ୍‌ଏମ୍‌ଏସ୍‌) ଦୀପକ କୁମାର ନାୟକ ତାଲିମଦାତା ଭାବେ ଯୋଗଦେଇ ଡିଜିଟାଲ ପ୍ରଶାସନର ବିଭିନ୍ନ ଦିଗ ଉପରେ ଅଂଶଗ୍ରହଣକାରୀଙ୍କୁ ତାଲିମ ପ୍ରଦାନ କରିଥିଲେ।

 

ତାଲିମ ଶିବିରରେ ସରକାରୀ ସେବାକୁ ସହଜରେ ଉପଲବ୍ଧ କରିବା ଓ ଡିଜିଟାଲ ମାଧ୍ୟମରେ ନାଗରିକଙ୍କ ଅଂଶଗ୍ରହଣ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ‘ନିର୍ଣ୍ଣୟ’, ‘ମେରି ପଞ୍ଚାୟତ’, ଇ-ଗ୍ରାମସ୍ୱରାଜ, ଉମଙ୍ଗ, ଡିଜିଲକର ଓ ବି.ଭି.-ଜି-ରାମ-ଜି ପୋର୍ଟାଲର ବ୍ୟବହାର ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯାଇଥିଲା। ଏହାଦ୍ୱାରା ଗ୍ରାମାଞ୍ଚଳର ଲୋକେ କିପରି ବିଭିନ୍ନ ସରକାରୀ ସେବା, ସୂଚନା ଓ ଯୋଜନାର ସୁଫଳ ପାଇପାରିବେ, ସେ ସମ୍ପର୍କରେ ବୁଝାଯାଇଥିଲା।

 

ସେହିପରି କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ସିଏମ୍‌-କିଷାନ ଓ ଗୋ-ସୁଗମ ପୋର୍ଟାଲର ବ୍ୟବହାର ସମ୍ପର୍କରେ ମଧ୍ୟ ତାଲିମ ଦିଆଯାଇଥିଲା। ଏହାଦ୍ୱାରା କୃଷକମାନେ ବିଭିନ୍ନ କୃଷିଭିତ୍ତିକ ଯୋଜନା ଓ ସରକାରୀ ସୁବିଧା ସମ୍ପର୍କରେ ଜାଣିବା ସହ ଆବଶ୍ୟକ ସେବା ପାଇବାରେ ଡିଜିଟାଲ ମାଧ୍ୟମର ସହାୟତା ନେଇପାରିବେ।

 

ଜନସାଧାରଣଙ୍କ ଅଭିଯୋଗର ସମାଧାନ ଦିଗରେ ମଧ୍ୟ ତାଲିମ ଶିବିରରେ ଗୁରୁତ୍ୱ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲ ଓ ଏକ୍ସ ମାଧ୍ୟମରେ କିପରି ନିଜର ସମସ୍ୟା ପ୍ରଶାସନ ନିକଟରେ ଉପସ୍ଥାପନ କରିହେବ, ସେ ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯାଇଥିଲା। ଏଥିସହ ଓଡ଼ିଶା ସରକାରଙ୍କ ‘ଆମ ସାଥୀ’ ହ୍ୱାଟ୍ସଆପ୍‌ ଚାଟ୍‌ବଟ୍‌ ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା ଓ ଆବଶ୍ୟକୀୟ ସୂଚନା କିପରି ସହଜରେ ପାଇହେବ, ତାହାର ବ୍ୟବହାରିକ ତାଲିମ ମଧ୍ୟ ପ୍ରଦାନ କରାଯାଇଥିଲା।

 

ଏହି ତାଲିମ ଶିବିର ମାଧ୍ୟମରେ ଅଂଶଗ୍ରହଣକାରୀମାନେ ନିଜ ନିଜ ଅଞ୍ଚଳରେ ଡିଜିଟାଲ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିବା ସହ ଗ୍ରାମବାସୀଙ୍କୁ ସରକାରୀ ସେବାର ଉପଯୋଗ, ଅଭିଯୋଗ ଦାଖଲ ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ପାଇବାରେ ସହଯୋଗ କରିବାକୁ ପ୍ରେରିତ କରାଯାଇଥିଲା।

 

ଡିଜିଟାଲ ଜ୍ଞାନକୌଶଳର ସଠିକ୍‌ ବ୍ୟବହାର ଦ୍ୱାରା ଗ୍ରାମାଞ୍ଚଳରେ ପ୍ରଶାସନିକ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଜନସହଭାଗିତାକୁ ଅଧିକ ସୁଦୃଢ଼ କରିବା ଏହି ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।