September 2, 2026

ଦୁର୍ଗମ ଲବାରସିଂରୁ ଭାରତ ସରକାରର ବରିଷ୍ଠ ବୈଜ୍ଞାନିକ-ଏଫ୍; ଗଜପତି ପାଇଁ ଗର୍ବ ଆଣିଲେ ଡ଼ଃ ସତ୍ୟବାନ ବିଶୋୟୀ ରତ୍ନ

IMG_20260902_201346
Share

ମୋହନା–ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଦୁର୍ଗମ ଆଦିବାସୀ ଅଞ୍ଚଳ ଲବାରସିଂ ଗ୍ରାମର ଏକ ସାଧାରଣ ମାଟି ଘରୁ ଆରମ୍ଭ ହୋଇଥିବା ଜଣେ ଶିଶୁର ସ୍ୱପ୍ନ ଆଜି ଭାରତ ସରକାରର ବରିଷ୍ଠ ବୈଜ୍ଞାନିକ-ଏଫ୍ ପଦବୀରେ ପହଞ୍ଚିଛି। ସେହି କୃତୀ ସନ୍ତାନ ହେଲେ ଡ଼ଃ ସତ୍ୟବାନ ବିଶୋୟୀ ରତ୍ନ। ନିକଟରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା କାର୍ଯ୍ୟାଳୟ ଆଦେଶ ଅନୁଯାୟୀ ସେ ବୈଜ୍ଞାନିକ-ଇ ପଦରୁ ବୈଜ୍ଞାନିକ-ଏଫ୍ ପଦକୁ ପଦୋନ୍ନତି ପାଇଛନ୍ତି। ଏହି ସଫଳତା କେବଳ ତାଙ୍କ ବ୍ୟକ୍ତିଗତ କୃତିତ୍ୱ ନୁହେଁ, ବରଂ ସମଗ୍ର ଗଜପତି ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି।

୧୯୮୦ ମସିହାରେ ଲବାରସିଂ ଗ୍ରାମର ଏକ ସାଧାରଣ ମାଟି ଘରେ ଜନ୍ମଗ୍ରହଣ କରିଥିବା ଡ଼ଃ ରତ୍ନଙ୍କ ପିତା ତ୍ରିନାଥ ବିଶୋୟୀ ରତ୍ନ ଜଣେ ଅବସରପ୍ରାପ୍ତ ବନପାଳ ଏବଂ ମାତା ମଣିମାଳା ବିଶୋୟୀ ରତ୍ନ। ପାହାଡ଼, ଜଙ୍ଗଲ ଓ ଦୁର୍ଗମ ପରିବେଶ ମଧ୍ୟରେ ଆର୍ଥିକ ଅନଟନ ସହ ତାଙ୍କ ପିଲାବେଳ କଟିଥିଲା। ବିଦ୍ୟୁତ, ଯୋଗାଯୋଗ ଓ ଶିକ୍ଷାର ଆଧୁନିକ ସୁବିଧାରୁ ବହୁ ଦୂରରେ ଥିବା ସେହି ଅଞ୍ଚଳରେ ରହି ମଧ୍ୟ ସେ ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ସଫଳତାର ଶିଖର ଛୁଇଁବାରେ ସମର୍ଥ ହୋଇଥିଲେ।

ରାମଗିରି ଏବଂ ପୁଡାମାରୀରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଶେଷ କରିବା ପରେ ସେ ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ଓ ବିଜ୍ଞାନ ସ୍ନାତକ ଶିକ୍ଷା ହାସଲ କରିଥିଲେ। ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସାମୁଦ୍ରିକ ବିଜ୍ଞାନରେ ସ୍ନାତକୋତ୍ତର, ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ବାୟୁମଣ୍ଡଳୀୟ ବିଜ୍ଞାନରେ ପ୍ରଯୁକ୍ତି ସ୍ନାତକୋତ୍ତର ଏବଂ ପାଣିପାଗ ବିଜ୍ଞାନରେ ଡକ୍ଟରେଟ୍ ଉପାଧି ହାସଲ କରିଥିଲେ।

