ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିର ଅରୁଣ ସ୍ତମ୍ଭରେ ନୂତନ ବିଗ୍ରହ ସ୍ଥାପନ ଓ ପ୍ରତିଷ୍ଠା
ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିର ଅରୁଣ ସ୍ତମ୍ଭରେ ନୂତନ ବିଗ୍ରହ ସ୍ଥାପନ ଓ ପ୍ରତିଷ୍ଠା
ବୁଗୁଡ଼ା : ତା ୨୦/୦୬/୨୩ : ଓଡ଼ିଶାର ଦ୍ଵିତୀୟ ଅର୍କ କ୍ଷେତ୍ର କାଷ୍ଠ କୋଣାର୍କ ଭାବେ ପରିଚିତ ସ୍ଥାନୀୟ ବିରଞ୍ଚି ନାରାୟଣ ମନ୍ଦିର ସମ୍ମୁଖସ୍ଥ ଅରୁଣ ସମ୍ଭରେ ଅରୁଣଙ୍କ ନୂତନ ବିଗ୍ରହ ସ୍ଥାପନ ଓ ପ୍ରତିଷ୍ଠା ଉତ୍ସବ ପୁରୋହିତ ଚିତ୍ତ ରଞ୍ଜନ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତ୍ରିଦିବସୀୟ ପ୍ରତିଷ୍ଠା ଉତ୍ସବ ଅବସରରେ ଶୁଭାଙ୍କୁରାରୋପଣ ସହ ପ୍ରତ୍ୟହ ସୂର୍ଯ୍ୟପୂଜା, ଶାଲା ପୂଜା, ହୋମ, ସହ ମହାସ୍ନାନ, ନ୍ୟାସ, ଅଧିବାସ ଆଦି କାର୍ଯ୍ୟ ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଥିଲା। ଉତ୍ସବର ଅନ୍ତିମ ଦିବସ ତଥା ଶ୍ରୀଗୁଣ୍ଡଚା ଯାତ୍ରା ଦିନ ବିଗ୍ରହଙ୍କ ସିଂହାସନ ଆରୋହଣ ଏବଂ ପୂର୍ଣ୍ଣାହୁତି କରାଯାଇଥିଲା ।ଏହି ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମହନ୍ତ ଭକ୍ତରାମ ଦାସ ମୁଖ୍ୟ କର୍ତ୍ତା ରୂପେ ଯୋଗଦାନ କରିଥିବା ବେଳେ ସିମାଞ୍ଚଳ ପାତ୍ର, ବିଶ୍ଵନାଥ ମିଶ୍ର, ସନ୍ତୋଷ ବିଶ୍ଵାଳ ସପତ୍ନୀକ ଉପକର୍ତ୍ତା ଭାବେ କାର୍ଯ୍ୟ ତୁଲାଇଥିଲେ। ପୁରୋହିତ ମନୋଜ ଦାଶ, ବୈଷ୍ଣବ ଚରଣ ଦାଶ, ଚିନ୍ମୟ ଦାଶ, ଶ୍ରୀକାନ୍ତ ମିଶ୍ର, ସାନୁଜ ମିଶ୍ର, ଶିବ ପ୍ରସାଦ ଦାଶ ପ୍ରମୁଖ ପୂଜା କାର୍ଯ୍ୟ ପରିଚାଳନା କରିଥିଲା ବେଳେ ମନ୍ଦିର ପୂଜକ ଉମାକାନ୍ତ ଦାଶଙ୍କ ସମେତ ଅନ୍ୟ ସେବାୟତମାନେ ଏଥିରେ ସହଯୋଗ କରୁଥିଲେ । ପ୍ରକାଶ ଯୋଗ୍ୟ ଯେ , ଗତ ଏପ୍ରିଲ ୨୯ ତାରିଖ ଦିନ ଭୋର ସମୟରେ ଏକ ମାଲବାହୀ ଟ୍ରକ୍ ଧକ୍କାରେ ବିରଞ୍ଚି ନାରାୟଣ ମନ୍ଦିର ସମ୍ମୁଖସ୍ଥ ଖଣ୍ଡୋଲାଇଟ ଷ୍ଟୋନରେ ନିର୍ମିତ ପ୍ରାୟ ୨୧ ଫୁଟ ଉଚ୍ଚତା ବିଶିଷ୍ଟ ଅରୁଣ ସମ୍ଭଟି ଭାଙ୍ଗିଯାଇ ମୁଖଶାଳା ଉପରେ ଢଳି ପଡିବା ସହ ସମ୍ଭ ଉପରିସ୍ଥ ଅରୁଣଙ୍କ ମୂର୍ତ୍ତିଟି ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ଆଜି ପବିତ୍ର ଗୁଣ୍ଡିଚା ଯାତ୍ରା ଉତ୍ସବ ଅବସରରେ ସେହି ସ୍ତମ୍ଭର ଅଗ୍ର ଭାଗରେ ଅରୁଣଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା ।