ଦିନ ଦ୍ୱିପ୍ରହରରେ ତାଲା ଭାଙ୍ଗି ଲୁଟ୍, ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ସୁନା, ରୁପା ଅଳଙ୍କାର ଚୋରି
ହାଟଡିହି ,(ମନମୋହନ ନାୟକ) : ଦିନ ଦ୍ୱିପ୍ରହରରେ ଘରେ ପଶି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ। ଏଭଳି ଏକ ଲୁଟ୍ ଘଟଣା ନନ୍ଦିପଦା ଥାନା ଅନ୍ତର୍ଗତ ବେତିରା ଗ୍ରାମରେ ଘଟିଛି। ଲୁଟ୍ର ଶିକାର ହୋଇଛନ୍ତି ବେତିରା ଛକ ନିକଟରେ ରହୁଥିବା ବ୍ୟାଙ୍କ କର୍ମଚାରୀ ଅକ୍ଷୟ ସେଠୀ। ତାଙ୍କ ଘରୁ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଅକ୍ଷୟ ଘରେ ତାଲା ପକାଇ ବ୍ୟାଙ୍କକୁ ଯାଇଥିବା ବେଳେ ତାଙ୍କ ପତ୍ନୀ କୌଣସି କାମରେ କେନ୍ଦୁଝର ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଓ ଝରକା ଭାଙ୍ଗି ଭିତରେ ପଶିଥିଲେ। ଏହାପରେ ଘରେ ଥିବା ଗଡ଼ରେଜ୍ ଆଲମିରା ଖୋଲି ସେଥିରେ ରଖାଯାଇଥିବା ଟଙ୍କା, ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିଲେ।
ଦିନ ପ୍ରାୟ ୨ଟା ସମୟରେ ଅକ୍ଷୟ ଖାଇବା ପାଇଁ ଘରକୁ ଆସିଥିବା ବେଳେ ଘରର ତାଲା ଭଙ୍ଗାଯାଇଥିବା ଏବଂ ସମ୍ମୁଖ ଦ୍ୱାର ଖୋଲା ଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ଗଡ଼ରେଜ୍ ଆଲମିରା ଖୋଲା ପଡ଼ିଥିବା ସହ ଜିନିଷପତ୍ର ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିବା ଦେଖି ସେ ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ। ଘରେ ରଖିଥିବା ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍ ହୋଇଥିବା ଅକ୍ଷୟ କହିଛନ୍ତି। ତେବେ କେତେ ପରିମାଣର ସୁନା ଓ ରୁପା ଅଳଙ୍କାର ଚୋରି ହୋଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ତାଙ୍କ ପତ୍ନୀ କେନ୍ଦୁଝରରୁ ଫେରିବା ପରେ ଚୋରି ହୋଇଥିବା ଅଳଙ୍କାରର ସମ୍ପୂର୍ଣ୍ଣ ବିବରଣୀ ମିଳିବ ବୋଲି ଅକ୍ଷୟ କହିଛନ୍ତି।
ଘଟଣା ସମ୍ପର୍କରେ ଅକ୍ଷୟ ନନ୍ଦିପଦା ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦିନ ଦ୍ୱିପ୍ରହରରେ ଏଭଳି ଲୁଟ୍ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଜୋର ଧରିଛି।
