ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ : ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ
ବରଗଡ଼ :- ୧୦/୦୯(ଜୟନ୍ତ କୁମାର ସେଠ): ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ‘ବଡ଼ମା’ ଭାବେ ପରିଚିତ ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀ ଅବସରରେ ତାଙ୍କ ସ୍ମୃତିରେ ସ୍ମାରକ ଡାକଟିକଟ ଜାରି କରିବା ନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି ନୂଆ ଆଶା ସୃଷ୍ଟି କରିଛି। ଏ ସମ୍ପର୍କରେ ଲୋକସଭାରେ ନିୟମ ୩୭୭ ଅଧୀନରେ ସାଂସଦ ଶ୍ରୀ ପୁରୋହିତ ୨୪ ଜୁଲାଇ ୨୦୨୬ରେ ମାମଲା ଉଠାଇଥିଲେ।ସାଂସଦ ତାଙ୍କ ଦାବିରେ କହିଥିଲେ ଯେ, ୧୯ ଜାନୁଆରୀ ୧୯୨୬ରେ ଜନ୍ମଗ୍ରହଣ କରିଥିବା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀ ୨୦୨୬ରେ ପୂରଣ ହେଉଛି। ମାତ୍ର ୧୬ ବର୍ଷ ବୟସରେ ସେ ମହାତ୍ମା ଗାନ୍ଧୀଙ୍କ ବିଚାରରେ ପ୍ରଭାବିତ ହୋଇ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ହୋଇଥିଲେ। କାରାବାସ ସହିବା ସହ ଇଂରେଜ ଶାସନ ବିରୋଧରେ ସାହସର ସହ ଲଢ଼ିଥିଲେ। ସ୍ୱାଧୀନତା ପରେ ମଧ୍ୟ ସେ ସମାଜସେବା, ମହିଳା ସଶକ୍ତୀକରଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବଞ୍ଚିତ ଶିଶୁଙ୍କ କଲ୍ୟାଣ ପାଇଁ ଜୀବନ ଉତ୍ସର୍ଗ କରିଥିଲେ।
ତାଙ୍କ ଅବଦାନକୁ ଜାତୀୟ ସ୍ତରରେ ସ୍ମରଣୀୟ କରିବା ପାଇଁ ‘ବଡ଼ମା’ଙ୍କ ଜୀବନୀ ଉପରେ ଆଧାରିତ ଏକ ଜାତୀୟ ବାୟୋଗ୍ରାଫିକ୍ ତଥ୍ୟ ପ୍ରସ୍ତୁତ ଓ ପ୍ରଦର୍ଶନ କରିବା ସହ ଭାରତୀୟ ଡାକ ବିଭାଗ ପକ୍ଷରୁ ତାଙ୍କ ନାମରେ ସ୍ମାରକ ଡାକଟିକଟ ଜାରି କରିବାକୁ ସାଂସଦ ଦାବି କରିଥିଲେ।ଏହାର ଉତ୍ତରରେ କେନ୍ଦ୍ର ଯୋଗାଯୋଗ ତଥା ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆ ୩ ସେପ୍ଟେମ୍ବର ୨୦୨୬ରେ ସାଂସଦଙ୍କୁ ପତ୍ର ଦେଇଛନ୍ତି। ପତ୍ରରେ କୁହାଯାଇଛି ଯେ, ସ୍ମାରକ ଡାକଟିକଟ ଜାରି ସମ୍ପର୍କିତ ମାମଲାକୁ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି। ଆଗାମୀ ବୈଠକରେ ଫିଲାଟେଲିକ୍ ଆଡଭାଇଜରୀ କମିଟି (PAC) ସମ୍ମୁଖରେ ଏହି ପ୍ରସ୍ତାବ ରଖାଯିବ ବୋଲି ମନ୍ତ୍ରୀ ଶ୍ରୀ ସିନ୍ଧିଆ ଜଣାଇଛନ୍ତି।କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ବୀରାଙ୍ଗନା ପାର୍ବତୀ ଗିରିଙ୍କ ଅମର ଅବଦାନକୁ ଜାତୀୟ ସ୍ତରରେ ସମ୍ମାନ ଓ ସ୍ମରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଆଶା ସୃଷ୍ଟି ହୋଇଛି।
