September 8, 2026

ରାୟଗଡରେ ୧୧୩ କି.ମି.ରୁ ଅଧିକ ୪-ଲେନ୍‌ ରାସ୍ତା ନିର୍ମାଣକୁ ଗତି ୭୯୫.୯୬ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ; ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଧନ୍ୟବାଦ

IMG-20260908-WA0100
Share

 

 

ରାୟଗଡ, ୦୮/୦୯/୨୦୨୬: ରାୟଗଡ ଜିଲ୍ଲାରେ ସଡ଼କ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ବିଭିନ୍ନ ପ୍ରମୁଖ ସଡ଼କର ମୋଟ ୧୧୩.୩୮୬ କିଲୋମିଟର ଅଂଶକୁ ୪-ଲେନ୍‌ରେ ଉନ୍ନୀତ କରାଯିବ। ଏଥିପାଇଁ ପ୍ରାୟ ୭୯୫.୯୬ କୋଟି ଟଙ୍କା ବ୍ୟୟ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ୪-ଲେନ୍‌ ସଡ଼କ ପ୍ରକଳ୍ପ ସମ୍ପର୍କରେ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ନୂତନ ସମ୍ମିଳନୀ କକ୍ଷ, ରାୟଗଡଠାରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ସାମ୍ବାଦିକମାନଙ୍କୁ ବିସ୍ତୃତ ସୂଚନା ଦେଇଥିଲେ।

 

ପ୍ରକଳ୍ପ ଅଧୀନରେ ରାୟଗଡ-କେରେଡା ରୋଡ୍‌ର ୨୫.୧୬୬ କି.ମି. ଅଂଶକୁ ୧୮୬.୧୯ କୋଟି ଟଙ୍କା ବ୍ୟୟରେ ୪-ଲେନ୍‌ କରାଯିବ। ଏହାଦ୍ୱାରା ୧୭ଟି ଗ୍ରାମ ଓ ୪ଟି ଗ୍ରାମ ପଞ୍ଚାୟତ ଉପକୃତ ହେବେ। ଏହି ପ୍ରକଳ୍ପ ପାଇଁ ୪(୧) ବିଜ୍ଞପ୍ତି ଜାରି ହୋଇଥିବା ସହ ସମସ୍ତ ୧୭ଟି ଗ୍ରାମସଭା ସମ୍ପନ୍ନ ହୋଇଛି।

 

ସେହିପରି କୋମ୍ମତାଳପେଟା-ମୁନିଗୁଡା-ତୁମୁଡିବନ୍ଧ ରୋଡ୍‌ (SH-05)ର କି.ମି. ୦/୦୦ରୁ ୩୦/୦୦ ପର୍ଯ୍ୟନ୍ତ ୩୦ କି.ମି. ରାସ୍ତା ୨୧୨.୧୧ କୋଟି ଟଙ୍କା ବ୍ୟୟରେ ୪-ଲେନ୍‌ ହେବ। ଏହାଦ୍ୱାରା ୨୦ଟି ଗ୍ରାମ ଓ ୮ଟି ଗ୍ରାମ ପଞ୍ଚାୟତ ଲାଭାନ୍ୱିତ ହେବେ। ସମସ୍ତ ୨୦ଟି ଗ୍ରାମସଭା ମଧ୍ୟ ଶେଷ ହୋଇଛି।

 

ଏହାଛଡ଼ା SH-05ର କି.ମି. ୩୦/୦୦ରୁ ୪୫/୬୧୫ ଏବଂ କି.ମି. ୫୨/୭୭୦ରୁ ୬୮/୦୫୫ ପର୍ଯ୍ୟନ୍ତ, ବିସମକଟକ ବାଇପାସ୍‌କୁ ବାଦ ଦେଇ, ୩୨.୧୮ କି.ମି. ରାସ୍ତା ୨୦୧.୪୮ କୋଟି ଟଙ୍କା ବ୍ୟୟରେ ୪-ଲେନ୍‌ରେ ଉନ୍ନୀତ ହେବ। ଏଥିରେ ୨୫ଟି ଗ୍ରାମ ଓ ୭ଟି ଗ୍ରାମ ପଞ୍ଚାୟତ ଉପକୃତ ହେବେ। ସମସ୍ତ ଗ୍ରାମରେ ଗ୍ରାମସଭା ସମ୍ପନ୍ନ ହୋଇଛି ଏବଂ ଭୂମି ଅଧିଗ୍ରହଣ ସମ୍ପର୍କିତ ପରବର୍ତ୍ତୀ ପ୍ରକ୍ରିୟା ଜାରି ରହିଛି।

