“ସେବା ସଂକଳ୍ପ ଅଭିଯାନ” କାର୍ଯ୍ୟକ୍ରମରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା
ବୁଗୁଡ଼ା : ତା ୦୧/୧୦/୨୬ :(ହର ପ୍ରସାଦ ପାଢି) ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିଥିବା ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ବୁଗୁଡା ବ୍ଲକ୍ସ୍ତରୀୟ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ସହାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା ଓ ରବିନ୍ଦ୍ର କୁମାର ବେହେରାଙ୍କ ମିଳିତ ତତ୍ତ୍ଵାବଧାନରେ ଆୟୋଜିତ ଏହି ପ୍ରତିଯୋଗିତା ଗୁଡିକରେ ୧୧ଟି କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ପ୍ରଥମରୁ ପଞ୍ଚମ, ଷଷ୍ଠରୁ ଅଷ୍ଟମ ଏବଂ ନବମରୁ ଦ୍ବାଦଶ ଶ୍ରେଣୀ ବର୍ଗର ୭୬ ଜଣଛାତ୍ରଛାତ୍ରୀ ଯୋଗ ଦେଇଥିଲେ | ବିଷୟବସ୍ତୁ “ସପ୍ନର ଭାରତ”କୁ ନେଇ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ହୋଇଥିଲା | ଚିତ୍ରାଙ୍କନରେ ପ୍ରଥମରୁ ପଞ୍ଚମଶ୍ରେଣୀ ବର୍ଗରେ ବୁଗୁଡାସ୍ଥିତ ବାଳକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଶ୍ରେୟାଂଶୁ ତ୍ରିପାଠୀ ,ଷଷ୍ଠରୁ ଅଷ୍ଟମ ବର୍ଗରେ ଗୋଲିଆ ଗ୍ରାମସ୍ଥ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ କୁସୁମ ପୋଲେଇ ଏବଂ ନବମରୁ ଦ୍ବାଦଶ ବର୍ଗରେ ଅନ୍ତରପଡ଼ାସ୍ଥିତ ଶାଙ୍କୁଳାଈ ବିଦ୍ଯାପୀଠର ଛାତ୍ରୀ ପ୍ରିତି ସେଠୀ ପ୍ରମୁଖ ପ୍ରଥମ ସ୍ଥାନ ହାସଲ କରିଥିଲେ । ସେହିପରି ବକ୍ତୃତା ପ୍ରତିଯୋଗିତାରେ ଷ୍ଟେଇଜ୍-୧ ବର୍ଗରେ ପାଙ୍ଗିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଅଶ୍ବିନୀ ସାହୁ , ଷ୍ଟେଇଜ୍-୨ ବର୍ଗରେ ବି.କରଡ଼ାବାଡ଼ି ଗ୍ରାମସ୍ଥିତ ସର୍ଦ୍ଧାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠର ଛାତ୍ରୀ ଅଞ୍ଜଳି ଆଲଟିଆ ଏବଂ ଷ୍ଟେଇଜ୍-୩ ବର୍ଗରେ ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ସ୍ବୟମ୍ ପ୍ରସାଦ ବଡୁ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏ ଅବସରରେ ସମସ୍ତ ପ୍ରତିଯୋଗିତାର ୧୮ ଜଣ କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା ବେଳେ ପ୍ରଥମ ସ୍ଥାନ ଅଧିକାର କରିଥିବା ୬ ଜଣ କୃତି ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ମନୋନୀତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବୁଗୁଡା ଗାର୍ଲସ୍ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣାଙ୍କ ସମେତ ସମସ୍ତ ସିଆରସିସି ଅନ୍ଯ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ।
