September 10, 2026

ଜିଲ୍ଲାସ୍ତରୀୟ ଶକ୍ତି କ୍ଲବ୍ ତାଲିମ ଶିବିର ଅନୁଷ୍ଠିତ

IMG-20260910-WA0066
Share

 

*ଶକ୍ତି ସଂରକ୍ଷଣ ଓ ବିଦ୍ୟୁତ୍‌ର ସୁବିନିଯୋଗ ନେଇ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଦକ୍ଷତାଭିତ୍ତିକ ତାଲିମ*

 

ବାରିପଦା:-( ସଂଜୀବ କୁମାର ରଣଜିତ ):-୧୦/୦୯/୨୬

ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନସ୍ଥ ସେଣ୍ଟର ଫର୍ ଏନଭାଇରନମେଣ୍ଟାଲ ଷ୍ଟଡିଜ୍‌ ର ଯୁଗ୍ମ ଆନୁକୂଲ୍ୟରେ ‘ଏନର୍ଜି କ୍ଲବ୍‌’ ଦାୟିତ୍ୱରେ ଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଦୁଇଦିନିଆ ଜିଲ୍ଲାସ୍ତରୀୟ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ବାରିପଦାସ୍ଥିତ ଏମ୍‌.ପି.କେ. ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି । ଶକ୍ତି ସଂରକ୍ଷଣ, ବିଦ୍ୟୁତ୍‌ ଶକ୍ତିର ସୁବିନିଯୋଗ, ଅପଚୟ ରୋକିବା ଏବଂ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶକ୍ତି ସଚେତନତା ସୃଷ୍ଟି ଉପରେ ତାଲିମରେ ଗୁରୁତ୍ୱ ଦିଆଯାଇଥିଲା ।ପ୍ରଥମ ଦିବସରେ ବାଙ୍ଗିରିପୋଷି, କୁଳିଅଣା, ଶାମାଖୁଣ୍ଟା, ସାରସକଣା, ବାରିପଦା ଓ ଶୁଳିଆପଦା ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟର ଏନର୍ଜି କ୍ଲବ୍‌ ଦାୟିତ୍ୱରେ ଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରିଥିବାବେଳେ ଦ୍ୱିତୀୟ ଦିବସରେ ବଡ଼ସାହି, ବେତନଟୀ, ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ତାଲିମ ଗ୍ରହଣ କରିଥିଲେ ।

କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶକ୍ତି ସଂରକ୍ଷଣର ଆବଶ୍ୟକତା ଏବଂ ବିଦ୍ୟାଳୟସ୍ତରରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂ ଓ ଗୌତମ କୁମାର ପାତ୍ର ଏବଂ ଜିଲ୍ଲା ସାଇନ୍ସ ସୁପରଭାଇଜର ଜ୍ଞାନରଞ୍ଜନ ଆଚାର୍ଯ୍ୟ ତାଲିମର ଉଦ୍ଦେଶ୍ୟ ଓ ମହତ୍ତ୍ୱ ସହ ଦୈନନ୍ଦିନ ଜୀବନରେ ଶକ୍ତି ସଂରକ୍ଷଣର ଆବଶ୍ୟକତା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ ସି.ଏଚ୍‌.ସି., ଉତ୍ତର ଓଡ଼ିଶା ଜୋନ୍‌ର ଡେପୁଟି ସେକ୍ରେଟାରୀ ରାଜେଶ ପ୍ରଧାନ, ଟାଟା ପାୱାରର ସୁପରିଟେଣ୍ଡିଂ ଇଞ୍ଜିନିୟର ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶକ୍ତି ସଂରକ୍ଷଣର ବିଭିନ୍ନ ମାଧ୍ୟମ ଓ ଉପାୟ, ବିଦ୍ୟୁତ୍‌ ଶକ୍ତିର ସଠିକ୍‌ ବିନିଯୋଗ ଏବଂ ଅପଚୟ ରୋକିବା ସମ୍ପର୍କରେ ବ୍ୟବହାରିକ ତଥ୍ୟ ଓ ଉପଦେଶ ପ୍ରଦାନ କରିଥିଲେ ।

ରାଜ୍ୟସ୍ତରରୁ ଯୋଗଦେଇଥିବା ପ୍ରୋଗ୍ରାମ ଅଫିସର ଡ. ସ୍ୱାଗତିକା ମିଶ୍ର ଏବଂ ପ୍ରୋଜେକ୍ଟ ଅଫିସର ଡ. ରାଜେଶ ମହାନ୍ତ ଶକ୍ତି ସଂରକ୍ଷଣ, ପରିବେଶ ସୁରକ୍ଷା ଏବଂ ‘ଲାଇଫ୍’ (ଲାଇଫଷ୍ଟାଇଲ୍ ଫୋର୍ ଇନଭିରନମେଣ୍ଟ)ର ଉଦ୍ଦେଶ୍ୟ ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ ।

ମୟୂରଭଞ୍ଜ ଜିଲ୍ଲାର ଇକୋ-କ୍ଲବ୍‌ ମାଷ୍ଟର ଟ୍ରେନର ଡ. ରାମକାନ୍ତ ମହାନ୍ତ ଶକ୍ତି ସଂରକ୍ଷଣ ଓ ଏନର୍ଜି କ୍ଲବ୍‌ ପରିଚାଳନା ସମ୍ପର୍କିତ ନିଜର ଅଭିଜ୍ଞତା ଓ ନୂତନ ଚିନ୍ତାଧାରା ଅଂଶଗ୍ରହଣକାରୀଙ୍କ ସହ ବାଣ୍ଟିଥିଲେ। ବିଭିନ୍ନ ସମ୍ପଦ ତଥା ବିଷୟ ବିଶେଷଜ୍ଞ ବ୍ୟକ୍ତି ଶକ୍ତି ସଂରକ୍ଷଣର ବ୍ୟବହାରିକ ଦିଗ ସହ ବିଦ୍ୟାଳୟସ୍ତରରେ ଏନର୍ଜି କ୍ଲବ୍‌ର ସଫଳ ପରିଚାଳନା, କାର୍ଯ୍ୟକଳାପ ଏବଂ ଛାତ୍ରଛାତ୍ରୀଙ୍କୁ ଶକ୍ତି ସଂରକ୍ଷଣ ପ୍ରତି ସଚେତନ କରିବାର ସରଳ ଓ ପ୍ରଭାବଶାଳୀ ପଦ୍ଧତି ସମ୍ପର୍କରେ ଦକ୍ଷତାଭିତ୍ତିକ ତାଲିମ ପ୍ରଦାନ କରିଥିଲେ ।ତାଲିମ କାର୍ଯ୍ୟକ୍ରମର ସୁପରିଚାଳନା ଓ ସଫଳ ଆୟୋଜନରେ ଏମ୍‌.ପି.କେ. ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଜିଲ୍ଲା ଶିକ୍ଷା ବିଭାଗର କର୍ମଚାରୀମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

You may have missed