September 16, 2026

ମାଁ ସନ୍ତୋଷୀ ମନ୍ଦିର ନିର୍ମାଣ ର ଶୁଭାରମ୍ଭ 

IMG-20260915-WA0004
Share

 

 

ବରପାଲି : ୧୫/୮(ସୁଦାମ ଦୀପ)ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମରେ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ମାଁ ସନ୍ତୋଷୀଙ୍କ ଏକ ନୂତନ ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ କରାଯାଇଛି। ଦୀର୍ଘଦିନ ଧରି ଗ୍ରାମବାସୀଙ୍କ ମନରେ ରହିଥିବା ଏହି ଧାର୍ମିକ ଆକାଂକ୍ଷା ଓ ମନୋସ୍କାମନାକୁ ସାକାର କରିବା ଦିଗରେ ଏହି ପଦକ୍ଷେପ ନିଆଯାଇଛି। ମନ୍ଦିର ନିର୍ମାଣର ଶୁଭ ଅବସରରେ ସମଗ୍ର ଗ୍ରାମରେ ଭକ୍ତି ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା।

ଏହି ପବିତ୍ର କାର୍ଯ୍ୟକ୍ରମରେ ଗ୍ରାମର ଅରୁଣ ସାହୁ ଓ ତାଙ୍କ ଧର୍ମପତ୍ନୀ ଲିଲି ସାହୁ କର୍ତ୍ତା ଭାବେ ଯୋଗଦେଇଥିଲେ। ଦମ୍ପତିଙ୍କ ଦୀର୍ଘଦିନର ମନୋସ୍କାମନା ଓ ମାଁ ସନ୍ତୋଷୀଙ୍କ ପ୍ରତି ଥିବା ଗଭୀର ଶ୍ରଦ୍ଧାରୁ ମନ୍ଦିର ନିର୍ମାଣର ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି। ମାଁ ସନ୍ତୋଷୀଙ୍କ ଆଶୀର୍ବାଦରେ ମନ୍ଦିର ନିର୍ମାଣ କାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ ହେବା ସହ ଗ୍ରାମର ସମସ୍ତଙ୍କ ମଙ୍ଗଳ ହେଉ ବୋଲି ଦମ୍ପତି ପ୍ରାର୍ଥନା କରିଥିଲେ।କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ପୂଜକ ନରେନ୍ଦ୍ର ହୋତାଙ୍କ ଦ୍ୱାରା ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା, ସଂକଳ୍ପ, ଭୂମିପୂଜନ ଓ ହୋମଯଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୋଚ୍ଚାରଣ ଓ ଧାର୍ମିକ ରୀତିନୀତି ମଧ୍ୟରେ ମନ୍ଦିର ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା। ପୂଜା ସମୟରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ମାଁ ସନ୍ତୋଷୀଙ୍କ ନିକଟରେ ନିଜ ପରିବାର ଓ ଗ୍ରାମର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ।ମନ୍ଦିର ନିର୍ମାଣର ଶୁଭାରମ୍ଭ ପୂର୍ବରୁ ମହିଳା ଓ ଭକ୍ତମାନଙ୍କ ପକ୍ଷରୁ ଏକ ଆକର୍ଷଣୀୟ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ମହିଳାମାନେ ମୁଣ୍ଡରେ କଳସ ଧରି ଭକ୍ତିମୟ ପରିବେଶରେ ଗ୍ରାମ ପରିକ୍ରମା କରିଥିଲେ। ଶୋଭାଯାତ୍ରାରେ ଭକ୍ତିମୟ ନାମସଂକୀର୍ତ୍ତନ ଓ ଜୟଧ୍ୱନିରେ ସମଗ୍ର ତାଳପଦର ଗ୍ରାମ ପରିବେଶ ମୁଖରିତ ହୋଇଥିଲା। ଗ୍ରାମର ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ବହୁ ଲୋକ ଏଥିରେ ସାମିଲ ହୋଇ ଧାର୍ମିକ ଏକତାର ପରିଚୟ ଦେଇଥିଲେ।କଳସ ଶୋଭାଯାତ୍ରା ପରେ ମାଁ ସନ୍ତୋଷୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ପୂଜା ସମାପନ ପରେ ଉପସ୍ଥିତ ଭକ୍ତ ଓ ଗ୍ରାମବାସୀଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଶ୍ରଦ୍ଧାଳୁମାନେ ଶୃଙ୍ଖଳାର ସହ ପ୍ରସାଦ ସେବନ କରିଥିଲେ। ଏହି ଅବସରରେ ବହୁ ସଂଖ୍ୟକ ମହିଳା, ଯୁବକ, ବୟସ୍କ ଓ ଭକ୍ତ ଯୋଗଦେଇ ମାଁ ସନ୍ତୋଷୀଙ୍କ ଆଶୀର୍ବାଦ କାମନା କରିଥିଲେ।ଗ୍ରାମବାସୀଙ୍କ ମତରେ, ଗ୍ରାମରେ ମାଁ ସନ୍ତୋଷୀଙ୍କ ଏକ ସୁନ୍ଦର ମନ୍ଦିର ନିର୍ମାଣ ହେବା ଦ୍ୱାରା ଏହା କେବଳ ଏକ ଧାର୍ମିକ ସ୍ଥଳୀ ଭାବେ ନୁହେଁ, ବରଂ ଗ୍ରାମବାସୀଙ୍କ ସାମୂହିକ ମିଳନ ଓ ଆଧ୍ୟାତ୍ମିକ କାର୍ଯ୍ୟକଳାପର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ହେବ। ଆଗାମୀ ଦିନରେ ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ଧାର୍ମିକ ପର୍ବପର୍ବାଣୀ, ପୂଜାର୍ଚ୍ଚନା ଓ ସାମୂହିକ କାର୍ଯ୍ୟକ୍ରମ ଆୟୋଜନ ହେବାର ଆଶା ରହିଛି।ମନ୍ଦିର ନିର୍ମାଣର ଶୁଭାରମ୍ଭକୁ ନେଇ ତାଳପଦର ଗ୍ରାମରେ ଆନନ୍ଦ, ଉତ୍ସାହ ଓ ଭକ୍ତିର ମାହୋଲ ଦେଖିବାକୁ ମିଳିଥିଲା। ଗ୍ରାମବାସୀଙ୍କ ଏକତା, ସହଯୋଗ ଓ ସହଭାଗିତା ମାଧ୍ୟମରେ ମାଁ ସନ୍ତୋଷୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ସୁରୁଚିପୂର୍ଣ୍ଣ ଭାବେ ସମ୍ପନ୍ନ ହେବ ଏବଂ ଏହି ମନ୍ଦିର ଭବିଷ୍ୟତରେ ଗ୍ରାମର ଏକ ଆଧ୍ୟାତ୍ମିକ ଓ ଧାର୍ମିକ ପରିଚୟ ଭାବେ ପ୍ରତିଷ୍ଠିତ ହେବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।