ଗଜପତି:- ଜାତୀୟ ସ୍ତରୀୟ ପ୍ରତିଯୋଗିତା “ଆରୋହଣ”ରେ ପାରଳାଖେମୁଣ୍ଡି ର ଛାତ୍ରୀଙ୍କ ସଫଳତା ..
କଳା କଳ୍ପ ସାଂସ୍କୃତିକ ସଂସ୍ଥାନ , ନୂଆଦିଲ୍ଲୀର ଦ୍ଵାରା ଆୟୋଜିତ ଅଫ ଲାଇନ ଓ ଅନ୍ ଲାଇନ୍ ପ୍ରତିଯୋଗିତା ନୂଆଦିଲ୍ଲୀର ୧ ଅଶୋକ ରୋଡ୍, ଆନ୍ଧ୍ର ପ୍ରଦେଶ ଭବନ ଅଡିଟୋରିୟମରେ ଅଫ୍ ଲାଇନ “ଆରୋହଣ-୨୦୨୬” – ଏକ ଜାତୀୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତା “ଆରୋହଣ” ରେ ପାରଳାଖେମୁଣ୍ଡି ସହରର ଛାତ୍ରୀ ମାନେ କୃତି ହୋଇ ସଫଳତା ଆଣିଛନ୍ତି।
କଳା କଳ୍ପ ସାଂସ୍କୃତିକ ସଂସ୍ଥାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡକ୍ଟର ଅତସୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର ଜ୍ୟୋତିଷ ଜୋଶୀ , ଡକ୍ଟର ଶୁଭଙ୍କର ମିଶ୍ର , ସୁଶ୍ରୀ ଅନୁ ୱାଧୱା , ଡକ୍ଟର ସନ୍ଦୀପ ଗାନ୍ଧୀ ଏବଂ ପ୍ରଫେସର କେ. ଅନିଲ କୁମାର କଳା କଳ୍ପ ସାଂସ୍କୃତିକ ସଂସ୍ଥାନର ଉପାଧ୍ୟକ୍ଷ ଶ୍ରୀ ମୋହିତ ମାଧବଙ୍କ ସମେତ ବିଶିଷ୍ଟ ଅତିଥି ମାନେ ମଞ୍ଚାସିନ ଥିଲେ।
ପ୍ରତିଯୋଗିତାରେ ମୁଖ୍ୟତଃ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ , ଲୋକନୃତ୍ୟ , ହିନ୍ଦୁସ୍ତାନୀ କଣ୍ଠ , କର୍ଣ୍ଣାଟକୀ କଣ୍ଠ , ବାଦ୍ୟଯନ୍ତ୍ର , ଯୋଗ ଏବଂ ବୈଦିକ ଶ୍ଳୋକ ଉପସ୍ଥାପନା ସମେତ ବିଭିନ୍ନ ବର୍ଗରେ ଏକକ , ଯୁଗଳ , ତ୍ରୟୀ ଏବଂ ଦଳଗତ ନୃତ୍ୟରେ ୫୦୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
ବିଭିନ୍ନ କଳା ବିଷୟର ପ୍ରତିନିଧିତ୍ୱ କରୁଥିବା ଗୁରୁ ଏବଂ ବିଶେଷଜ୍ଞଙ୍କ ଏକ ବିଶିଷ୍ଟ ପ୍ୟାନେଲ ଦ୍ୱାରା ପ୍ରଦର୍ଶନ ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ସମଲେଇ ନୃତ୍ୟକଳା ପରିଷଦ” ଓ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ରର ଛାତ୍ରୀମାନେ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସ୍ୱର୍ଣ୍ଣ , ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରି ଗଜପତି ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି।
ପ୍ରତିଯୋଗିତାରେ ଅନୁଷ୍ଠାନର ଛାତ୍ରୀମାନେ ଚମତ୍କାର ନୃତ୍ୟ ପରିବେଷଣ କରି ବିଚାରକ ମଣ୍ଡଳୀଙ୍କୁ ମୁଗ୍ଧ କରିବା ସହ ବିଭିନ୍ନ ବିଭାଗରେ ସ୍ୱର୍ଣ୍ଣ , ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ଅନ୍ ଲାଇନ୍ ପ୍ରତିଯୋଗିତାର ବରିଷ୍ଠ ବିଭାଗ ଲୋକ ନୃତ୍ୟ ଏକକ ରେ ସମଲେଇ ନୃତ୍ୟ କଳା ପରିଷଦ ର ସନ୍ତୋଷିନୀ ପାତ୍ର ରୌପ୍ୟ ପଦକ ପାଇ ଦ୍ଵିତୀୟ ସ୍ଥାନ ଓ ଚିନ୍ମୟୀ ପାଣିଗ୍ରାହୀ ବ୍ରୋଞ୍ଜ ପଦକ ପାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ସେହିପରି ନୂଆଦିଲ୍ଲୀର ୧ ଅଶୋକ ରୋଡ୍, ଆନ୍ଧ୍ର ପ୍ରଦେଶ ଭବନ ଅଡିଟୋରିୟମ ଠାରେ ନୃତ୍ୟ ପ୍ରତିଯୋଗିତାରେ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ରର ଛାତ୍ରୀ ମାନେ ଲୋକନୃତ୍ୟ ଏକକ କନିଷ୍ଠ ବିଭାଗରେ ସ୍ମୃତି ସ୍ନିଗ୍ଧା କର ବ୍ରୋଞ୍ଜ ଓ ହରିପ୍ରିୟା ଧବଳ ରୌପ୍ୟ ପଦକ ହାସଲ କରିଛନ୍ତି। ଲୋକନୃତ୍ୟ ଏକକ ଉନ୍ମୁକ୍ତ ବୟସ ବର୍ଗରେ ସଙ୍କଳ୍ପିତା ବେହେରା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଓଡ଼ିଶୀ ଏକକ କନିଷ୍ଠ ବିଭାଗରେ ସ୍ମୃତି ସ୍ନିଗ୍ଧା କର ଓ ଲରେନ୍ସା ଦେବୀ ରୌପ୍ୟ ପଦକ ହାସଲ କରିଥିବା ବେଳେ ସୁଜୟା ଦାସ , ଆକାଂକ୍ଷା ଅଧିକାରୀ , ତନିଶା ପରିଚ୍ଛା ଓ ହରିପ୍ରିୟା ଧବଳ ବ୍ରୋଞ୍ଜ ପଦକ ପାଇଥିବା ବେଳେ ପୌଷିକା ତ୍ରିପାଠୀ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଓଡ଼ିଶୀ ଏକକ ବରିଷ୍ଠ ବିଭାଗରେ ପୂଜାରୀ ଦିବ୍ୟା ରୌପ୍ୟ ପଦକ ପାଇଥିବା ବେଳେ ଓଡ଼ିଶୀ ଉନ୍ମୁକ୍ତ ବୟସ ବର୍ଗରେ ସୁଶ୍ରୀ ଲିସାରାଣୀ ପାଢ଼ୀ , ସଙ୍କଳ୍ପିତା ବେହେରା , ତନୁପ୍ରିୟା ପାଇକ ଓ ସୋନାଲି ପ୍ରଧାନ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ଲୋକନୃତ୍ୟ ଦଳଗତ ବିଭାଗରେ ତନୁପ୍ରିୟା ପାଇକ , ସୋନାଲି ପ୍ରଧାନ , ପୂଜାରୀ ଦିବ୍ୟା , ସଙ୍କଳ୍ପିତା ବେହେରା ଓ ଲିସାରାଣୀ ପାଢ଼ୀ ସ୍ୱର୍ଣ୍ଣ ପଦକ ହାସଲ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ।
ନୃତ୍ୟ ପ୍ରତି ଛାତ୍ରୀମାନଙ୍କ ସମର୍ପଣ , ନିରନ୍ତର ଅଭ୍ୟାସ , କଠିନ ପରିଶ୍ରମ ଓ ଆଗ୍ରହ ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି ବୋଲି ନୃତ୍ୟ ନିର୍ଦ୍ଦେଶିକା ଶ୍ରୀମତୀ ଡି. ପ୍ରିୟଙ୍କା ଓ ସ୍ଵର୍ଣ୍ଣଲତା ପାତ୍ର କହିଛନ୍ତି। ଛାତ୍ରୀମାନଙ୍କ ଏହି ସଫଳତା ପାଇଁ ଉଭୟ ଗୁରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଓଡ଼ିଶୀ ଓ ଲୋକନୃତ୍ୟକୁ ଜାତୀୟସ୍ତରରେ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଛାତ୍ରୀମାନଙ୍କୁ ଉତ୍ସାହିତ କରିଛନ୍ତି। ସମସ୍ତ ବିଜେତା ପ୍ରତିଯୋଗୀଙ୍କୁ ସେପ୍ଟେମ୍ବର ୨୭ ତାରିଖରେ ନୂଆଦିଲ୍ଲୀ ଠାରେ ହେବାକୁ “ପାରିଜାତ” ଉତ୍ସବରେ ପୁରସ୍କୃତ କରାଯିବ ବୋଲି କଳା କଳ୍ପ ସାଂସ୍କୃତିକ ସଂସ୍ଥାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡକ୍ଟର ଅତସୀ ମିଶ୍ର କହିଛନ୍ତି।
—————————————–
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
——————————————
