September 14, 2026

ନିଜ ଭତ୍ତାରେ ଗରିବ ପରିବାରଙ୍କ ନୂଆଖାଇରେ ଖୁସି ଭରିଲେ ସମିତି ସଭ୍ୟ ଏକ ବର୍ଷର ଭତ୍ତା ୧.୧୪ ଲକ୍ଷ ଟଙ୍କାରେ ୧୦୦ ପରିବାରଙ୍କୁ ନୂଆଖାଇ ଭେଟି

IMG-20260914-WA0038
Share

 

ସମ୍ବଲପୁର, ୧୪. ୦୯: ରାଜନୀତି କେବଳ କ୍ଷମତା, ପଦପଦବୀ କିମ୍ବା ବ୍ୟକ୍ତିଗତ ସ୍ୱାର୍ଥର ମାଧ୍ୟମ ନୁହେଁ, ବରଂ ଏହା ଲୋକସେବାର ଏକ ମହତ୍ତ୍ୱପୂର୍ଣ୍ଣ ମଞ୍ଚ।ଏହି କଥାକୁ କାର୍ଯ୍ୟରେ ପ୍ରମାଣ କରିଛନ୍ତି ଯୁଯୁମୁରା ପଞ୍ଚାୟତ ସମିତି ସଦସ୍ୟ ଜୟନ୍ତ ପ୍ରଧାନ। ନିଜକୁ ମିଳୁଥିବା ଗୋଟିଏ ବର୍ଷର ଭତ୍ତା ପ୍ରାୟ ୧ ଲକ୍ଷ ୧୪ ହଜାର ଟଙ୍କାକୁ ନିଜସ୍ୱ ଆବଶ୍ୟକତାରେ ଖର୍ଚ୍ଚ ନକରି, ନିଜ ପଞ୍ଚାୟତର ଆର୍ଥିକ ଭାବେ ଅନଗ୍ରସର ୧୦୦ ପରିବାରଙ୍କ ନୂଆଖାଇ ଉତ୍ସବରେ ଖୁସି ଭରିବା ପାଇଁ ବ୍ୟୟ କରିଛନ୍ତି।

 

ସୋମବାର ଯୁଯୁମୁରା ବଜାର ନିୟନ୍ତ୍ରିତ କମିଟି (ଆରଏମସି) ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୦୦ଟି ପରିବାରଙ୍କୁ ନୂଆଖାଇ ଅଢିଆ ସହିତ ଶାଢ଼ୀ, ଧୋତି, ଗାମୁଛା ଓ ଅନ୍ୟାନ୍ୟ ନୂଆ ବସ୍ତ୍ର ପ୍ରଦାନ କରାଯାଇଥିଲା। ନୂଆଖାଇ ଭଳି ଗଣପର୍ବରେ ଆର୍ଥିକ ଅଭାବ ଯେପରି କୌଣସି ପରିବାରର ଖୁସିରେ ବାଧକ ନହୁଏ, ସେଥିପାଇଁ ଜୟନ୍ତ ପ୍ରଧାନଙ୍କ ଏହି ପଦକ୍ଷେପ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି।

 

ନିଜ ଭତ୍ତାର ଅର୍ଥକୁ ସମାଜର ଅସହାୟ ଓ ଆବଶ୍ୟକତାସମ୍ପନ୍ନ ପରିବାରଙ୍କ ପାଇଁ ଉତ୍ସର୍ଗ କରିବା ଘଟଣା ସାଧାରଣତଃ ବିରଳ। ଏହି ମାନବିକ ପ୍ରୟାସ ନୂଆଖାଇର ଭାଇଚାରା, ସମାନତା ଓ ସାମାଜିକ ଦାୟିତ୍ୱର ମହତ୍ତ୍ୱକୁ ଆହୁରି ମଜଭୁତ କରିଛି।

 

ନୂଆଖାଇ ପାଇଁ ଆବଶ୍ୟକ ସାମଗ୍ରୀ ଓ ନୂଆ ବସ୍ତ୍ର ପାଇ ୧୦୦ ପରିବାରର ସଦସ୍ୟମାନେ ଖୁସି ବ୍ୟକ୍ତ କରିବା ସହିତ ଜୟନ୍ତ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଥିଲେ। ତାଙ୍କର ଏହି ପଦକ୍ଷେପ ଅନ୍ୟ ଜନପ୍ରତିନିଧି ଓ ରାଜନୈତିକ କର୍ମୀଙ୍କ ପାଇଁ ମଧ୍ୟ ଏକ ଅନୁକରଣୀୟ ବାର୍ତ୍ତା ଦେଇଛି ଯେ,ପଦବୀର ପ୍ରକୃତ ସାର୍ଥକତା ଲୋକଙ୍କ ଜୀବନରେ ଖୁସି ଆଣିବାରେ ରହିଛି।