September 28, 2026

ଜଜଙ୍କ ଠିକଣାରେ କୋରିଅର ଯୋଗେ ଗଞ୍ଜେଇ ଚାଳାଣ ଉଦ୍ୟମ।ଅବକାରୀ ବିଭାଗ ଦ୍ୱାରା ଗଞ୍ଜେଇ ଜବତ। 

IMG-20260928-WA0012
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲାରେ ଗଞ୍ଜେଇ ଚାଷ ଓ ଗଞ୍ଜେଇ ଚୋରା ଚାଳାଣ ଦିନକୁ ଦିନ ବଢ଼ି ଚାଲିଥିବାବେଳେ, ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ କୋରିଅର ଯୋଗେ ଗଞ୍ଜେଇ ଚାଲାଣ ଉଦ୍ୟମ ଚୋରା ବେଵାରୀଙ୍କ ଦ୍ୱାରା ଜାରି ରହିଛି । କିଛି ମାସ ପୂର୍ବରୁ ମଧ୍ୟ ଥରେ ଭବାନୀପାଟଣା ଠାରୁ ଅନ୍ୟ ରାଜ୍ୟକୁ ଏକ କୋରିଅର ସର୍ଭିସ ଯୋଗେ ଗଞ୍ଜେଇ ଚାଲାଣ ଉଦ୍ୟମ ହୋଇଥିବାବେଳେ, ଅବକାରୀ ବିଭାଗ ଦ୍ୱାରା ଗଞ୍ଜେଇ ଜବତ ସହ ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।ବର୍ତ୍ତମାନ ପୁଣିଥରେ ଦ୍ଵିତୀୟ ଥର ପାଇଁ ଭବାନୀପାଟଣାର ଏକ କୋରିଅର ସର୍ଭିସ (ନାମ ଗୁପ୍ତ) ଜରିଆରେ ଅଭିନଵ ଉପାୟରେ ବିପୁଳ ପରିମାଣରେ ଗଞ୍ଜେଇ ଚାଳାଣ ଉଦ୍ୟମ ପଣ୍ଡ ହେବା ନେଇ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ମାଛ ପେକିଙ୍ଗ ପାଇଁ ବ୍ୟବହୃତ ହେଉଥିବା ସୋଲ ପେଟିରେ ଗଞ୍ଜେଇ ପେକ କରି ଭବାନୀପାଟଣାର ଏକ କୋରିଅର ସର୍ଭିସ ଜରିଆରେ ଅନ୍ୟ ରାଜ୍ୟକୁ ଚାଳାଣ ହେବାକୁ ଥିବା ନେଇ କଳାହାଣ୍ଡି ଅବକାରୀ ବିଭାଗ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସେହି କୋରିଅର ଗୋଦାମରେ ଅତର୍କିତ ଚଢ଼ାଉ କରିବା ସହ ସେଠାରୁ ମୋଟ ବତିଶ ପେକେଟ ଗଞ୍ଜେଇ ଜବତ କରିଛି। ଯାହାକି ପାଖାପାଖି ଚାରି ଶହ କେ.ଜି ଓଜନର ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏହି ଯାଞ୍ଚ ସମୟରେ ଜଣାପଡିଛି ଯେ’ ଏହି ଗଞ୍ଜେଇ ପୂର୍ଣ୍ଣ ପେଟି ଗୁଡିକରେ ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲ୍ଲା ଅନ୍ତର୍ଗତ ଖୁର୍ଜା ଅଞ୍ଚଳର ଅତିରିକ୍ତ ଦୌରା ଜଜଙ୍କ ଠିକଣା ଲେଖା ଥିବାବେଳେ, ଦୌରା ଜଜଙ୍କ ନାମ କିମ୍ବା ମୋବାଇଲ ନଂ ଲେଖାଯାଇନାହିଁ। ଏପରିକି ଏହି ପାର୍ସଲ ଗୁଡିକ ପଠାଉଥିବା ବ୍ୟକ୍ତିଙ୍କର ମଧ୍ୟ କୌଣସି ନାମ କିମ୍ବା ଠିକଣା ଲେଖା ହୋଇନାହିଁ। ବେନାମୀ ଭାବରେ ଜଣେ ଜଜଙ୍କ ଠିକଣା ଦେଇ କୋରିଅର ଜରିଆରେ ଗଞ୍ଜେଇ ଚାଳାଣକୁ ନେଇ ଅବକାରୀ ବିଭାଗ ପାଇଁ ବଡ ପ୍ରଶ୍ନବାଚି ସୃଷ୍ଟି କରିଛି। ବର୍ତ୍ତମାନ ଜଜଙ୍କ ଠିକଣାର ସତ୍ୟାସତ୍ୟକୁ ନେଇ ତଥା ଏହାର ମାଷ୍ଟରମାଇଣ୍ଡ ଓ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।