October 4, 2026

ସକାଳେ ସ୍ୱାମୀଙ୍କ ମୃତ୍ୟୁ, ସନ୍ଧ୍ୟାରେ ସ୍ତ୍ରୀଙ୍କ ପରଲୋକ

IMG-20261004-WA0031
Share

 

 

ଅନୁଗୋଳ: ଦିନଟି ଆଣିଦେଲା ଏକ ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା। ସକାଳେ ସ୍ୱାମୀଙ୍କ ମୃତ୍ୟୁର ଖବର ଶୁଣି ପରିବାର ଓ ପରିଚିତମହଲ ଶୋକରେ ଡୁବିଥିବା ବେଳେ, ସନ୍ଧ୍ୟାରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟଣାକୁ ଆହୁରି ଦୁଃଖଦ କରିଦେଇଛି।

ଅନୁଗୋଳ ଜିଲ୍ଲା କୋର୍ଟର ବରିଷ୍ଠ ଆଇନଜୀବୀ ପବିତ୍ର ନାଏକଙ୍କର ଆଜି ସକାଳେ ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁରେ ପରିବାର, ଆଇନଜୀବୀ ସମାଜ, ବନ୍ଧୁବାନ୍ଧବ ଓ ପରିଚିତମହଲରେ ଶୋକର ଛାୟା ଖେଳିଯାଇଥିଲା।

ତେବେ ଏହି ଦୁଃଖରୁ ପରିବାର ଲୋକେ ମୁକୁଳିବା ପୂର୍ବରୁ ସନ୍ଧ୍ୟାରେ ତାଙ୍କ ସ୍ତ୍ରୀ ସାବିତ୍ରୀ ନାଏକଙ୍କର ମଧ୍ୟ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୋଟିଏ ଦିନରେ ସ୍ୱାମୀ-ସ୍ତ୍ରୀ ଉଭୟଙ୍କୁ ହରାଇ ପରିବାର ଉପରେ ଯେପରି ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।

ସ୍ୱାମୀଙ୍କ ବିୟୋଗର ଖବର ପରେ କିଛି ଘଣ୍ଟା ମଧ୍ୟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା ଅନୁଗୋଳବାସୀଙ୍କୁ ମଧ୍ୟ ମର୍ମାହତ କରିଛି। ଏଭଳି ଅଭାବନୀୟ ଘଟଣାରେ ଆଇନଜୀବୀ ମହଲ ସମେତ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।