 

ସେହିପରି ଭବାନୀପାଟଣା-ମୁନିଗୁଡା ରୋଡ୍‌ (SH-06)ର କି.ମି. ୩୭/୩୪୦ରୁ ୬୩/୬୫୦ ପର୍ଯ୍ୟନ୍ତ, ଅମ୍ବାଦଳା ବାଇପାସ୍‌କୁ ବାଦ ଦେଇ, ୨୬.୦୪ କି.ମି. ରାସ୍ତା ୧୯୬.୧୮ କୋଟି ଟଙ୍କା ବ୍ୟୟରେ ୪-ଲେନ୍‌ କରାଯିବ। ଏହାଦ୍ୱାରା ୩୦ଟି ଗ୍ରାମ ଓ ୬ଟି ଗ୍ରାମ ପଞ୍ଚାୟତ ଉପକୃତ ହେବେ।

 

ଜିଲ୍ଲାପାଳ କହିଥିଲେ ଯେ, ଏହି ୪-ଲେନ୍‌ ପ୍ରକଳ୍ପ ରାୟଗଡର ଯୋଗାଯୋଗ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ। ଏହା ରାୟଗଡକୁ କଳାହାଣ୍ଡି, କନ୍ଧମାଳ ଓ ବିଶାଖାପାଟଣା ସହ ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ଯୋଗାଯୋଗରେ ଅଧିକ ସୁଦୃଢ଼ କରିବ। ଏଥିସହ ରାୟଗଡ, ବିଷମକଟକ, ମୁନିଗୁଡା ଓ ଅମ୍ବାଦଳା ରେଳ ଷ୍ଟେସନ, ଶିଳ୍ପାଞ୍ଚଳ ଏବଂ ବିଶାଖାପାଟଣା ବନ୍ଦର ସହ ଯୋଗାଯୋଗ ଉନ୍ନତ ହେବ। ଉନ୍ନତ ସଡ଼କ ଭିତ୍ତିଭୂମି ଫଳରେ କୃଷିଜାତ ସାମଗ୍ରୀର ଖେତରୁ ବଜାରକୁ ପରିବହନ, ଶିଳ୍ପ ଓ ବାଣିଜ୍ୟର ବିକାଶ, ପର୍ଯ୍ୟଟନର ପ୍ରସାର ଏବଂ ଯାତ୍ରା ସମୟ ହ୍ରାସ ପାଇବ। ଏହି ରାସ୍ତାଗୁଡ଼ିକ ଡିଭାଇଡେଡ୍‌ ହାଇୱେ ଭାବେ ନିର୍ମାଣ ହେବା ସହ ପ୍ରତ୍ୟେକ କ୍ୟାରେଜୱେର ଚଉଡ଼ା ୭.୫ ମିଟର ରହିବ ଏବଂ ଡିଜାଇନ୍‌ ସ୍ପିଡ୍‌ ୮୦ କି.ମି. ପ୍ରତି ଘଣ୍ଟା ରହିବ।

 

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରାୟଗଡ ଜିଲ୍ଲାର ସାମଗ୍ରିକ ବିକାଶକୁ ନୂଆ ଗତି ଦେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ରାୟଗଡ ଜିଲ୍ଲାର ବିକାଶ ପାଇଁ ଏହି ୪-ଲେନ୍‌ ସଡ଼କ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଥିବାରୁ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ରାୟଗଡ ଜିଲ୍ଲାବାସୀଙ୍କ ପକ୍ଷରୁ ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟଙ୍କୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ କୋଠାବାଡି, ରାୟଗଡ଼ -୧ ଶ୍ରୀ ଆମ୍ବିକେୟ ମିଶ୍ର,ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ କୋଠାବାଡି, ରାୟଗଡ଼ -୨ ଶ୍ରୀ ଦୁର୍ଗା ମାଧବ ପାଢୀ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ ଉପସ୍ଥିତ ଥିଲେ।

ରାୟଗଡା ରୁ ରାବିରାଜ ବୈଦ୍ୟଙ୍କ ରିପୋର୍ଟ

You may have missed