September 14, 2026

ଦେବାହାଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

IMG-20260913-WA0057
Share

 

 

ବରଗଡ,ତା ୧୩/୯

: ଅତାବିରା ବ୍ଲକ ଅନ୍ତର୍ଗତ ଦେବାହାଲ ଗ୍ରାମର ଜୟ କିଶାନ ପାଠାଗାର ପକ୍ଷରୁ ରବିବାର ଦିନ ପାଠାଗାରର ପଠନ କକ୍ଷରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ସକାଳ ୯ଟା ୩୦ ମିନିଟରେ ଅତାବିରା ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରକାଶ କର୍ଣ୍ଣ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ମୋଟ ୪୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର) ର ରକ୍ତଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା। ଶିବିରରେ କେତେକ ପୁଲିସ କର୍ମଚାରୀ ମଧ୍ୟ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ସେମାନଙ୍କର ଏହି ମାନବିକ ପଦକ୍ଷେପ ଜନସାଧାରଣଙ୍କୁ ରକ୍ତଦାନ ପାଇଁ ବିଶେଷ ଭାବେ ପ୍ରେରିତ କରିଥିଲା।

ରକ୍ତଭଣ୍ଡାରର ଚିକିତ୍ସାଧିକାରୀ ଡା. ଆଶିଷ କୁମାର ଏବଂ ପରାମର୍ଶଦାତା ଶ୍ରୀ ମଣ୍ଟୁ ପ୍ରଧାନ ରକ୍ତଦାନର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିବା ସହ ଗୋଟିଏ ୟୁନିଟ୍ ରକ୍ତ କିପରି ତିନି ଜଣଙ୍କ ଜୀବନ ବଞ୍ଚାଇପାରେ, ସେ ସମ୍ପର୍କରେ ବୁଝାଇଥିଲେ।

ପାଠାଗାରର ସଭାପତି ସୁବେଦାର ମେଜର କାଶୀଶ୍ୱର ବେହେରାଙ୍କ ନେତୃତ୍ୱରେ ଏବଂ ଉପସମ୍ପାଦକ-ତଥା-ଗ୍ରନ୍ଥାଗାରିକ ବିନୟ କୁମାର ସାହୁଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଶ୍ରୀ ସତ୍ୟବାନ ବେହେରା ଏବଂ ଅତାବିରା କୋଶନ ଆନ୍ଧ୍ର ସାଂସ୍କୃତିକ ସଂଘର ସମ୍ପାଦକ ଶ୍ରୀ ଏମ୍. ବାଲାସୁବ୍ରମଣ୍ୟମ୍ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ, ବୁର୍ଲା ଭିମସାର ରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଏକ ମହତ୍ ମାନବିକ ଉଦ୍ଦେଶ୍ୟରେ ଜୟ କିଶାନ ପାଠାଗାର ପକ୍ଷରୁ ଗତ ୧୧ ବର୍ଷ ଧରି ନିୟମିତ ଭାବେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଆସୁଛି। ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଓ ଅଧିକ ସଂଖ୍ୟକ ଲୋକଙ୍କୁ ରକ୍ତଦାନ ପାଇଁ ପ୍ରେରିତ କରିବା ଉଦ୍ଦେଶ୍ୟରେ ଶିବିରର ଦୁଇ ଦିନ ପୂର୍ବରୁ ଗ୍ରାମରେ ଏକ ସ୍ୱତନ୍ତ୍ର ସଚେତନତା ଅଭିଯାନ ମଧ୍ୟ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଜୟ କିଶାନ ପାଠାଗାରର ସମସ୍ତ ସଦସ୍ୟ ବିଶେଷକରି ଚନ୍ଦନ, ଯତୀନ, ବୁଲିଆ, ନିତିନ, ରାକେଶ, ପ୍ରୀତିପମା, କମଳ ଓ ଅରୁଣଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ଥିଲା।

ଜୟ କିଶାନ ପାଠାଗାର କେବଳ ପାଠପଢ଼ା ଓ ଜ୍ଞାନ ବିତରଣରେ ସୀମିତ ନ ରହି ସାମାଜିକ ଓ ମାନବିକ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜସେବା କ୍ଷେତ୍ରରେ ମଧ୍ୟ ନିଜର ଅବଦାନ ଜାରି ରଖିଛି।