୨୦୧୦ ରୁ ୨୦୨୧ ପର୍ଯ୍ୟନ୍ତ ସେ ଜାପାନ, ଇଟାଲୀ ଓ ବ୍ରିଟେନର ବିଭିନ୍ନ ବିଶ୍ୱପ୍ରସିଦ୍ଧ ଗବେଷଣା ସଂସ୍ଥାରେ କାର୍ଯ୍ୟ କରି ବିଶ୍ୱସ୍ତରୀୟ ପାଣିପାଗ ଓ ଜଳବାୟୁ ଗବେଷଣାରେ ଅବଦାନ ରଖିଥିଲେ। ବିଦେଶରେ ୧୧ ବର୍ଷ ଧରି କାର୍ଯ୍ୟ କରିବା ପରେ ସେ ଦେଶକୁ ଫେରି ଭାରତୀୟ ପାଣିପାଗ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ ଯୋଗଦାନ କରିଥିଲେ ଏବଂ ବର୍ତ୍ତମାନ ବୈଜ୍ଞାନିକ-ଏଫ୍ ପଦକୁ ଉନ୍ନୀତ ହୋଇଛନ୍ତି।

କେବଳ ବୈଜ୍ଞାନିକ ନୁହେଁ, ଜଣେ ଲେଖକ ଭାବେ ମଧ୍ୟ ଡ଼ଃ ରତ୍ନ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜ ଜୀବନର ସଂଘର୍ଷ, ଦାରିଦ୍ର୍ୟ, ଅଭାବ, ଶିକ୍ଷା ପାଇଁ ସଂଗ୍ରାମ ଓ ସଫଳତାର କାହାଣୀକୁ ନେଇ ସେ “Doesn’t Matter Where You Begin” (ଡଜନ୍ଟ ମ୍ୟାଟର ୱେର୍ ୟୁ ବିଗିନ୍) ନାମକ ଏକ ଆତ୍ମଜୀବନୀମୂଳକ ପୁସ୍ତକ ରଚନା କରିଛନ୍ତି। ଦୁର୍ଗମ ଆଦିବାସୀ ଅଞ୍ଚଳର ଏକ ମାଟି ଘରରୁ ଆରମ୍ଭ ହୋଇଥିବା ତାଙ୍କ ଜୀବନ ଯାତ୍ରାକୁ ନେଇ ଲେଖାଯାଇଥିବା ଏହି ପୁସ୍ତକ ବର୍ତ୍ତମାନ ବିଭିନ୍ନ ଦେଶର ପାଠକଙ୍କ ମଧ୍ୟରେ ଆଦୃତ ହେଉଛି ଏବଂ ଯୁବପିଢ଼ୀଙ୍କୁ ସ୍ୱପ୍ନ ଦେଖିବା ସହ ସଂଘର୍ଷ କରିବାର ପ୍ରେରଣା ଦେଉଛି।

ଗଜପତି ଜିଲ୍ଲା ଇତିହାସରେ ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ-ଏଫ୍ ପଦବୀରେ ଅବସ୍ଥାପିତ ହୋଇଥିବା ବେଳେ ଏହି ସଫଳତା ଡ଼ଃ ସତ୍ୟବାନ ବିଶୋୟୀ ରତ୍ନଙ୍କ ନାମରେ ଲିପିବଦ୍ଧ ହୋଇଛି। ଏକ ମାଟି ଘରରୁ ଆରମ୍ଭ ହୋଇଥିବା ତାଙ୍କ ଜୀବନ ଯାତ୍ରା ଆଜି ପ୍ରମାଣ କରିଛି ଯେ ସଫଳତା ପାଇଁ ଜନ୍ମସ୍ଥାନ ନୁହେଁ, ବରଂ ପରିଶ୍ରମ, ଅଧ୍ୟବସାୟ ଓ ଦୃଢ଼ ସଂକଳ୍ପ ହିଁ ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇଥାଏ।